ଢାକା: ଦୁଇ ଥର ବିଜେତା ଭାରତ ଚଳିତ ଏସିଆ କପ୍ ହକିରେ ପୁଣି ଏକ ବଡ଼ ବିଜୟ ହାସଲ କରିଛି। ପୁଲ୍-ଏର ଉଦ୍ଘାଟନୀ ମୁକାବିଲାରେ ଜାପାନକୁ ୫-୧ରେ ପରାସ୍ତ କରିଥିବା ଭାରତ ଶୁକ୍ରବାର ନିଜର ଦ୍ୱିତୀୟ ମ୍ୟାଚ୍ରେ ଆୟୋଜକ ବାଂଲାଦେଶକୁ ୭-୦ ଗୋଲ୍ରେ ପରାସ୍ତ କରିଦେଇଛି। ଜାପାନ ବିପକ୍ଷ ମ୍ୟାଚ୍ ଭଳି ବାଂଲାଦେଶ ବିପକ୍ଷରେ ମଧ୍ୟ ହର୍ମନ୍ପ୍ରିତ୍ ସିଂହ ପୁଣି ୨ ଗୋଲ୍ କରିଥିଲେ। ଏଥି ସହିତ କ୍ରମାଗତ ଦ୍ୱିତୀୟ ସହଜ ବିଜୟ ହାସଲ କରି ଭାରତ ମଧ୍ୟ ପଏଣ୍ଟ୍ ତାଲିକାର ଶୀର୍ଷରେ ପହଞ୍ଚିଯାଇଛି। ଦୁଇ ମ୍ୟାଚ୍ରୁ ୨ ବିଜୟ ସହ ଭାରତ ମୋଟ ୬ ପଏଣ୍ଟ୍ ପାଇଛି। ଏହି ଦୁଇଟି ମ୍ୟାଚ୍ରେ ମୋଟ ୧୨ ଗୋଲ୍ ଦେଇସାରିଥିବା ଭାରତ ବିପକ୍ଷରେ ଗୋଟିଏ ଗୋଲ୍ ବରଣ କରିଛି। ଦଳର ପ୍ରଦର୍ଶନରେ ନୂଆ ପ୍ରଶିକ୍ଷକ ଜୋର୍ଡ୍ ମାରିନ୍ ଖୁବ୍ ଖୁସୀ ଅଛନ୍ତି। ଆସନ୍ତା ରବିବାର ଭାରତ ତା’ର ତୃତୀୟ ତଥା ଶେଷ ପୁଲ୍ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।
ଶୁକ୍ରବାର ମ୍ୟାଚ୍ ଆରମ୍ଭରୁ ହିଁ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଥିଲେ। ଫଳରେ ପ୍ରଥମାର୍ଧ ଶେଷ ବେଳକୁ ଭାରତ ୫ ଗୋଲ୍ ବାଂଲାଦେଶ ଉପରେ ଲଦି ଦେଇଥିଲା। ପ୍ରଥମ କ୍ୱାର୍ଟରରେ ୩ଟି ଗୋଲ୍ ଦେଇଥିଲା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଦୁଇଟି ଗୋଲ୍ ଦେଇଥିଲା। ପ୍ରଥମାର୍ଧ ଶେଷ ହେବାର ୫ ମିନିଟ୍ ପୂର୍ବରୁ ଓଡ଼ିଆ ତାରକା ଅମିତ୍ ରୋହିଦାସଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ସେ ନିଜ ଷ୍ଟିକ୍ରେ ପ୍ରତିପକ୍ଷ ଖେଳାଳିଙ୍କୁ ପ୍ରତିରୋଧ କରିଥିବାରୁ ରେଫରି ତାଙ୍କୁ ସବୁଜ (ଗ୍ରିନ୍) କାର୍ଡ ଦେଖାଇଥିଲେ। ଫଳରେ ଭାରତ ପ୍ରଥମାର୍ଧର ଶେଷ ୫ ମିନିଟ୍ ୧୦ ଜଣରେ ଖେଳିଥିଲା। ତେବେ କୋଠାଲଜିତ୍ଙ୍କ ସ୍ଥାନରେ ଦ୍ୱିତୀୟ କ୍ୱାର୍ଟରରେ ପଡ଼ିଆକୁ ଆସିଥିବା ଅମିତ୍ ରୋହିଦାସ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ କ୍ୱାର୍ଟରରେ ୩-୦ରେ ଆଗୁଆ ଥିବା ଭାରତ ପାଇଁ ଦ୍ୱିତୀୟ କ୍ୱାର୍ଟରରେ ପ୍ରଥମ ଗୋଲ୍ ଦେଇ ଅମିତ୍ ରୋହିଦାସ ବ୍ୟବଧାନ ୪-୦କୁ ବୃଦ୍ଧି କରିଥିଲେ। ଚଳତି ଏସିଆ କପ୍ରେ ଅମିତ୍ ରୋହିଦାସଙ୍କର ଏହା ବ୍ୟକ୍ତିଗତ ପ୍ରଥମ ଗୋଲ୍ ମଧ୍ୟ ଥିଲା। ପ୍ରଥମ କ୍ୱାର୍ଟରରେ ଗୁର୍ଜାଣ୍ଟ୍ ସିଂହ (ସପ୍ତମ ମିନିଟ୍) ଭାରତ ପକ୍ଷରୁ ଗୋଲ୍ ଅଭିଯାନ ଆରମ୍ଭ କରିଥିଲା ବେଳେ ୧୦ମ ମିନିଟ୍ରେ ଆକାଶଦୀପ୍ ସିଂହ ଓ ୧୩ ମିନିଟ୍ରେ ଲଲିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଅମିତ୍ ରୋହିଦାସ (୨୦ ମିନିଟ୍)ଙ୍କ ପରେ ହର୍ମନ୍ପ୍ରିତ୍ ସିଂହ (୨୮ ମିନିଟ୍) ଗୋଲ୍ କରିଥିଲା ବେଳେ ତୃତୀୟ କ୍ୱାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ତେବେ ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ରମଣଦୀପ୍ ସିଂହ (୪୬ ମିନିଟ୍) ଓ ପୁଣି ହର୍ମନ୍ପ୍ରିତ୍ ସିଂହ (୪୭ ମିନିଟ୍)ଙ୍କ ଗୋଲ୍ ଭାରତର ବ୍ୟବଧାନ ୭-୦ରେ ପହଞ୍ଚାଇଥିଲା। ଆୟୋଜକ ବାଂଲାଦେଶ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କଲା। ପ୍ରଥମ ମ୍ୟାଚ୍ରେ ପାକିସ୍ତାନଠୁ ୭-୦ରେ ହାରିଥିବା ବାଂଲାଦେଶ ଦ୍ୱିତୀୟ ମ୍ୟାଚ୍ରେ ବି ଭାରତଠୁ ସମାନ (୭-୦) ବ୍ୟବଧାନରେ ହାରିଗଲା।
ପୁଲ୍-ଏର ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନ ୨-୨ ଗୋଲ୍ରେ ଜାପାନ ସହ ମ୍ୟାଚ୍ ଅମୀମାଂସିତ ରଖିଛି। ନିଜର ପ୍ରଥମ ମ୍ୟାଚ୍ ଆୟୋଜକ ବାଂଲାଦେଶକୁ ୭-୦ରେ ପରାସ୍ତ କରିଥିଲା ବେଳେ ଜାପାନ ସହ ପଏଣ୍ଟ୍ ବାଣ୍ଟିବାକୁ ବାଧ୍ୟ ହୋଇଥିଲା। ପାକିସ୍ତାନ ପକ୍ଷରୁ ଆବୁ ମହମ୍ମଦ ୩ (୧୮, ୪୧, ୫୦ ମିନିଟ୍), ଅମଦ୍ ବଟ୍ (୩୩, ୪୭ ମିନିଟ୍) ଓ ମହମ୍ମଦ ଆର୍ସଲାନ୍ କାଦିର (୧୬ ମିନିଟ୍) ଓ ମହମ୍ମଦ ଉମର ଭୁଟ୍ଟ (୫୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲା ବେଳେ ଜାପାନ ପକ୍ଷରୁ କେଣ୍ଟା ଟନକା (୨୨ ମିନିଟ୍) ଓ ହିତା ୟୋସିହାରା (୨୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ପ୍ରଥମ କ୍ୱାର୍ଟର ଗୋଲ୍ ଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟରରେ ହିଁ ତିନିଟି ଗୋଲ୍ ହୋଇଥିଲା। ଫଳରେ ପ୍ରଥମାର୍ଧ ସୁଦ୍ଧା ଜାପାନ ୨-୧ରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ଜାପାନ ଅଗ୍ରଣୀ ରହିଥିଲା ବେଳେ ଚତୁର୍ଥ କ୍ୱାର୍ଟରରେ ହିଁ ଭୁଟ୍ଟଙ୍କ ଗୋଲ୍ ପାକିସ୍ତାନକୁ ପରାଜୟରୁ ରକ୍ଷା କରିଦେଇଥିଲା।