ଏସିଆ କପ୍ ହକି ପ୍ରତିଯୋଗିତା ସୁପର-୪ ଆଜିଠୁ: ଜାପାନଠୁ ପ୍ରତି‌ଶୋଧ ଲକ୍ଷ୍ୟରେ ଭାରତ

ଜାକର୍ତ୍ତା (ଇଣ୍ଡୋନେସିଆ) : ଚଳିତ ଏସିଆ କପ୍ ହକି ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ସର୍ଦାର ସିଂହଙ୍କ ପ୍ରଶିକ୍ଷିତ ଏବଂ ଅଲିମ୍ପିଆନ୍ ତଥା ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଶନିବାର ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଜାପାନକୁ ଭେଟିବ। ଅପରାହ୍ନ ୫ଟାରୁ ମ୍ୟାଚ୍‌ ଆରମ୍ଭ ହେବ। ପୁଲ୍‌ ପର୍ଯ୍ୟା‌ୟରେ ଜାପାନ ନିକଟରୁ ୨-୫ ଗୋଲ୍‌ରେ ହାରି ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବାର ଆଶଙ୍କାରେ ପଡ଼ିଯାଇଥିଲା ଭାରତ। ତେଣୁ ସୁପର-୪ରେ ଜାପାନଠାରୁ ପ୍ରତିଶୋଧ ନେବାର ଲକ୍ଷ୍ୟ ରଖିଛି ଭାରତ। ଜାପାନ ଓ ଭାରତ ପୁଲ୍‌-ଏ’ରୁ ଏବଂ ମାଲେସିଆ ଓ ଦକ୍ଷିଣ କୋରିଆ ପୁଲ୍‌-ବି’ରୁ ପ୍ରଥମ ଦୁଇଟି ଲେଖାଏଁ ସ୍ଥାନ ଅକ୍ତିଆର କରି ସୁପର-୪ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଏହି ପର୍ଯ୍ୟାୟରେ ୪ଟିଯାକ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। ଭାରତ ଶନିବାର ଜାପାନକୁ ଭେଟିବା ପରେ ରବିବାର ମାଲେସିଆ ଏବଂ ମଙ୍ଗଳବାର ଦକ୍ଷିଣ କୋରିଆ ସହ ଖେଳିବ। ଏହି ପର୍ଯ୍ୟାୟର ଶ୍ରେଷ୍ଠ ଦୁଇ ଦଳ ଜୁନ୍‌ ୧ ତାରିଖ ଫାଇନାଲ୍‌ରେ ମୁହାଁମୁହିଁ ହେବେ।

ପୁଲ୍‌ ପର୍ଯ୍ୟାୟରେ ପାକିସ୍ତାନ ସହ ପଏଣ୍ଟ ବାଣ୍ଟିବା ପରେ ଭାରତ ଦ୍ବିତୀୟ ମ୍ୟାଚ୍‌ରେ ଜାପାନ ନିକଟରୁ ହାରିଯାଇଥିଲା। ଫଳରେ ସୁପର-୪ ପର୍ଯ୍ୟାୟକୁ ଉଠିବା ନେଇ ଆଶଙ୍କାରେ ପଡ଼ିଯାଇଥିଲା। ତେବେ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ୨-୩ ଗୋଲ୍‌ରେ ଜାପାନଠାରୁ ହାରିଯିବାରୁ ଭାରତ ପାଇଁ ସୁଯୋଗ ଆସିଥିଲା। ତଥାପି ଶେଷ ପୁଲ୍‌ ମ୍ୟାଚ୍‌ରେ ଇଣ୍ଡୋନେସିଆକୁ ଅତିକମ୍‌ରେ ୧୫ ଗୋଲ୍‌ ବ୍ୟବଧାନରେ ପରାସ୍ତ କରିବାର କଷ୍ଟସାଧ୍ୟ ଲକ୍ଷ୍ୟ ରହିଥିଲା। ହେଲେ ଭାରତ ଏହାଠୁ ଗୋଟିଏ ଅଧିକ ଗୋଲ୍‌ କରିବାରୁ ଇଣ୍ଡୋନେସିଆକୁ ୧୬-୦ରେ ପରାସ୍ତ କରି ସୁପର-୪କୁ ଉନ୍ନୀତ ହୋଇଥିଲା। ଏଥି ସହିତ ପାକିସ୍ତାନର ଆଶାକୁ ଧୂଳିସାତ୍‌ କରିଦେଇଥିଲା।

ଇଣ୍ଡୋନେସିଆ ବିପକ୍ଷରେ ୧୬ ଗୋଲ୍‌ କରିଥିଲେ ମଧ୍ୟ ପୁଲ୍‌ ପର୍ଯ୍ୟାୟରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା। ବିଶେଷକରି ଯୁବ ଦଳ ପ୍ରଥମ ଦୁଇ ମ୍ୟାଚ୍‌ରେ ପ୍ରଭାବ ପକା‌ଇପାରିନଥି‌ଲା। ଆୟୋଜକ ଭାବେ ଭାରତ ଆଗାମୀ ବିଶ୍ବକପ୍‌କୁ ଯୋଗ୍ୟତା ହାସଲ କରିସାରିଥିବାରୁ ହକି ଇଣ୍ଡିଆ ଯୁବ ଖେଳାଳିଙ୍କୁ ପରଖିବା ପାଇଁ ଏସିଆ କପ୍‌କୁ ପଠାଇଛି। ଅଭିଜ୍ଞତା ହାସଲ ପାଇଁ ଭାରତୀୟ ଏସିଆ କପ୍‌ ଦଳରେ ମୋଟ ୧୨ ଜଣ ପଦାର୍ପଣକାରୀ ସାମିଲ ହୋଇଛନ୍ତି। ଅଧିନାୟକ ବୀରେନ୍ଦ୍ର ଲାକ୍ରା ମଧ୍ୟ ଚମକ ଛାଡ଼ିପାରିନାହାନ୍ତି। ମୁଖ୍ୟତଃ ଚଳିତ ଏସିଆ କପ୍‌ରେ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତରିତ କରିନପାରିବାର ଦୁର୍ବଳତା ହିଁ ଭାରତୀୟ ଦଳର ବଡ଼ ଚିନ୍ତା ପାଲଟିଛି। ରୂପୀନ୍ଦର ପାଲ୍‌ ସିଂହ ଏବଂ ଓଡ଼ିଆ ତାରକା ଅମିତ ରୋହିଦାସଙ୍କ ଭଳି ଅଭିଜ୍ଞ ତଥା ସ୍ବୀକୃତିପ୍ରାପ୍ତ ଡ୍ରାଗ୍‌ଫ୍ଲିକରଙ୍କ ଅନୁପସ୍ଥିତିରେ ଭାରତ ପେନାଲ୍‌ଟି କର୍ଣ୍ଣରକୁ ସଦୁପଯୋଗ କରିବାରେ ବିଫଳ ହୋଇଛି। ଏହାର ପ୍ରମାଣ ମଧ୍ୟ ଗୁରୁବାରର ଦୁର୍ବଳ ଇଣ୍ଡୋନେସିଆ ବିପକ୍ଷ ମ୍ୟାଚ୍‌ରେ ମିଳିଥିଲା। ଇଣ୍ଡୋନେସିଆ ବିପକ୍ଷରେ ମୋଟ ଉପରେ ୨୨ ପେନାଲ୍‌ଟି ସୁଯୋଗ ସୃଷ୍ଟି କରିଥିବା ଭାରତ ମାତ୍ର ୯ଟିକୁ ଗୋଲ୍‌ରେ ରୂପାନ୍ତରିତ କରିପାରିଥିଲା‌। ୧୩ଟିକୁ ଗୋଲ୍‌ କରିବାରେ ବିଫଳ ହୋଇଥିବାରୁ ଜାପାନ ବିପକ୍ଷରେ ଏହାକୁ ସଜାଡ଼ିବାକୁ ପଡ଼ିବ। ଅବଶ୍ୟ ଓଡ଼ିଆ ତାରକା ଦୀପସାନ ତିର୍କି ପେନାଲ୍‌ଟିରୁ ୫ ଗୋଲ୍‌ କରି ଜାପାନକୁ ସତର୍କ କରାଇ ଦେଇଛନ୍ତି। ଜାପାନ ପୁଲ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିବାରୁ ସୁପର-୪ରେ ମଧ୍ୟ ଭାରତକୁ କଡ଼ା ଆହ୍ବାନର ସାମ୍‌ନା କରିବାକୁ ପଡ଼ିବ। ତଥାପି ବୀରେନ୍ଦ୍ର ଲାକ୍ରାଙ୍କ ଦଳ ଗତିଶୀଳ ଜାପାନକୁ ରୋକିବାରେ ସମର୍ଥ ହେବ ବୋଲି ଆଶା ବାନ୍ଧିଛି। ବିଶେଷକରି ଶୃଙ୍ଖଳିତ ପ୍ରଦର୍ଶନ ହିଁ ଜାପାନଠାରୁ ପ୍ରତିଶୋଧ ନେବାର ସୁଯୋଗ ଆଣିଦେବ ବୋଲି ପ୍ରଶିକ୍ଷକ ସର୍ଦାର ସିଂହ କହିଛନ୍ତି।

ଦ୍ବିତୀୟ ସର୍ବାଧିକ ଗୋଲ୍‌ ଭାରତ ଖାତାରେ ପୁଲ୍‌ ପର୍ଯ୍ୟାୟରେ ଅଂଶ ଗ୍ରହଣ କରିଥିବା ୮ଟିଯାକ ଦଳ ମଧ୍ୟରୁ ଦ୍ବିତୀୟ ସର୍ବାଧିକ ଗୋଲ୍‌ ଭାରତ ଖାତାରେ ରହିଛି। ତେବେ ସର୍ବାଧିକ ଗୋଲ୍‌ ମାଲେସିଆ ନାମରେ ରହିଛି। ଏହି ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୩ ଲେଖାଏଁ ମ୍ୟାଚ୍‌ ଖେଳିଥିଲେ। ପୁଲ୍‌-ଏ’ରେ ଅପରାଜେୟ ଜାପାନ ମୋଟ ୧୭ ଗୋଲ୍‌ ଦେଇଥିଲା ‌ବେଳେ ୪ ଗୋଲ୍‌ ବରଣ କରିଥିଲା। ଭାରତ ୧୯ ଗୋଲ୍‌ ଦେଇ ୬ ବରଣ କରିଥିଲା ବେଳେ ପାକିସ୍ତାନ ୧୬ ଗୋଲ୍‌ କରି ୪ ବରଣ କରିଥିଲା। କିନ୍ତୁ ଇଣ୍ଡୋନେସିଆ ଆଦୌ ଗୋଲ୍‌ କରିନଥିଲା ବେଳେ ୩୮ ବରଣ କରିଥିଲା‌। କିନ୍ତୁ ପୁଲ୍-ବି’ରେ ସାମିଲ ଥିବା ମାଲେସିଆ ଏହି ପର୍ଯ୍ୟାୟରେ ସର୍ବାଧିକ ୨୦ ଗୋଲ୍‌ କରିଥିଲା ବେଳେ ୫ ଖାଇଥିଲା। ଦକ୍ଷିଣ କୋରିଆ ୧୫-୭, ବାଂଲାଦେଶ ୪-୧୫ ଏବଂ ଓମାନ ୨-୧୪ ଗୋଲ୍‌ ବ୍ୟବଧାନ ପାଇଥିଲେ।

ସମ୍ବନ୍ଧିତ ଖବର