ଦୁବାଇ: ଏପର୍ଯ୍ୟନ୍ତ ବିଜୟ ଜାରି ରଖିଥିବା ଭାରତୀୟ ଟିମ୍ ଶୁକ୍ରବାର ବାଲାଂଦେଶକୁ ପରାସ୍ତ କରି ୭ମ ଥର ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛି। ବାଂଲାଦେଶ ବିରୋଧରେ ଭାରତକୁ ସାବଧାନର ସହିତ ଖେଳିବାକୁ ହେବ। କାରଣ ବାଲାଂଦେଶ ସୁପର-୪ ମୁକାବିଲାରେ ବୁଧବାର ପାକିସ୍ତାନକୁ ପରାସ୍ତ କରିଛି। ଏସିଆ କପ୍ର ଫାଇନାଲ ମ୍ୟାଚ୍ ଶୁକ୍ରବାର ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ।
ଭାରତ ଏପର୍ଯ୍ୟନ୍ତ ୬ ଥର ଏସିଆ କପ୍ର ଅଧିକାରୀ ହୋଇଥିବା ବେଳେ ବାଂଲାଦେଶ ୨ ଥର ଜିତିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବା ନୂଆ ନୁହେଁ, ମାତ୍ର ମ୍ୟାଚ ଯିଏ ଜିତିବ ପୁଣି ଥରେ ଇତିହାସରେ ଏକ ପୃଷ୍ଠା ଯୋଡ଼ିବ। ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବିନା ଭାରତ ଟୁର୍ଣ୍ଣାମେଣ୍ଟ ଜିତିବା ବଡ଼ ଅନୁଭୂତି ହେବ। କାରଣ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱ କପ୍ ପୂର୍ବରୁ ଏସିଆ କପ୍ ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ। ଏଥି ସହିତ ଇଂଲଣ୍ଡ ଠାରୁ ହାରିଥିବା ଦ୍ୱିପାକ୍ଷୀକ ଶୃଙ୍ଖଳାର ଯନ୍ତ୍ରଣା ମଧ୍ୟ କମିଯିବ।
ଫାଇନାଲ ପୂର୍ବରୁ ବାଂଲାଦେଶର କିଛି ପ୍ରମୁଖ ଖେଳାଳି ସାମାନ୍ୟ ଆଘାତ ପାଇଛନ୍ତି। ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ତମିମ ଇକବାଲଙ୍କ ହାତରେ ଆଘାତ ଲାଗିଛି। ସେହିଭଳି ସାକିବୁଲ ହାସନ ମଧ୍ୟ ଫାଇନାଲରେ ଖେଳିପାରିବେ ନାହିଁ। ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ତାଙ୍କର ଅପରେସନର ଆବଶକ୍ୟତା ପଡ଼ିପାରେ। ସେ ଜିମ୍ବାେଓ୍ଵ ସହିତ ଘରୋଇ ଶୃଙ୍ଖଳାରେ ମଧ୍ୟ ଖେଳିବାର ଆଶା କମ୍।
ଅନ୍ୟପକ୍ଷରେ ଆଫଗାନିସ୍ତାନ ବିପକ୍ଷରେ ଭାରତର ୫ଜଣ ମଜବୁତ ଖେଳାଳି ଖେଳି ନାହାନ୍ତି। ତିନି ଦିନ ବିଶ୍ରାମ ନେବା ପରେ ଏହି ୫ ଜଣ ଖେଳାଳି ଲଢୁଆ ମନୋଭାବ ନେଇ ପଡ଼ିଆରେ ଅବତ୍ତିର୍ଣ୍ଣ ହେବେ। ରୋହିତ ଶର୍ମା ଓ ଶିଖର ଧାଓ୍ଵନ୍ଙ୍କ ଯୋଡ଼ି ପୁଣି ଜମାଇବେ। ସେହିଭଳି ଯସପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ଯୁଜବେନ୍ଦ୍ର ଚହଲ ଭଲ ବୋଲିଂ କରିବେ।