ଗମ୍ଭୀରଙ୍କୁ ଅହମଦାବାଦ, ସୂର୍ଯ୍ୟଙ୍କୁ ମୁମ୍ବାଇରେ ଭବ୍ୟ ସ୍ବାଗତ
ମୁମ୍ବାଇ: ଏସିଆ ଦଖଲ ପରେ ବିଜେତା ଭାରତୀୟ କ୍ରିକେଟ୍ ଦଳର ବୀର ଯୋଦ୍ଧାମାନେ ମଙ୍ଗଳବାର ସ୍ବଦେଶ ଫେରିଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସଫଳ ସ୍ପିନର ତଥା ଏହି ଉତ୍ତେଜନାପ୍ରବଣ ପ୍ରତିଯୋଗିତାର ଶ୍ରେଷ୍ଠ ବୋଲର୍‌ କୁଲଦୀପ ଯାଦବଙ୍କ ସହ ଅହମଦାବାଦରେ ପହଞ୍ଚିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସିଧାସଳଖ ନିଜ ଘରୋଇ ସହର ମୁମ୍ବାଇରେ ଅବତରଣ କରିଥିଲେ। ଉଭୟ ସ୍ଥାନରେ ପ୍ରଶଂସକ, କ୍ରିକେଟ୍ ଅଧିକାରୀ ତଥା କ୍ରୀଡ଼ା ସଂଗଠନଗୁଡ଼ିକ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ହଜାର ହଜାର ଉଲ୍ଲସିତ ପ୍ରଶଂସକ ରାସ୍ତା ଉପରକୁ ଆସି ଗର୍ବରେ ତ୍ରିରଙ୍ଗା ଉଡ଼ାଇବା ସହ ଲଗାତାର ଭାରତୀୟ କ୍ରିକେଟ୍ ଦଳର ଜୟଗାନ କରୁଥିବା ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରିବା ଲାଗି ଲମ୍ବା ଧାଡ଼ିରେ ଛିଡ଼ା ହେବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଦିନ ତମାମ ଭାଇରାଲ୍ ହୋଇଥିଲା। ସୂର୍ଯ୍ୟ ଛତ୍ରପତି ଶିବାଜୀ ବିମାନବନ୍ଦରରୁ ନିଜ କଳା ଏସ୍‌ୟୁଭିରେ ଘରକୁ ଯାଉଥିଲା ବେଳେ ପ୍ରଶଂସକମାନେ ତାଙ୍କ ଉପରେ ପୁଷ୍ପ ବୃଷ୍ଟି ମଧ୍ୟ କରିଥିଲେ। ଅନ୍ୟ ଭାରତୀୟ ଖେଳାଳିମାନେ ମଧ୍ୟ ପର୍ଯ୍ୟାୟକ୍ର‌ମେ ଭାରତ ଫେରିବାର ଅଛି। ଅଧିକାଂଶ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ନିଜନିଜ ଘରୋଇ ସହରକୁ ଯାତ୍ରା କରିବେ। ସମସ୍ତଙ୍କ ଘରୋଇ ସହରରେ ମଧ୍ୟ ନିଜ ପ୍ରିୟ ଖେଳାଳିଙ୍କୁ ସ୍ବାଗତ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମମାନ ସ୍ଥିର କରାଯାଇଛି। ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ପାଇଁ ପ୍ରସ୍ତୁତି କରିବାକୁ ଗମ୍ଭୀର ଓ କୁଲଦୀପ ନିଜନିଜ ସହରକୁ ନଯାଇ ଅହମଦାବାଦ ଗସ୍ତ କରିଥିବା ଜଣାପଡ଼ିଛି। 

Advertisment

ଯୁବିଙ୍କ ସହ ଖୁସି ମନାଇଲେ ଅଭିଷେକ
ଏସିଆ କପ୍‌ରେ ସର୍ବାଧିକ ୩୧୪ ରନ୍ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଯୁବ ଭାରତୀୟ ଓପନର୍ ଅଭିଷେକ ଶର୍ମା ମାର୍ଗଦର୍ଶକ ତଥା ପୂର୍ବତନ ତାରକା ଅଲରାଉଣ୍ଡର୍ ଯୁବରାଜ ସିଂହଙ୍କ ସହ ବ୍ୟକ୍ତିଗତ ତଥା ଦଳଗତ ସଫଳତାର ଉତ୍ସବ ପାଳନ କରିଛନ୍ତି। ଯୁବରାଜଙ୍କ ସହ ଏକାଠି ଦୁବାଇରୁ ଚଣ୍ଡିଗଡ଼ ଫେରିବା ବେଳେ ନିଜ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଟ୍ରଫି ଧରି ତାଙ୍କ ସହ ଉଠାଇଥିବା ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ଅଭିଷେକ ପ୍ରଶଂସକଙ୍କୁ ଏହାର ଝଲକ ଦେଖାଇଛନ୍ତି। ଫଟୋ ତଳେ ଏହାର କୌଣସି ଶିରୋନାମ ଦରକାର ନାହିଁ ବୋଲି ମଜାଳିଆ ଢଙ୍ଗରେ ଲେଖିଛନ୍ତି। 
ସୂଚନାଯୋଗ୍ୟ ଯେ ଯୁବି ବହୁବର୍ଷ ହେବ ଅଭିଷେକଙ୍କୁ ପ୍ରଶିକ୍ଷଣ ଦେଇ ଆସୁଥିଲା ବେଳେ ତାଙ୍କୁ ଜଣେ ବିଶ୍ବସ୍ତରୀୟ ବ୍ୟାଟର୍‌ ଭାବେ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ତୁଲାଇ ଆସୁଛନ୍ତି। ଅଭିଷେକ ତାଙ୍କୁ ବଡ଼ଭାଇ ଓ ଗୁରୁ ମାନନ୍ତି। ଏସିଆ କପ୍‌ର ୭ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ କରି ଭାରତର ଟ୍ରଫି ବିଜୟରେ ନିର୍ଣ୍ଣାୟକ ଭୂମିକା ନେଇଥିବା ଅଭିଷେକ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଏକ ବିଳାଶପୂର୍ଣ୍ଣ ହାଭଲ ଏଚ୍୯ ଏସ୍‌ୟୁଭି ଗାଡ଼ି ସହ ୧୫,୦୦୦ ଡଲାରର ଆର୍ଥିକ ପୁରସ୍କାର ପାଇଛନ୍ତି। ଚୀନର ଦି ଗ୍ରେଟ୍ ୱାଲ୍ ମୋଟର୍ସ‌ ଦ୍ବାରା ନିର୍ମିତ ଏହି ଏସ୍‌ୟୁଭି ଭାରତ ଆସିପାରିଲେ ଯୁବିଙ୍କ ସହ ଲଙ୍ଗ ଡ୍ରାଇଭ୍‌ର ମଜା ନେବାର ସଙ୍କେତ ବି ଅଭିଷେକ ଦେଇଛନ୍ତି। 

ଏସିଆ କପ୍ ବିଜୟ ପାକିସ୍ତାନ ସ୍ଲେଜିଂର ଶ୍ରେଷ୍ଠ ଜବାବ: ତିଳକ
ଏସିଆ କପ୍ ଫାଇନାଲ୍‌ରେ ଦଳ ଘୋର ଚାପରେ ଥିଲା ବେଳେ ୬୯* ରନ୍‌ର ଅପରାଜିତ ତଥା ଅସାଧାରଣ ପାଳି ଖେଳି ଭାରତକୁ ଏସିଆ କପ୍ ବିଜୟ ଉପହାର ଦେଇଥିବା ମଧ୍ୟକ୍ରମ ବ୍ୟାଟର୍ ତିଳକ ବର୍ମାଙ୍କୁ ମଧ୍ୟ ହାଇଦ୍ରାବାଦରେ ପ୍ରଶଂସକମାନେ ହୃଦୟଖୋଲା ସ୍ବାଗତ କରିଛନ୍ତି। ସେଠାରେ ପହଞ୍ଚି ପ୍ରଶଂସକଙ୍କ ଗହଣରେ ଥିଲାବେଳେ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ତିଳକ କହିଛନ୍ତି, ପ୍ରଥମେ ପ୍ରଥମେ ମୁଁ କିଛିଟା ଚାପରେ ଥିଲି। ହେଲେ ମୁଁ ମୋ ଦେଶକୁ ଅନ୍ୟ ସବୁକଥାଠାରୁ ଆଗରେ ରଖିଥିଲି। ଦେଶ ପାଇଁ ଜିତିବାକୁ ଚାହୁଥିଲି। ମୁଁ ଜାଣିଥିଲି ଯଦି ମୁଁ ଚାପରେ ଦବିଯିବି, ତାହେଲେ ୧୪୦  କୋଟି ଭାରତୀୟଙ୍କ ଆଶା ଅକାଂକ୍ଷା ଭାଙ୍ଗିଯିବ। ଏଣୁ ଜଣେ ଯୁବ କ୍ରିକେଟର୍‌ ଭାବେ ପ୍ରଶିକ୍ଷକଙ୍କଠାରୁ ଶିଖିଥିବା ମୌଳିକତାରେ ବିଶ୍ବାସ ରଖିଥିଲି ଏବଂ ରଣନୀତିର ସଫଳ ରୂପାୟନ ଉପରେ ଧ୍ୟାନ ଦେଇଥିଲି। ସେମାନଙ୍କ ସ୍ଲେଜିଂର ଶ୍ରେଷ୍ଠ ଜବାବ ଥିଲା ମ୍ୟାଚ୍ ସହ କପ୍ ଜିତିବା। କ୍ରିଜ୍‌ରେ ବହୁତ କିଛି ଘଟୁଥିଲା। ସେସବୁକୁ ମୁଁ ଏଠାରେ କହିପାରିବିନି। ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଏମିତି ଘଟିବା ସ୍ବାଭାବିକ। ହେଲେ ଆମେ ଜିତିବା ଉପରେ ହିଁ ନଜର ରଖିଥିଲୁ।