ଦୁବାଇ: ଏସିଆ କପ୍ର ସୁପର ଟକ୍କର ମୁକାବିଲାରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ ହରାଇ ୨୩୭ ରନ୍ ସଂଗ୍ରହ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ମ୍ୟାଚରେ ଟସ୍ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବୋଲିଂ କରିଥିଲା। ଭାରତକୁ ମ୍ୟାଚ ବିଜୟ ପାଇଁ ୨୩୮ରନ୍ ଟାର୍ଗେଟ ମିଳିଛି।
ପାକିସ୍ତାନ ୨୩୪ ରନ୍ରେ ସାଦବ ଖାନ୍ଙ୍କୁ ହରାଇଥିଲା। ସାଦବ ୧୬ଟି ବଲ ଖେଳି ୧୪ ରନ୍ ସଂଗ୍ରହ କରିବା ପରେ ଯଶପ୍ରୀତ ବୁମାରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏଥିରେ ଗୋଟିଏ ଚୌକା ସାମିଲ ଥିଲା।
ପାକିସ୍ତାନ ୧୬୫ ରନ୍ରେ ଅଧିନାୟକ ସର୍ଫରାଜ ଅହମଦଙ୍କୁ ହରାଇଥିଲା। କୁଲଦୀପ ଯାଦବଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ ଦେଇ ସର୍ଫରାଜ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ୬୬ ବଲ୍ ଖେଳି ୪୪ ରନ୍ ଯୋଡ଼ିଥିଲେ। ଏଥିରେ ୨ଟି ଚୌକା ସାମିଲ ଥିଲା। ଭାରତର ୫ମ ଶିକାର ହୋଇଥିଲେ ସୋଏବ ମଲ୍ଲିକ(୭୮)। ୯୦ଟି ବଲ ଖେଳି ସେ ୪ଟି ଚୌକା ଓ ୨ଟି ଛକା ମାରିବା ପରେ ଯଶପ୍ରୀତ ବୁମାରଙ୍କ ବଲକୁ ଓ୍ଵିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ସୋଏବ ଆଉଟ୍ ହେବା ବେଳକୁ ପାକିସ୍ତାନର ସ୍କୋର ୨୦୩ ରନ୍ ଥିଲା। ସ୍କୋର ୨୧୧ ରନ୍ରେ ଆସିଫ ଅଲି ୨୧ଟି ବଲ ଖେଳି ଆଉଟ୍ ହୋଇଥିଲେ। ସେ ୩୦ ରନ୍ ସଂଗ୍ରହ କରିବା ପରେ ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ ଫେରିଥିଲେ। ଏଥିରେ ସେ ଗୋଟିଏ ଚୌକା ଓ ୨ଟି ଛକା ମାରିଥିଲେ।
ପ୍ରଥମ ୮ ଓଭର ଭଲ ରନ ସଂଗ୍ରହ ହୋଇ ନଥିଲେ ମଧ୍ୟ ପାକିସ୍ତାନ କୌଣସି ଓ୍ଵିକେଟ ହରାଇ ନଥିଲା। ସ୍କୋର ୨୪ ରନ୍ ଥିବା ବେଳେ ଇମାମ ଉଲ୍ ହକ୍(୧୦) ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଏଲ୍ବିଡବ୍ଲୁ ହୋଇଥିଲେ। ସେ ୨୦ଟି ବଲ ଖେଳି ୨ଟି ଚୌକା ମାରିଥିଲେ। ଭାରତର ୨ୟ ଶିକାର ହୋଇଥିଲେ ଫାକର ଜମାନ(୩୧)। କୁଲଦୀପ ଯାଦବଙ୍କ ଦ୍ୱାରା ଏଲବିଡବ୍ଲୁ ହେବା ପୂର୍ବରୁ ବାବାର ୪୪ଟି ବଲ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ଜମାଇଥିଲେ। ସେତେବେଳକୁ ସ୍କୋର ୫୫ ରନ୍ରେ ପହଞ୍ଚି ସାରିଥିଲା। ପାକିସ୍ତାନ ୩ୟ ଓ୍ଵିକେଟରେ ବାବର ଆଜମ(୯)ଙ୍କୁ ହରାଇ ଥିଲା। ୨୫ଟି ବଲ ଖେଳିଥିବା ଆଜମ ରବୀନ୍ଦ୍ର ଜାଦେଜା ଓ ଚହଲଙ୍କ ଦ୍ୱାରା ରନ ଆଉଟ ହୋଇ ପାଭଲିଅନ ଫେରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/Asia-Cup-India-bowl-2.jpg)