ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସଂପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ଦିନକୁ ଦିନ ବଢ଼ିବଢ଼ି ଚାଲିଥିବା ବେଳେ ଆସନ୍ତା ମାସରେ ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍‌ର ଭବିଷ୍ୟତ ନେଇ ଆଶଙ୍କା ସୃ‌ଷ୍ଟି ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଭାରତ ‘ଅପରେସନ୍ ସିନ୍ଦୁର’ରେ ଦେବା ପରେ ଦୁଇ ଦେଶ କ୍ରିକେଟ୍ ପଡ଼ିଆରେ ପରସ୍ପର ମୁହାଁମୁହିଁ ହେବେ କି ନାହିଁ, ସେ ଦ୍ବନ୍ଦ୍ବ ବି ବଢ଼ି ଚାଲିଛି। ତଥାପି ୟୁଏଇର ଦୁବାଇ ଓ ଆବୁଧାବିରେ ଖେଳାଯିବାକୁ ଥିବା ଏହି ୮ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାରତୀୟ ଦଳର ସ୍ବରୂପ କିଭଳି ହେବ, ସେ ଚର୍ଚ୍ଚା ଏବେଠୁ ଆରମ୍ଭ ହୋଇଗଲାଣି। ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ରହିବା ମଧ୍ୟ ସ୍ଥିତିକୁ ଆହୁରି ରୋଚକ କରିଛି। ଆତଙ୍କବାଦୀଙ୍କୁ ନିରନ୍ତର ସମର୍ଥନ ପାଇଁ ପାକିସ୍ତାନ ସହ କ୍ରିକେଟ୍ ସଂପର୍କ ଛିନ୍ନ କରିବାକୁ ଦେଶସାରା ଦାବି ଜୋର୍‌ ଧରିଥିଲା ବେଳେ ବହୁ ପୂର୍ବତନ କ୍ରିକେଟର୍ କିନ୍ତୁ ଖେଳକୁ ରାଜନୀତିଠାରୁ ଦୂରେଇ ରଖିବାକୁ ଆହ୍ବାନ କରିଛନ୍ତି। ଇଂଲଣ୍ଡରେ ଖେଳାଯାଇଥିବା ଲିଜେଣ୍ଡ୍‌ସ ଲିଗ୍‌ରେ ପୂର୍ବତନ କ୍ରିକେଟର୍‌ଙ୍କୁ ନେଇ ଗଠିତ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଓହରିଯିବା ପରେ ଟିମ୍ ଇଣ୍ଡିଆ ମଧ୍ୟ ସମାନ ପଥ ଅନୁସରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେପଟେ ବିସିସିଆଇ ଏଥିନେଇ ଚୁପ୍ ରହିବା ମାମଲାକୁ ଆହୁରି ଗୋଳମାଳିଆ କରିଛି। ଏଭଳି ସ୍ଥିତିରେ ଏସିଆ କପ୍-୨୦୨୫ର ଭାଗ୍ୟ ଏକପ୍ରକାର ସୂତା ଖିଅରେ ଝୁଲୁଛି।

Advertisment

‘ଏ’ ଗ୍ରୁପ୍‌ରେ ଭାରତ
ଏସିଆ କପ୍‌-୨୦୨୫ରେ ଭାଗ ନେବାକୁ ଥିବା ୮ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌-ଏ’‌ରେ ଭାରତ, ପାକିସ୍ତାନ, ୟୁଏଇ ଏବଂ ଓମାନ ଅଛନ୍ତି। ଗ୍ରୁପ୍-ବି’ରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ତାନ, ହଂକଂ ଓ ବାଂଲାଦେଶ। ଭାରତ ତା’ର ଅଭିଯାନ ସେ‌ପ୍ଟେମ୍ବର ୧୦ରେ ୟୁଏଇ ବିପକ୍ଷରେ ଆରମ୍ଭ କରିବାର ସୂଚୀ ରହିଛି। ତେବେ ଟିମ୍ ଇଣ୍ଡିଆ ନିଜର ସବୁଠୁ ବଡ଼ ମ୍ୟାଚ୍‌ ସେପ୍ଟେମ୍ବର ୧୪ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳିବ। ଶେଷ ଲିଗ ମ୍ୟାଚ୍‌ରେ ସେପ୍ଟେମ୍ବର ୧୯ରେ ଓମାନକୁ ଭେଟିବ। ପ୍ରତ୍ୟେକ ଗ୍ରୁପ୍‌ର ଶୀର୍ଷ ଦୁଇ ଦଳ ସୁପର-୪କୁ ଉନ୍ନୀତ ହେ‌‌ବେ। ଏଣୁ ଭାରତ ଯଦି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଓହରି ଯାଏ, ତାହେଲେ ବି ଦଳ ପାଖରେ ଏହି ପର୍ଯ୍ୟାୟକୁ ଯିବାର ପର୍ଯ୍ୟାପ୍ତ ସୁଯୋଗ ରହିବ। 

ଗିଲ୍, ଜୟସ୍ବାଲ, ସୁଦର୍ଶନଙ୍କ ଉପରେ ନଜର
ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଜବରଦସ୍ତ ପ୍ରଦର୍ଶନ  କରିବା ପରେ ଭାରତୀୟ ଅଧିନାୟକ ଶୁବମନ୍ ଗିଲ୍, ଓପନର୍ ଯଶସ୍ବୀ ଜୟସ୍ବାଲ ଏବଂ ଆଇପିଏଲ୍‌-୨୦୨୫ର ସର୍ବାଧିକ ରନ୍ ସଂଗ୍ରହକାରୀ ସାଇ ସୁଦର୍ଶନଙ୍କୁ ଭାରତୀୟ ଟ୍ବେଣ୍ଟି-୨୦ ଦଳର ନିୟମିତ ସଦସ୍ୟ କରିବାକୁ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ଚୟନ ସମିତି ଚିନ୍ତା କରୁଥିବା ଜଣାପଡ଼ିଛି। ଏମାନଙ୍କ ପାଇଁ ପ୍ରଥମ ବଡ଼ ସୁଯୋଗ ଏସିଆ କପ୍‌ରେ ଆସିପାରେ। ତେବେ ଦଳୀୟ ଗଠିନ ଦୃଷ୍ଟିରୁ ଏମାନଙ୍କୁ ଏସିଆ କପ୍ ଦଳରେ ନେବା ଚୟନ ସମିତି ପାଇଁ ସହଜ ନିଷ୍ପତ୍ତି ହେବନି। ଏମାନଙ୍କ ସହ ୱିକେଟ୍ ରକ୍ଷକ ଋଷଭ ପନ୍ତ ବି ଏସିଆ କପ୍ ଦଳରେ ସୁଯୋଗ ପାଇ ନପାରନ୍ତି। ଭାରତୀୟ ଦଳର ଗତ କିଛି ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଗିଲ୍‌ ଓ ଜୟସ୍ବାଲ ସାମିଲ ନଥିଲେ। ଅନ୍ୟପକ୍ଷରେ ସୁଦର୍ଶନ କେବେ ବି ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇ ନାହାନ୍ତି।
ସୂଚନାଯୋଗ୍ୟ ଯେ ଚଳିତବର୍ଷର ଆଇପିଏଲ୍‌ରେ ଜୟସ୍ବାଲ ୧୬୦ ଷ୍ଟ୍ରାଇକ୍ ରେଟ୍‌ରେ ୫୫୯ ରନ୍ କରିଛନ୍ତି। ଗିଲ୍ ୧୫୫ ଷ୍ଟ୍ରାଇକ୍ ରେଟ୍‌ରେ ୧୫ ମ୍ୟାଚ୍‌ରୁ ୬୫୦ ଏବଂ ସୁଦର୍ଶନ ୧୫୬ ଷ୍ଟ୍ରାଇକ୍ ରେଟ୍‌ରେ ସର୍ବାଧିକ ୭୫୯ ରନ୍ କରି ନାରଙ୍ଗୀ ଟୋପି ହାସଲ କରିଛନ୍ତି। ଏସିଆ କପ୍ ଲାଗି ଭାରତ ଚିରାଚରିତ ୧୫ଜଣିଆ ପରିବର୍ତ୍ତେ ୧୭ଜଣିଆ ଦଳ ନେଇ ୟୁଏଇ ଯିବାକୁ ବିସିସିଆଇ ମଞ୍ଜୁରି ଦେଇପାରେ। ଏଭଳି ସ୍ଥିତିରେ ଚୟନ ସମିତି ଅଭିଷେକ ଶର୍ମା, ସଞ୍ଜୁ ସାମ୍‌ସନଙ୍କ ସହ ଗିଲ୍, ଜୟସ୍ବାଲ ଓ ସୁଦର୍ଶନଙ୍କୁ ଦଳରେ ରଖିବାର କିଛିଟା ସମ୍ଭାବନା ରହିଛି।

୧୯କିମ୍ବା ୨୦ରେ ଭାରତୀୟ ଦଳ ଘୋଷଣା!
ଏସବୁ ଭିତରେ କିନ୍ତୁ ଅଜିତ ଅଗରକରଙ୍କ ନେତୃତ୍ବରେ ଗଠିତ ଜାତୀୟ ଚୟନ ସମିତି ଆସନ୍ତା ୧୯ କିମ୍ବା ୨୦ ତାରିଖରେ ଏସିଆ କପ୍‌ର ଏହି ସପ୍ତଦଶ ସଂସ୍କରଣ ପାଇଁ ଭାରତୀୟ ଦଳ ଘୋଷଣା କରିପାରେ। ଏହା ପୂର୍ବରୁ ସମିତି ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସିର ଡାକ୍ତରୀଦଳଠାରୁ ସମସ୍ତ ସମ୍ଭାବ୍ୟ ଖେଳାଳିଙ୍କୁ ମେଡିକାଲ୍‌ ରି‌ପୋର୍ଟ ତଲବ କରିଛି। ରିପୋର୍ଟ ଅନୁସାରେ ହିଁ ଖେଳାଳିମାନଙ୍କ ନାଁ ଏସିଆ କପ୍ ଦଳ ପାଇଁ ବିଚାରକୁ ନିଆଯିବ। ଯେଉଁମାନେ ଫିଟ୍ ନଥିବେ, ସେମାନଙ୍କ ନାଁକୁ ପ୍ରା‌ଥମିକ ପର୍ଯ୍ୟାୟରୁ ବାଦ୍ ଦିଆଯିବ। ‌ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା କମ୍ ଥିବା ଜଣାପଡ଼ିଛି। ଅଧିନାୟକ ସୂର୍ଯକୁମାର ୟାଦବ, ଅଭିଷେକ ଶର୍ମା, ସଞ୍ଜୁ ସାମ୍‌ସନ୍‌, ତିଳକ ବର୍ମା ଓ ହାର୍ଦିକ ପାଣ୍ଡ୍ୟା ଶୀର୍ଷ ୫ରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ହଟାଇବା ମଧ୍ୟ ଚୟନକର୍ତ୍ତାଙ୍କ ପାଇଁ ସହଜ ହେବନି। ଅକ୍ଷର ପଟେଲ ଓ ୱାସିଂଟନ୍ ସୁନ୍ଦର ମଧ୍ୟ ଦୁଇ ସ୍ପିନ୍ ଅଲରାଉଣ୍ଡର୍ ଭାବେ ନିଜନିଜ ସ୍ଥାନ ସୁରକ୍ଷିତ ରଖିବା ଏକପ୍ରକାର ନିଶ୍ଚିତ। ମୁଖ୍ୟ ସମସ୍ୟା ହେଉଛି ତୃତୀୟ ସିମର୍‌ଙ୍କ ଚୟନ। ଯଶପ୍ରୀତ୍ ବୁମ୍‌ରା ଓ ଅର୍ଶଦୀପ ସିଂହ ପ୍ରଥମ ପସନ୍ଦର ବୋଲର ଥିବାରୁ ତୃତୀୟ ଦ୍ରୁତ ବୋଲର ପାଇଁ ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବ। 

୧୯୮୬ରେ ଓହରି ଯାଇଥିଲା ଭାରତ
ପାକିସ୍ତାନ ବିପକ୍ଷ ମ୍ୟାଚ୍ ନଖେଳିବା ସମର୍ଥନ ଓ ବିରୋଧ ଭିତରେ ଭାରତ ଏସିଆ କପ୍‌ରୁ ଓହରିଯିବାର ସମ୍ଭାବନାକୁ ନେଇ ମଧ୍ୟ ତର୍କ ବିତର୍କ ଆରମ୍ଭ ହୋଇଗଲାଣି। କାରଣ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ ନକ୍‌ଭି ସଂପ୍ରତି ଏସୀୟ କ୍ରିକେଟ୍ ପରିଷଦର ସଭାପତି ଅଛନ୍ତି, ଏଣୁ ଏସିଆ କପ୍‌କୁ ବାତିଲ କିମ୍ବା ସ୍ଥଗିତ ରଖିବାର ଅଧିକାର ବିସିସିଆଇ ହାତରେ ନାହିଁି। ଏଭଳି ସ୍ଥିତିରେ ପାକିସ୍ତାନ ବିପକ୍ଷରେ ନଖେଳିବାକୁ ଯଦି ବିସିସିଆଇ ନିଷ୍ପତ୍ତି ନିଏ, ତାହେଲେ ଭାରତୀୟ ଦଳ ପାଖରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ କିମ୍ବା ପୂରା ପ୍ରତିଯୋଗିତାରୁ ଓହରିଯିବାର ବିକଳ୍ପ ଖୋଲା ରହିବ। ଭାରତ ଯଦି ପୂରା ପ୍ରତିଯୋଗିତାରୁ ଓହରି ଯାଏ, ତାହେଲେ ଏସିଆ କପ୍ ଇତିହାସର କିନ୍ତୁ ଏହା ପ୍ରଥମ ଘଟଣା ହେବନି। ୧୯୮୬ ମସିହାରେ ମଧ୍ୟ ଭାରତୀୟ ଦଳ ଏସିଆ କପ୍‌ରୁ ଓହରି ଯାଇଥିଲା। ୧୯୮୪ ମସିହାରେ ଭାରତ ପ୍ରଥମ ଏସିଆ କପ୍‌ର ବିଜେତା ହୋଇଥିଲା। ୧୯୮୬ ମସିହାରେ ଦ୍ବିତୀୟ ସଂସ୍କରଣ ଶ୍ରୀଲଙ୍କାରେ ଖେଳାଯିବାର ଥିଲା, ହେଲେ ‌ସେତେବେଳେ ଶ୍ରୀଲଙ୍କାରେ ଏଲ୍‌ଟିଟିଇ ସମସ୍ୟାକୁ ନେଇ ଭୀଷଣ ଗୃହଯୁଦ୍ଧ ଲାଗି ରହିଥିଲା। ଫଳରେ ଭାରତ ଏସିଆ କପ୍‌ରୁ ଓହରି ଯାଇଥିଲା। ଖେଳାଳିଙ୍କ ସୁରକ୍ଷାକୁ କାରଣ କରି ଭାରତ ସରକାର ଶ୍ରୀଲଙ୍କା ଗସ୍ତକୁ ଅନୁମତି ଦେଇ ନଥିଲେ। ଫଳରେ କେବଳ ଶ୍ରୀଲଙ୍କା, ପାକିସ୍ତାନ ଓ ବଂଲାଦେଶକୁ ନେଇ ଏସିଆ କପ୍‌ର ୧୯୮୬ ସଂସ୍କରଣ ଆୟୋଜିତ ‌ହୋଇଥିଲା। ଶ୍ରୀଲଙ୍କା ବିଜେତା ହେବା ସହ ପାକିସ୍ତାନ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଅନ୍ୟ ଏକ ‌ପରିସଂଖ୍ୟାନ ଅନୁସାରେ କେବଳ ଶ୍ରୀଲଙ୍କାକୁ ଛାଡ଼ି ଅନ୍ୟ କୌଣସି ଦେଶ ଏସିଆ କପ୍‌ର ସବୁ ସଂସ୍କରଣ ଖେଳି ନାହାନ୍ତି। ଭାରତ ଯଦି ଓହରିଯାଏ, ତାହେଲେ ଏହି ଧାରାରେ ଆଉ ଏକ ବିତର୍କିତ ଅଧ୍ୟାୟ ଯୋଡ଼ିହେବ।