ଏସିଆ କପ୍‌ ହକି: ମାଲେସିଆ, ଦକ୍ଷିଣ କୋରିଆ ବିଜୟୀ

ଢାକା: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଏସୀୟ କପ୍‌ ହକି ପ୍ରତିଯୋଗିତାର ଗୁରୁବାର ଦ୍ୱିତୀୟ ଦିବସରେ ଗ୍ରୁପ୍‌-ବି’ର ଦୁଇଟି ମ୍ୟାଚ୍‌ରେ ମାଲେସିଆ ଏବଂ ଦକ୍ଷିଣ କୋରିଆ ବିଜୟୀ ହୋଇଛନ୍ତି। ମୌଲାନା ଭାସାନି ହକି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ମାଲେସିଆ ୭-୧ ଗୋଲ୍‌ରେ ଚୀନ୍‌କୁ ପରାସ୍ତ କରିଥିଲା। ମାଲେସିଆ ପକ୍ଷରୁ ଫୈଜଲ ସାରି ତିନିଟି, ତେଙ୍ଗକୁ ତାଜଉଦ୍ଦିନ୍‌ ଦୁଇଟି  ଏବଂ ସାହରିଲ୍‌ ସାବା ଓ ରାମଦାନ ରୋସଲି ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଚୀନ୍‌ ପକ୍ଷରୁ େଓ୍ଵନ୍‌ହୁଇ ଇ ଗୋଟିଏ ଗୋଲ୍‌ ଶୁଝି ଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ  ଦକ୍ଷିଣ କୋରିଆ ୭-୨ ଗୋଲ୍‌ରେ ଓମାନ୍‌କୁ ହରାଇ ଦେଇଛି। ଦକ୍ଷିଣ କୋରିଆ ପକ୍ଷରୁ ଜିହୁନ୍‌ ୟାଙ୍ଗ୍‌ ଦୁଇଟି ଗୋଲ୍‌ ଦେଇଥିଲା ବେଳେ ମୁକ୍‌ୟଙ୍ଗ୍‌ ଲି, ସୁକ୍‌ ହୁନ୍‌ ଚୋ, ଇନୁ ସିଓ, ନାମୟଙ୍ଗ୍‌ ଲି ଏବଂ ଜୋଙ୍ଗ୍‌ହୁନ୍‌ ଜାଙ୍ଗ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଓମାନ ପକ୍ଷରୁ ରାସଦ ଅଲ୍‌ ଫାଜାରି ଏବଂ ଆସାଦ୍‌ ମୁବାରକ ଅଲ୍‌ କାସାମି ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ପରାଜୟ ବ୍ୟବଧାନ କମାଇଥିଲେ। ଶୁକ୍ରବାର ଗ୍ରୁପ୍‌-ଏ’ରେ ପାକିସ୍ତାନ ଓ ଜାପାନ୍‌ ଏବଂ ଭାରତ ଓ ବାଂଲାଦେଶ ମୁହାଁମୁହିିଁ ହେବେ।

ସମ୍ବନ୍ଧିତ ଖବର