ଏସିଆ କପ୍‌ ହକି: ଆଜି ଭାରତ-କୋରିଆ

ଜାକର୍ତ୍ତା: ଚଳିତ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଗତ ଥରର ବିଜେତା ଭାରତ ମଙ୍ଗଳବାର ନିଜ ଶେଷ ସୁପର୍‌-୪ ମୁକାବିଲାରେ ଦକ୍ଷିଣ କୋରିଆକୁ‌ ଭେଟିବ। ଏହି ମ୍ୟାଚ୍‌ ଜିତି ଭାରତ ଫାଇନାଲ୍‌ ପ୍ରବେଶକୁ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। ରବିବାର ମାଲେସିଆ ବିପକ୍ଷରେ ଭାରତ ଚମତ୍କାର ପ୍ରତ୍ୟାବର୍ତନ କରି ମ୍ୟାଚ୍‌କୁ ୩-୩ରେ ଅମୀମାଂସିତ ରଖିବା ପରେ ବୀରେନ୍ଦ୍ର ଲାକ୍ରାଙ୍କ ଦଳ ଏକ ପ୍ରକାର ଫାଇନାଲ୍‌ରେ ପାଦ ଥାପିଛି। ସୁପର୍‌-୪ ପଏଣ୍ଟ ଟେବୁଲ୍‌ରେ ଦକ୍ଷିଣ କୋରିଆ +୨ (୫-୩) ଗୋଲ୍‌ ବ୍ୟବଧାନରେ ଶୀର୍ଷରେ ଥିବାବେଳେ ଭାରତ +୧ (୫-୪) ଦ୍ବିତୀୟ ସ୍ଥାନରେ ରହିଛି। ଜାପାନ ଲଗାତାର ୨ ପରାଜୟ ବରଣ କରିବା ପରେ ଫାଇନାଲ୍‌ ଦୌଡ଼ରୁ ବାଦ୍ ପଡ଼ିଛି। ମାଲେସିଆ ୦ ଗୋଲ୍ ବ୍ୟବଧାନ (୫-୫)ରେ ଥିବାରୁ ମଧ୍ୟ କ୍ଷୀଣ ସମ୍ଭାବନା ରଖିଛି। ଯଦି ମଙ୍ଗଳବାର ଭାରତ-କୋରିଆ ମ୍ୟାଚ୍‌ ଅମୀମାଂସିତ ରୁହେ ଏବଂ ଜାପାନକୁ ମାଲେସିଆ ଅନ୍ୟୁନ ୨ ଗୋଲ୍‌ ବ୍ୟବଧାନରେ ହରାଏ ତେବେ ଭାରତକୁ ପଛରେ ପକାଇ ମାଲେସିଆ ଫାଇନାଲ୍ ଉଠିପାରିବ।

ଏସବୁ ଆକଳନକୁ କିନ୍ତୁ ଭାରତ ସିଧାସଳଖ ବିଜୟରେ ଶେଷ କରି ଦେଇପାରିବ। କୋରିଆ ଦଳ ସୁପର୍‌-୪ରେ ଭିନ୍ନ ରୂପରେ ଖେଳି ମାଲେସିଆକୁ ୨-୨ରେ ରୋକିବା ସହ ଜାପାନକୁ ୩-୧ରେ ହରାଇଛି। ପୁଲ୍‌ ପର୍ଯ୍ୟାୟରେ ଭାରତ ଉତ୍‌ଥାନ ଓ ପତନ ଦେଇ ଗତି କରିଥିଲା। ପରିସ୍ଥିତି ଏମିତି ହୋଇଥିଲା ସୁପର୍‌-୪ ଯୋଗ୍ୟତା ପାଇଁ ଭାରତକୁ ୧୫-୦ରେ ଇଣ୍ଡୋନେସିଆକୁ ପରାସ୍ତ କରିବାର ଆହ୍ବାନ ଆସିଥିଲା। ଏହାକୁ ଗ୍ରହଣ କରି ଅବଶ୍ୟ ଭାରତ ୧୬-୦ରେ ଜିତି ଯୋଗ୍ୟତା ଅର୍ଜନ କରି ନେଇଥିଲା। ଏ ପର୍ଯ୍ୟନ୍ତ ସୁପର୍‌-୪ରେ ଭାରତ ୨-୧ରେ ଜାପାନକୁ ପରାସ୍ତ କରି ପୁଲ୍‌ ପରାଜୟ (୨-୫)ର ମଧୁର ପ୍ରତିଶୋଧ ନେଇଥିଲା। ‌ମାଲେସିଆଠାରୁ ୦-୨ରେ ପଛୁଆ ପଡ଼ିଥିଲେ ମଧ୍ୟ ୩-୩ରେ ଅଭିଯାନ ଶେଷ କରି ବର୍ତ୍ତିଯାଇଛି। ଉତ୍ତମ ସିଂହ, ଏସ୍‌ଭି ସୁନିଲ, ପବନ ରାଜବୀରଙ୍କୁ ନେଇ ଗଠିତ ଭାରତର ଅଗ୍ରଭାଗ ଭଲ ‌ଖେଳୁଥିବା ବେଳେ ଗୋଲରକ୍ଷକ ସୁରଜ କେରକେରା ଏକାଧିକ ଗୋଲ୍ ବଞ୍ଚାଇ ପ୍ରଶଂସିତ ହୋଇଛନ୍ତି। ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ବାଧିନ ରକ୍ଷଣ ଭାଗ କିନ୍ତୁ ଅଯଥାରେ ପେନାଲ୍ଟି କର୍ଣ୍ଣର ବରଣ କରୁଥିବାରୁ ଏଥି ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର