କଲମ୍ବୋ: ଆଜି ଏସିଆ କପ୍ ୨୦୨୩ର ଫାଇନାଲ ମ୍ୟାଚ୍ ଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଭାରତ-ଶ୍ରୀଲଙ୍କା। ମ୍ୟାଚ୍ ଆରମ୍ଭ ପୂର୍ବରୁ ଟସ୍ ପକାଯାଇଥିବା ବେଳେ ଶ୍ରୀଲଙ୍କାର ସ୍କିପର ଦାସୁନ ଶନାକା ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଆଜି ମ୍ୟାଚ୍ ଅଧାରୁ ବର୍ଷା ହେଲେ ରିଜର୍ବ ଡେ’ ଘୋଷଣା କରାଯାଇ ସୋମବାର ମ୍ୟାଚ୍ ପୁଣି ଥରେ ଖେଳାଯିବ।

Advertisment

ତେବେ ଦୀର୍ଘ ୫ ବର୍ଷ ହେବ ଭାରତୀୟ କ୍ରିକେଟ୍‌ ଦଳ କୌଣସି ବହୁ ରାଷ୍ଟ୍ରୀୟ ଟ୍ରଫି ବିଜେତା ହୋଇପାରିନି। ଶେଷ ଥର ପାଇଁ ଭାରତ ୨୦୧୮ରେ ଏସିଆ କପ୍ ଏବଂ ୨୦୧୧ରେ ଦିନିକିଆ ବିଶ୍ବକପ୍‌ ଜିତିଥିଲା। ବିଗତ ୫ ବର୍ଷ ଭିତରେ ୨୦୧୯ ଦିନିକିଆ ବିଶ୍ବକପ୍‌ ସେମିଫାଇନାଲ୍, ୨୦୧୯ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ (ବନାମ ନ୍ୟୁଜିଲାଣ୍ଡ୍‌), ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌, ୨୦୨୩ ଆଇସିସି ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ (ବନାମ ଅଷ୍ଟ୍ରେଲିଆ)ରେ ଅଟକି ଭାରତ ଟ୍ରଫି ହାତେଇବାର ସୌଭାଗ୍ୟରୁ ବଞ୍ଚିତ ରହିଛି। ଏହି ବ୍ୟର୍ଥତାଭରା ଧାରାକୁ ଭାଙ୍ଗିବା ପାଇଁ ଭାରତ ସମ୍ମୁଖରେ ଆଜି ସୁଯୋଗ ରହିଛି।

ଘରୋଇ ପରିବେଶରେ ଶ୍ରୀଲଙ୍କା ଏକ ଶକ୍ତିଶାଳୀ ଦଳ ଭାବେ ପ୍ରମାଣିତ କରିଥିବାରୁ ଭାରତ ପାଖରେ ମଧ୍ୟ ଆହ୍ବାନ ରହିବ। ଉଭୟ ଦଳ ପାଇଁ ବିଶେଷ କରି ଭାରତ ପାଇଁ ବିଶ୍ବକପ୍‌ ପୂର୍ବରୁ ଏସିଆ କପ୍‌ ବିଜୟ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ ‌‌ହୋଇଛି। କାରଣ ଟ୍ରଫି ବିଜୟ ନିଶ୍ଚିତ ଖେଳାଳିଙ୍କ ମନୋବଳକୁ ବଢ଼ାଇବ। ଗତବର୍ଷ ଅନୁଷ୍ଠିତ ଏସିଆ କପ୍‌ ସୁପର୍‌ ଫୋର୍‌ ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ପାକିସ୍ତାନଠାରୁ ହାରିଯିବାରୁ ଭାରତ ଆଗକୁ ବଢ଼ିପାରିନଥିଲା। ଅବଶ୍ୟ ଗତବର୍ଷର ସଂସ୍କରଣ ଟ୍ବେଣ୍ଟି-୨୦ ଫର୍ମାଟରେ ଖେଳାଯାଇଥିଲା। ଏବେ ବିଶ୍ବକପ୍‌ ପୂର୍ବରୁ ଏସିଆ କପ୍ ଜିତିବା ରାହୁଲ ଦ୍ରାବିଡ଼ ଓ ରୋହିତ ଶର୍ମାଙ୍କ ଦଳ ପାଇଁ ସମ୍ମାନର ପ୍ରଶ୍ନ ନେଇ ଆସିଛି। ଘରୋଇ ମାଟିରେ କ୍ରମାଗତ ୧୫ ଦିନିକିଆ ମ୍ୟାଚ୍‌ରେ ବିଜୟୀ ଶ୍ରୀଲଙ୍କା ଏସିଆ କପ୍‌ ଜିତିଲେ ଭାରତ ସହ ୭ ଥର ଟ୍ରଫି ଜିତିବା ରେକର୍ଡର ସମକକ୍ଷ ହୋଇପାରିବ।