ମୁମ୍ବାଇ : ଶେଷରେ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇର ଶକ୍ତି ଆଗରେ ମୁଣ୍ଡ ନୁଆଁଇଛି । ଫଳରେ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍ କ୍ରିକେଟ ୟୁଏଇରେ ହେବାର ସମ୍ଭାବନା ରହିଛି ।
ଏହାକୁ ନେଇ ପିସିବି ଓ ବିସିସିଆଇ ମଧ୍ୟରେ ବେଶ କିଛି ଦିନ ଧରି ବିବାଦ ଚାଲିବା ପରେ ଶନିବାରଦିନ ବିସିସିଆଇ ସଚିବ ଜୟ ଶାହା ଓ ପିସିବି ସଭାପତି ନଜମ ସେଠୀ ବାହାରିନରେ ଭେଟି ଆଲୋଚନା କରିଥିଲେ । ଏହା ପରେ ସମାଧାନର ରାସ୍ତା ବାହାରିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଏସିଆ କପ ଆୟୋଜନ ପାଇଁ ୟୁଏଇର ୩ଟି ସ୍ଥାନ ଦୁବାଇ, ସାରଜା ଓ ଆବୁଧାବିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ଗତ ବର୍ଷ ଅକ୍ଟୋବର ମାସରେ ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ମୁଖ୍ୟ ଜୟ ଶାହା କହିଥିଲେ ଯେ, ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଏସିଆ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଯିବ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଯେ ଏସିଆ କପକୁ ପାକିସ୍ତାନ ବଦଳରେ ଏକ ନିରପେକ୍ଷ ସ୍ଥାନରେ କରାଯିବାକୁ ଯୋଜନା କରାଯାଉଛି ।
ଏହା ପରେ ତତକାଳୀନ ପିସିବି ସଭାପତି ରମିଜ ରାଜା କହିଥିଲେ ଯେ ଯଦି ଏସିଆ କପ ଖେଳିବାକୁ ଭାରତ ପାକିସ୍ତାନ ଆସିବ ନାହିଁ, ତେବେ ବିଶ୍ବକପ ଖେଳିବାକୁ ପାକିସ୍ତାନ ଭାରତ ଆସିବ ନାହିଁ ।