ଏସିଆ କପ୍‌: ଭାରତକୁ ୧୭୪ ରନ୍‌ ଟାର୍ଗେଟ ଦେଲା ବାଂଲାଦେଶ, ଜାଦେଜାଙ୍କୁ ୪ ଓ୍ଵିକେଟ୍‌

ଭୁବି-ବୁମରା ନେଲେ ୩-୩ ଓ୍ଵିକେଟ୍‌

ଦୁବାଇ: ଭାରତକୁ ବାଂଲାଦେଶ ୧୭୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ବାଂଲାଦେଶ ୪୯.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୭୩ ରନ୍‌ ସଂଗ୍ରହ କରିଛି। ଭାରତୀୟ ବୋଲର ରବୀନ୍ଦ୍ର ଜାଦେଜାଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାଙ୍କ ହାତରେ ୩-୩ ଜଣ ବାଂଲାଦେଶୀ ବ୍ୟାଟସ୍‌ମ୍ୟାନ୍‌ ଆଉଟ୍‌ ହୋଇଛନ୍ତି। ଏସିଆ କପ୍‌ର ସୁପର-୪ରେ ଶୁକ୍ରବାର ଭାରତୀୟ ବୋଲରମାନେ ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ କରିଥିଲେ। ଫଳରେ ବାଂଲାଦେଶର ବ୍ୟାଟସ୍‌ମ୍ୟାନ୍‌ମାନେ କ୍ରିଜ୍‌ରେ ଅଧିକ ସମୟ ଲେଖାଏଁ ତିଷ୍ଠି ପାରି ନଥିଲେ। ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଂଲାଦେଶ ବ୍ୟାଟିଂ କରିଥିଲା।

ଭାରତର ୬ଷ୍ଠ ଶିକାର ହୋଇଥିଲେ ମହମ୍ମଦୁଲା(୨୫)। ସେ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ୍‌ ଫେରିଥିଲେ। ସେହିପରି ବାଂଲାଦେଶ ୭ମ ଓ୍ଵିକେଟ୍‌ ଭାବରେ ମୋସଡେକ ହୁସେନ(୧୨)ଙ୍କୁ ହରାଇଥିଲା। ହୁସେନ ୪୩ଟି ବଲ ଖେଳି ରବୀନ୍ଦ୍ର ଜାଦେଜାଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ମୁଶାରଫ ମୋର୍ତ୍ତାଜା(୨୬) ଭୁବନେଶ୍ୱର କୁମାରଙ୍କ ବଲ ଯଶପ୍ରୀତ ବୁମରାଙ୍କୁ କ୍ୟାଚ ଦେଇଥିଲେ। ବାଂଲାଦେଶ ୧୦୧ ରନ୍‌ରେ ୬ଷ୍ଠ ଓ ୭ମ ଓ୍ଵିକେଟ୍‌ ହରାଇଥିବା ବେଳେ ୧୬୭ ରନ୍‌ରେ ୮ମ ଓ୍ଵିକେଟ୍‌ ହରାଇ ଥିଲା। ମେହେନ୍ଦୀ ହାସନ ଦଳ ପାଇଁ ସର୍ବାଧିକ ରନ୍‌(୪୨) ସଂଗ୍ରହ କରିଥିଲେ। ସେ ଯଶପ୍ରୀତ ବୁମରାଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ ଦେଇଥିଲେ। ମୁସ୍ତାଫିଜୁର ରହମାନ ୩ ରନ୍‌ ସଂଗ୍ରହ କରି ବୁମରାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ବାଂଲାଦେଶ ୧୫ ରନ୍‌ରେ ଓପନର ଲିଟନ ଦାସକୁ ହରାଇଥିଲା। ଲିଟନ ୧୬ଟି ବଲ ଖେଳି ୭ ରନ୍‌ ଯୋଡ଼ିବା ପରେ ଭୁବନେଶ୍ୱର କୁମାରଙ୍କ ବଲ କେଦାର ଯାଧବଙ୍କୁ କ୍ୟାଚ ଦେଇଥିଲେ। ଅନ୍ୟତମ ଓପନର ନାଜମୁଲ ହୁସେନ ୧୪ଟି ବଲ ଖେଳି ୭ ରନ ସଂଗ୍ରହ କରିବା ପରେ ଯଶପ୍ରୀତ ବୁମରାଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ ଦେଇଥିଲେ। ସେତେବେଳକୁ ଦଳର ସ୍କୋର ୫.୧ ଓଭରରେ ସ୍କୋର ୧୬ ରନ୍‌ ଥିଲା। ଭାରତର ୩ୟ ଶିକାର ହୋଇଥିଲେ ସାକିବୁଲ ହାସନ(୧୭)। ସେ ରବୀନ୍ଦ୍ର ଜାଦେଜାଙ୍କ ଶିକାର ହୋଇ ପାଭଲିଅନ ଫେରିଥିଲେ। ସେହିପରି ରବୀନ୍ଦ୍ର ଜାଦେଜାଙ୍କ ଶିକାର ହୋଇଥିଲେ ମହମ୍ମଦ ମିଥୁନ(୯) ଓ ମୁଶାଫିର ରହୀମ(୨୧)। ବାଂଲାଦେଶ ୪୨ ରନ୍‌ରେ ୩ୟ ଓ୍ଵିକେଟ, ୬୦ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ ଓ ୬୫ ରନ୍‌ରେ ୫ମ ଓ୍ଵିକେଟ୍‌ ହରାଇ ଥିଲା।

ସମ୍ବନ୍ଧିତ ଖବର