ଦୁବାଇ: ଏସିଆ କପ୍ ବେଳେ ଦୁଇଟି ମ୍ୟାଚ୍‌ରେ ଭାରତର ରାଫେଲ ଜାହାଜ ଖସାଇବା ଭଳି ଅଶାଳୀନ ଇଙ୍ଗିତ କରି ତୀବ୍ର ସମାଲୋଚିତ ହୋଇଥିବା ପାକିସ୍ତାନୀ ବୋଲର ହାରିସ ରୌଫଙ୍କୁ ଆଇସିସି ଦୁଇଟି ମ୍ୟାଚ୍‌ରୁ ବାସନ୍ଦ କରିଛି। ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ସେପ୍ଟେମ୍ବର ୧୪, ୨୧ ଓ ୨୮ ତାରିଖକୁ ଲମ୍ବିଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ରାଜନୈତିକ କଥା ଉଠାଇବା ଏବଂ ଏସିଆ କପ୍ ବିଜୟକୁ ଭାରତୀୟ ସେନା ବାହିନୀକୁ ଖୋଲାଖୋଲି ଭାବେ ସମର୍ପଣ କରିବା ନେଇ ଦୋଷୀ ସାବ୍ୟସ୍ତ ହେବା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ମ୍ୟାଚ୍ ପାଉଣାର ୩୦ ପ୍ରତିଶତ କଟିବା ସହ ତାଙ୍କୁ ଦୁଇଟି ଡିମେରିଟ୍ ପଏଣ୍ଟ୍ ମିଳିଛି। 

Advertisment

ଭାରତରେ ହୋଇଥିବା ପହଲଗାମ ଆତଙ୍କବାଦ ଆକ୍ରମଣକୁ ତାଛଲ୍ୟ କରି ଏକେ-୪୭ ଚଳାଇବାର ସଙ୍କେତ ଦେଖାଇଥିବା ପାକିସ୍ତାନୀ ଓପନର୍ ସାହିବଜାଦା ଫରହାନ କେବଳ ଚେତାବନୀରେ ଖସି ଯାଇଛନ୍ତି। ତାଙ୍କୁ କିନ୍ତୁ ଗୋଟିଏ ଡି ମେରିଟ୍ ପଏଣ୍ଟ ମିଳିଛି। ପାକିସ୍ତାନୀ ଖେଳାଳିଙ୍କୁ ଜବାବ ଦେବାକୁ ଯାଇ ସେପ୍ଟେମ୍ବର ୨୧ର ନକ୍‌ଆଉଟ୍ ପର୍ଯ୍ୟାୟ ମ୍ୟାଚ୍‌ରେ ୱିକେଟ୍ ନେବା ପରେ ଜାହାଜ ଖସିଲା ଭଳି ସଙ୍କେତ ଦେଖାଇଥିବାରୁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଆନୁଷ୍ଠାନିକ ଚେତାବନୀ ପାଇବା ସହ ଗୋଟିଏ ଡିମେରିଟ୍ ପଏଣ୍ଟ୍ ଲାଭ କରିଛନ୍ତି। ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ବିରୋଧରେ କୌଣସି ପ୍ରମାଣ ନମିଳିବାରୁ ସେ ଦୋଷମୁକ୍ତ ହୋଇଛନ୍ତି।