ଜାକର୍ତ୍ତା (ଇଣ୍ଡୋନେସିଆ): ଚଳିତ ଏସିଆ କପ୍ ହକି ପ୍ରତିଯୋଗିତାରେ ପୂର୍ବ ବିଜେତା ଭାରତର ନକ୍ଆଉଟ୍ ପ୍ରବେଶ ଆଶା ମଉଳିଯାଇଛି। ପାକିସ୍ତାନ ସହ ପ୍ରଥମ ମ୍ୟାଚ୍ ଅମୀମାଂସିତ ରଖିବା ପରେ ଅଲିମ୍ପିଆନ୍ ତଥା ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ବାଧୀନ ଏହି ଦଳ ଜାପାନଠାରୁ ୨-୫ ଗୋଲ୍ରେ ହାରିଯାଇଥିଲା। ଫଳରେ ମାତ୍ର ୧ ପଏଣ୍ଟ ସହ ପୁଲ୍-ଏ’ ତାଲିକାର ତୃତୀୟ ସ୍ଥାନରେ ରହିଛି। ଜାପାନ ୨ରୁ ୨ ବିଜୟ ସହ ୬ ପଏଣ୍ଟ ପାଇ ନକ୍ଆଉଟ୍ ସ୍ଥାନ ସୁରକ୍ଷିତ କରିସାରିଛି। ପାକିସ୍ତାନ (୪ ପଏଣ୍ଟ) ନକ୍ଆଉଟ୍ ଆଶା ବଳବତ୍ତର ରଖିଛି। ଏପରିସ୍ଥଳେ ଭାରତ ଆସନ୍ତାକାଲି ପୁଲ୍ର ଶେଷ ମ୍ୟାଚ୍ରେ ଇଣ୍ଡୋନେସିଆକୁ ଭେଟିବ। ଏହି ମ୍ୟାଚ୍ରେ ବଡ଼ ବ୍ୟବଧାନର ବିଜୟ ହାସଲ କରି ନକ୍ଆଉଟ୍ରେ ପହଞ୍ଚିବାର ଆଶା ରଖିଛି ଭାରତ। ତଥାପି ଇଣ୍ଡୋନେସିଆକୁ ହରାଇବା ପରେ ଭାରତକୁ ଜାପାନ-ପାକିସ୍ତାନ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ। ଯଦି ଜାପାନ ନିକଟରୁ ପାକିସ୍ତାନ ହାରିଯାଏ ଏବଂ ଭାରତ ଅଧିକ ଗୋଲ୍ ବ୍ୟବଧାନରେ ଇଣ୍ଡୋନେସିଆକୁ ପରାସ୍ତ କରେ ତାହାଲେ ନକ୍ଆଉଟ୍କୁ ଯିବାର କିଛିଟା ଆଶା ରହିବ।
ଭାରତ ଏସିଆ କପ୍କୁ ଏକ ଅନଭିଜ୍ଞ ତଥା ଯୁବ ଦଳକୁ ପଠାଇଛି। ଅବସରରୁ ଫେରି ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଏବଂ ଏସ୍ଭି ସୁନିଲ ଦଳରେ ରହିଥିଲେ ମଧ୍ୟ ପୂର୍ବ ଦୁଇଟି ମ୍ୟାଚ୍ରେ ସେଭଳି ପ୍ରଭାବ ପକାଇ ପାରିନାହାନ୍ତି। ପୁଣି ଯୁବ ତାରକାମାନେ ମଧ୍ୟ ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରିପାରିନାହାନ୍ତି। ଗତ ଦୁଇଟିଯାକ ମ୍ୟାଚ୍ରେ ଭାରତୀୟ ଦଳ ତିନିଟିଯାକ ବିଭାଗ (ଡିଫେନ୍ସ, ମିଡ୍ଫିଲ୍ଡ ଓ ଫରୱାର୍ଡଲାଇନ୍)ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଯାହାକି ଦଳର ଚିନ୍ତା ବଢ଼ାଇଛି। ଅନ୍ୟପକ୍ଷରେ କଚଟି ଆଘାତ ଯୋଗୁଁ ଶେଷ କ୍ଷଣରେ ଦକ୍ଷ ଡ୍ରାଗ୍ଫ୍ଲିକର ରୂପୀନ୍ଦର ପାଲ୍ ସିଂହ ଓହରିଯିବା ଭାରତୀୟ ଦଳକୁ ଚାପରେ ପକାଇ ଦେଇଛି।