ବିସିସିଆଇକୁ ଚ୍ୟାଲେଞ୍ଜ୍ କରିବା ମହଙ୍ଗା ପଡ଼ିଲା… ପାକିସ୍ତାନ ବଦଳରେ ଶ୍ରୀଲଙ୍କାରେ ହୋଇପାରେ ଏସିଆ କପ୍

ମୁମ୍ବାଇ : ଯାହା ଜଣାପଡ଼ୁଛି ଏସିଆ କପ୍ ଆୟୋଜନ ପ୍ରସଙ୍ଗରେ ବିସିସିଆଇକୁ ଚ୍ୟାଲେଞ୍ଜ କରିବା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିଛି । କାରଣ ଏସିଆ କପ୍ ପାକିସ୍ତାନରେ ନ ହୋଇ ଶ୍ରୀଲଙ୍କାରେ ହେବାର ସମ୍ଭାବନା ଦେଖାଦେଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶ୍ରୀଲଙ୍କାକୁ ଏସିଆ କପ୍ ଆୟୋଜନ ଦାୟିତ୍ବ ଦିଆଯାଇପାରେ ।

ପୂର୍ବରୁ ପାକିସ୍ତାନକୁ ଏସିଆ କପ ଆୟୋଜନ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଏସିଆ କପ୍ ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ଘୋଷଣା କରିବା ପରେ ବିବାଦ ଦେଖାଦେଇଥିଲା । ଏହାର ଜବାବରେ ବିଶ୍ବକପ୍ ଖେଳିବାକୁ ଭାରତ ଆସିବ ନାହିଁ ବୋଲି ପାକିସ୍ତାନ ଧମକ ଦେଇଥିଲା ।

କିଛି ଦିନ ତଳେ ‘ହାଇବ୍ରିଡ୍ ମଡେଲ’ ଅଧୀନରେ ଏସିଆ କପ୍ ଖେଳାଯିବ ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା। ଯେଉଁଥିରେ ଭାରତ ତା’ର ସମସ୍ତ ମ୍ୟାଚ୍ ପାକିସ୍ତାନ ବାହାରେ ଅର୍ଥାତ୍ ନିରପେକ୍ଷ ସ୍ଥାନରେ ଖେଳିବ। କିନ୍ତୁ ଏବେ ଖବର ଆସୁଛି ଏସିଆ କପ୍ ଆଉ ପାକିସ୍ତାନରେ ନୁହେଁ ବରଂ ଶ୍ରୀଲଙ୍କାରେ ଆୟୋଜନ ହେବ ।

ପାକିସ୍ତାନକୁ ବଡ଼ ଝଟକା ଦେଇ ଏସିଆନ କ୍ରିକେଟ କାଉନସିଲ (ଏସିସି) ସୋମବାର ଏସିଆ କପ୍ କୁ ଦେଶ ବାହାରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। କାରଣ ଏହି ଟୁର୍ଣ୍ଣାମେଣ୍ଟକୁ ‘ହାଇବ୍ରିଡ୍ ମଡେଲ’ରେ ଆୟୋଜନ କରିବାକୁ ପିସିବିର ପ୍ରସ୍ତାବକୁ ସଦସ୍ୟ ଦେଶମାନେ ପ୍ରତ୍ୟାଖ୍ୟାନ କରିଥିଲେ। ସେପ୍ଟେମ୍ବର ମାସରେ ୟୁଏଇରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଶ୍ରୀଲଙ୍କା ଏହି ୬ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଆଗେଇ ଆସିଛି ।

ସମ୍ବନ୍ଧିତ ଖବର