ଭୁବନେଶ୍ବର: ଆସନ୍ତମାସ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଂଲାଦେଶରେ ଆୟୋଜିତ ହେବାକୁ ଯାଉଥିବା ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପାଇଁ ଶୁକ୍ରବାର ହକି ଇଣ୍ଡିଆ ୨୦ ଜଣିଆ ଚୂଡାନ୍ତ ଦଳ ଘୋଷଣା କରିଛି। ମନ୍ପ୍ରୀତ୍ ସିଂହ ଅଧିନାୟକ ଏବଂ ହର୍ମନ୍ପ୍ରୀତ୍ ସିଂହ ଉପଅଧିନାୟକ ମନୋନୀତ ହୋଇଥିଲା ବେଳେ ଏହି ଦଳରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍ସାନ ତିର୍କି, ନିଲମ ସଞ୍ଜୀବ ଖେସ୍ ଓ ଶିଳାନନ୍ଦ ଲାକ୍ରା।
ଅଭିଜ୍ଞ ଗୋଲ୍ରକ୍ଷକ ପିଆର୍ ଶ୍ରୀଜେସ୍ଙ୍କୁ ବିଶ୍ରାମ ଦିଆଯାଇଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଳ ବାଛିଛୁ ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍। ବିଶେଷକରି ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଏକ ସନ୍ତୁଳିତ ଦଳ ଗଠନ କରାଯାଇଛି। ଏସୀୟ ଚାମ୍ପିଅନ୍ସିପ୍ ଟ୍ରଫି ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା ହୋଇଥିବାରୁ ପରବର୍ତୀ ଅଲିମ୍ପିକ୍ ପାଇଁ ଖେଳାଳିମାନେ ପ୍ରଦର୍ଶନ ଜରିଆରେ ଦାବିଦାର ହୋଇପାରିବେ ବୋଲି ରିଡ୍ କହିଛନ୍ତି।
ପୂର୍ବ ବିଜେତା ଭାରତ ପ୍ରଥମ ଦିନ (୧୪ ତାରିଖ) ହିଁ କୋରିଆ ସହ ଖେଳି ଅଭିଯାନ ଆରମ୍ଭ କରିବ। ଗୋଟିଏ ମାତ୍ର ପୁଲ୍ରେ ଖେଳାଯାଉଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫିରେ କୋରିଆ, ଜାପାନ, ମାଲେସିଆ, ପାକିସ୍ତାନ ଓ ଆୟୋଜକ ବାଂଲାଦେଶ ସହ ପ୍ରତିଦ୍ବନ୍ଦ୍ବିତା କରିବ ଭାରତ। ଗତ ସଂସ୍କରଣର ଫାଇନାଲ୍ରେ ବର୍ଷା ବାଧକ ସାଜିଥିବାରୁ ପାକିସ୍ତାନ ସହ ଭାରତ ଯୁଗ୍ମ ବିଜେତା ହୋଇଥିଲା। ଏଥର ଭାରତ ୧୪ରେ କୋରିଆ ସହ ଖେଳିବା ପରେ ୧୫ରେ ବାଂଲାଦେଶ, ୧୭ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ, ୧୮ରେ ମାଲେସିଆ ଏବ୯ ୧୯ରେ ଜାପାନକୁ ଭେଟିବ। ୨୧ରେ ସେମିଫାଇନାଲ୍ ଏବଂ ୨୨ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ଭାରତୀୟ ଦଳ: କୃଷ୍ଣ ବାହାଦୁର ପାଠକ ଓ ସୁରଜ କାର୍କେରା (ଗୋଲ୍ରକ୍ଷକ)। ହର୍ମନ୍ପ୍ରୀତ୍ ସିଂହ (ଉପଅଧିନାୟକ), ଗୁରିନ୍ଦର ସିଂହ, ଜର୍ମନପ୍ରୀତ୍ ସିଂହ, ଦୀପ୍ସାନ ତିର୍କି, ବରୁଣ କୁମାର, ନିଲମ ସଞ୍ଜୀବ ଖେସ୍, ମନ୍ଦୀପ ମୋର୍ (ଡିଫେଣ୍ଡର)। ହାର୍ଦିକ୍ ସିଂହ, ମନ୍ପ୍ରୀତ୍ ସିଂହ (ଅଧିନାୟକ), ଯଶ୍କରଣ ସିଂହ, ସୁମିତ, ରାଜକୁମାର ପାଲ୍, ଆକାଶଦୀପ ସିଂହ, ସାମ୍ସେର ସିଂହ (ମିଡ୍ଫିଲ୍ଡର)। ଲଲିତ କୁମାର ଉପାଧ୍ୟାୟ, ଦିଲ୍ପ୍ରୀତ୍ ସିଂହ, ଗୁରସାହିବଜିତ୍ ସିଂହ, ଶିଳାନନ୍ଦ ଲାକ୍ରା (ଫରୱାର୍ଡ)।