ଏସିଆ କପ୍ ଉତ୍ସାହକୁ ଦ୍ବିଗୁଣିତ କରୁଛି: ଭାରତ-ପାକିସ୍ତାନ ମହାମୁକାବିଲା
ହଂକଂକୁ ଏସିଆ କପ୍ ଯୋଗ୍ୟତା: ଭାରତ ଓ ପାକିସ୍ତାନକୁ ଭେଟିବ
ଦୁବାଇ: ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ପଞ୍ଚଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ। ଟ୍ବେଣ୍ଟି-୨୦ ଭିତ୍ତିରେ ଖେଳାଯିବାକୁ ଥିବା ଏହି ୬ ରାଷ୍ଟ୍ରୀୟ ପ୍ରତିଯୋଗିତାର ପ୍ରଥମ ଦିନରେ ଶ୍ରୀଲଙ୍କାକୁ ଆଫ୍ଗାନିସ୍ତାନ ଭେଟିବ। ତେବେ ଦ୍ବିତୀୟ ଦିନ ଅର୍ଥାତ୍ ରବିବାର ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି। ସମସ୍ତଙ୍କ ନଜର ଏହି ମହାଲଢ଼େଇ ଉପରେ ରହିଛି। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ପାଖାପାଖି ଗୋଟିଏ ବର୍ଷର ବ୍ୟବଧାନ ପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଗତ ମୁକାବିଲାକୁ ପାକିସ୍ତାନ ଏକତରଫା ଭାବେ ୧୦ ୱିକେଟ୍ରେ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ‘ପ୍ରତିଶୋଧର ଲଢ଼େଇ’ ଆଖ୍ୟା ଦେଇଛନ୍ତି। ତେବେ ସବୁଠାରୁ ମହତ୍ବପୂର୍ଣ୍ଣ କଥା ହେଲା ଏହି ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ଦୁଇସପ୍ତାହ ମଧ୍ୟରେ ୩ ଥର ଭେଟାଭେଟି ହେବାର ସମ୍ଭାବନା ରହିଛି। ଯାହାକୁ ନେଇ କ୍ରିକେଟ୍ପ୍ରେମୀ ସର୍ବାଧିକ ଉଲ୍ଲସିତ ଅଛନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତବର୍ଷ ଯେଉଁ ଷ୍ଟାଡିୟମ୍ରେ ପାକିସ୍ତାନଠାରୁ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଥିଲା, ସେହିଠାରେ ହିଁ ରବିବାର ମ୍ୟାଚ୍ ଖେଳାଯିବାର ଅଛି।
ଖେଳିଛନ୍ତି ୯ ମ୍ୟାଚ୍; ଭାରତ ଜିତିଛି ୬, ପାକିସ୍ତାନ ଜିତିଛି ୨, ଟାଇ-୧ (ବୋଲ୍-ଆଉଟ୍ରେ ଭାରତ ବିଜୟୀ)
ଟିମ୍ ଇଣ୍ଡିଆ ପ୍ରଶଂସକଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ପାରୁପର୍ଯ୍ୟନ୍ତ ଲଢ଼ିବ ବୋଲି ଅଧିନାୟକ ରୋହିତ ଶର୍ମା ଏହି ପ୍ରତୀକ୍ଷିତ ମ୍ୟାଚ୍ର ଦିନକ ପୂର୍ବରୁ କହିଛନ୍ତି। ‘‘ସମସ୍ତେ ଏହି ମ୍ୟାଚ୍ (ଭାରତ-ପାକିସ୍ତାନ) ଦେଖନ୍ତି। ନିଶ୍ଚିତ ଭାବେ ଏହା ଉଚ୍ଚ ଚାପ ବିଶିଷ୍ଟ ମୁକାବିଲା। ତେବେ ଦଳ ଭିତରର ବାତାବରଣକୁ ସ୍ବାଭାବିକ ରଖିବାକୁ ଆମେ ପ୍ରୟାସ କରୁଛୁ। ଏହି ମ୍ୟାଚ୍କୁ ଅଧିକ ଚର୍ଚ୍ଚିତ କରିବାକୁ ଆମେ ଚାହୁନାହୁ। ଖେଳାଳିମାନଙ୍କୁ ପାକିସ୍ତାନକୁ ଅନ୍ୟତମ ପ୍ରତିପକ୍ଷ ଭାବେ ଦେଖିବାକୁ ଆମେ ପରାମର୍ଶ ଦେଉଛୁ।’’ ବୋଲି ଏକ ସାକ୍ଷାତକାରରେ ମତ ରଖିଛନ୍ତି ରୋହିତ।
କୋହଲିଙ୍କ ଶତକୀୟ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦
ଏକଦା ବିଶ୍ବର ଶ୍ରେଷ୍ଠ ବ୍ୟାଟର୍ ବୋଲାଉଥିବା ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଭଳି ମହାନ ଖେଳାଳିଙ୍କ ଉତ୍ତରାଧିକାରୀ ବିବେଚିତ ହେଉଥିବା ବିରାଟ କୋହଲି ଦେଢ଼ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିବେ। ଏଣୁ ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଫର୍ମକୁ ଫେରିବା ଲାଗି ତାଙ୍କ ପାଇଁ ଏସିଆ କପ୍ ବଳିଷ୍ଠ ମଞ୍ଚ ହେବ। ଗତ ତିନି ବର୍ଷ ହେବ ତିନି ଅଙ୍କ ଛୁଇଁ ପାରିନଥିବା କୋହଲି କ୍ରିକେଟ୍ର ତିନିଟି ଯାକ ଫର୍ମାଟ୍ରେ ଲଗାତାର ବିଫଳ ହୋଇଚାଲିଛନ୍ତି। ରବିବାର ମ୍ୟାଚ୍ ମଧ୍ୟ ତାଙ୍କ ଖେଳ ଜୀବନର ଶତକୀୟ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ହେବ। ଯାହାକୁ ସ୍ମରଣୀୟ କରିବାକୁ ନିଶ୍ଚିତ ଭାବେ ଚାହିବେ ସେ। ନେଟ୍ସରେ କୋହଲି ଭଲ ବ୍ୟାଟିଂ କରୁଛନ୍ତି। ହେଲେ ଏହି ଫର୍ମକୁ ତାଙ୍କୁ ମ୍ୟାଚ୍ ଦିନ ପଡ଼ିଆ ଭିତରେ ଦେଖାଇବାକୁ ପଡ଼ିବ। ଅନ୍ୟପକ୍ଷରେ ପାକିସ୍ତାନ ମୁଖ୍ୟତଃ ତା’ର ତାରକା ଅଧିନାୟକ ବାବର ଆଜମଙ୍କ ଉପରେ ନିର୍ଭରଶୀଳ ରହିବ। ୨୭ ବର୍ଷୀୟ ବାବର ଉଭୟ ଆଇସିସି ଦିନିକିଆ ଓ ଟ୍ବେଣ୍ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି। ଗତବର୍ଷ ତାଙ୍କ ଅଧିନାୟକତ୍ବରେ ଭାରତକୁ ପାକିସ୍ତାନ ଧୂଳି ଚଟାଇଥିଲା। ଏହି ମ୍ୟାଚ୍ରେ ବ୍ୟକ୍ତିଗତ ଭାବେ ସେ ମଧ୍ୟ ୬୮ ରନ୍ର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ଉଭୟ ଦଳ କିନ୍ତୁ ନିଜ ନିଜର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଏବଂ ସାହିନ ସାହ ଆଫ୍ରିଦିଙ୍କ ସେବାରୁ ବଞ୍ଚିତ ହେବେ। ଆଫ୍ରିଦିଙ୍କ ସ୍ଥାନରେ ପାକିସ୍ତାନ ମହମ୍ମଦ ହସନୈନଙ୍କୁ ଦଳରେ ନେଇଛି। ସେପଟେ ନିୟମିତ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ କୋଭିଡ୍ ପଜିଟିଭ୍ ହେବା ପରେ ସଙ୍କଟମୋଚକ ଭିଭିଏସ୍ ଲକ୍ଷ୍ମଣଙ୍କୁ ଭାରତ ତା’ର ମଧ୍ୟବର୍ତ୍ତୀକାଳୀନ ପ୍ରଶିକ୍ଷକ ନିଯୁକ୍ତ କରିଛି।
ହଂକଂକୁ ଏସିଆ କପ୍ ଯୋଗ୍ୟତା: ଭାରତ ଓ ପାକିସ୍ତାନକୁ ଭେଟିବ
ମସ୍କଟ୍: ଆସନ୍ତା ୨୭ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବା ଏସିଆ କପ୍ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ପାଇଁ ଷଷ୍ଠ ତଥା ଶେଷ ଦଳ ଭାବେ ହଂକଂ ଯୋଗ୍ୟତା ହାସଲ କରିଛି। ୨୦ ତାରିଖରୁ ଚାଲିଥିବା ଯୋଗ୍ୟତାପର୍ଯ୍ୟାୟରେ ବିଜେତା ହୋଇ ହଂକଂ ଏସିଆ କପ୍ ମୁଖ୍ୟ ପ୍ରତିଯୋଗିତାରେ ସାମିଲ ହୋଇଛି। ଏହି ଦଳ ଗ୍ରୁପ୍-ଏ’ରେ ଦୁଇ ଶକ୍ତିଶାଳୀ ଭାରତ ଓ ପାକିସ୍ତାନକୁ ଭେଟିବ। ଅଗଷ୍ଟ ୩୧ ତାରିଖରେ ନିଜର ପ୍ରଥମ ମ୍ୟାଚ୍ରେ ଭାରତକୁ ଭେଟିବ ହଂକଂ। ଏହାପରେ ସେପ୍ଟେମ୍ବର ୨ ତାରିଖରେ ପାକିସ୍ତାନ ସହ ଖେଳି ଗ୍ରୁପ୍ ପର୍ଯ୍ୟାୟ ଅଭିଯାନ ଶେଷ କରିବ।
ଯୋଗ୍ୟତାପର୍ଯ୍ୟାୟର ବୁଧବାର ରାତି ଫାଇନାଲ୍ ମ୍ୟାଚ୍ରେ ହଂକଂ ୮ ୱିକେଟ୍ରେ ୟୁଏଇକୁ ପରାସ୍ତ କରି ବିଜେତା ଆଖ୍ୟା ଅର୍ଜନ କରିଥିଲା। ଫାଇନାଲ୍ରେ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ କରିଥିଲା ୟୁଏଇ। ୧୪୮ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ହଂକଂ ଗୋଟିଏ ଓଭର ପୂର୍ବରୁ ୨ ୱିକେଟ୍ ବିନିମୟରେ ମ୍ୟାଚ୍ ଜିତି ନେଇଥିଲା। ୟାସିମ ମୁର୍ତାଜା ବିଜୟୀ ଦଳ ପକ୍ଷରୁ ସର୍ବାଧିକ ୫୮ ରନ୍ କରିଥିଲେ। ସେ ୪୩ ବଲ୍ରୁ ୭ ଚୌକା ଓ ଗୋଟିଏ ଛକା ବଳରେ ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତେବେ ବୋଲିଂରେ କମାଲ କରି ୨୪ ରନ୍ରେ ୪ ୱିକେଟ୍ ଅକ୍ତିଆର କରିଥିବା ୩୭ ବର୍ଷ ବୟସ୍କ ସ୍ପିନର ଏହସାନ ଖାନ୍ ଫାଇନାଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେ ୟୁଏଇର ଦୁଇ ସର୍ବାଧିକ ସ୍କୋରର୍ ଅଧିନାୟକ ଚୂଡାଙ୍ଗାପୋଇଲ ରିଜ୍ୱାନ (୪୯) ଓ ଜୱାର ଫରିଦ (୪୧)ଙ୍କୁ ଆଉଟ୍ କରିଥିଲେ।