ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଖେଳାଯିବାକୁ ଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଭେନ୍ୟୁକୁ ନେଇ ଅନିଶ୍ଚିତତା ଜାରି ରହିଥିବାବେଳେ ଆସନ୍ତା ସପ୍ତାହରେ ଏହା ଚୂଡାନ୍ତ ହୋଇଯିବ ବୋଲି ଆଶା କରାଯାଉଛି। ପାକିସ୍ତାନ ଏହି ମହାଦେଶୀୟ ପ୍ରତିଯୋଗିତାର ଆୟୋଜକ ଥିବାବେଳେ ଭାରତୀୟ ଦଳ ସେଠାକୁ ଯିବାକୁ ନାରାଜ ଥିବାରୁ ବିବାଦ ଲାଗି ରହିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏକ ହାଇବ୍ରିଡ୍ ମଡେଲ୍ ପ୍ରସ୍ତାବ ଦେଇ ଏସୀୟ କ୍ରିକେଟ୍ ପରିଷଦ (ଏସିସି)ଠାରୁ ସବୁଜ ସଙ୍କେତ ଅପେକ୍ଷାରେ ରହିଛି। ପାକିସ୍ତାନ ନିଜ ମାଟିରେ ଏବଂ ଭାରତ ୟୁଏଇରେ ଖେଳୁ ବୋଲି ପ୍ରସ୍ତାବ ଦେଇଛି। ଏହାକୁ ଏସିସି ଗ୍ରହଣ କରିପାରିନାହିଁ।
ଏସିସିର ଅନ୍ୟତମ ସଦସ୍ୟ ରାଷ୍ଟ୍ର ଭାବେ ଶ୍ରୀଲଙ୍କା କ୍ରିକେଟ୍ର ନବନିର୍ବାଚିତ ସଭାପତି ସାମ୍ମି ସିଲଭା ଆଇପିଏଲ୍ ପ୍ଲେ ଅଫ୍ ପାଇଁ ବିସିସିଆଇ ଦ୍ବାରା ଭାରତ ନିମନ୍ତ୍ରିତ ହୋଇଥିବାରୁ ସେହି ଅବସରରେ ଏସିଆ କପ୍ ଭାଗ୍ୟ ନିର୍ଣ୍ଣୟ ହୋଇଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏସିଆ କପ୍ ସମ୍ପୂର୍ଣ୍ଣ ଭାବେ ଏକ ନିରପେକ୍ଷ ସ୍ଥାନରେ ହେଉ ବୋଲି ଭାରତ ସହିତ ଶ୍ରୀଲଙ୍କା ଓ ବାଂଲାଦେଶ ଚାହୁଁଥିବାରୁ ପିସିବି ମଧ୍ୟ ଅଡ଼ୁଆ ପରିସ୍ଥିତିରେ ରହିଛି। ଭାରତ ଯଦି ପାକିସ୍ତାନକୁ ଏସିଆ କପ୍ ଖେଳିବାକୁ ଆସିବ ନାହିଁ ତେବେ ଆମେ ଚଳିତ ବର୍ଷର ଦିନିକିଆ ବିଶ୍ବକପ୍ ଖେଳିବାକୁ ଭାରତ ଯିବୁ ନାହିଁ ବୋଲି ମଧ୍ୟ ପିସିବି ବାରମ୍ବାର ଧମକ ଦେଇ ଚାଲିଛି। ସେପ୍ଟେମ୍ବରରେ ଏସିଆ କପ୍ ଖେଳାଯିବା ପରେ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ବକପ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।