ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ କ୍ରିକେଟ୍‌ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କାରେ ହୋଇପାରେ। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଅଧ୍ୟକ୍ଷ ନଜମ ସେଠୀଙ୍କ ପ୍ରସ୍ତାବିତ ‘ହାଇବ୍ରିଡ୍‌ ମଡେଲ’ ଏସିଆ କ୍ରିକେଟ୍‌ ପରିଷଦ (ଏସିସି) ଗ୍ରହଣ କରିବାର ସମ୍ଭାବନା ରହିଛି। ‘ହାଇବ୍ରିଡ ମଡେଲ’ ହେଉଛି ଭାରତ ନଥିବା ଏସିଆ କପ୍‌ ମ୍ୟାଚ୍‌ ପାକିସ୍ତାନରେ ଏବଂ ଅନ୍ୟ ମ୍ୟାଚ୍‌ଗୁଡ଼ିକ ଶ୍ରୀଲଙ୍କାର ଗଲ ଓ ପଲିକଲରେ ଆୟୋଜନ କରିବା। ଏହି ହାଇବ୍ରିଡ୍‌ ମଡେଲକୁ ବିସିସିଆଇ ସଭାପତି ଜୟ ଶାହ ନେତୃତ୍ବରେ ମଙ୍ଗଳବାର ହୋବାକୁ ଥିବା ଏସିସି ବୈଠକରେ ଗ୍ରହଣ କରାଯିବ ପ୍ରାୟ ନିଶ୍ଚିତ ହୋଇଛି। ଯଦି ଏହାକୁ ଏସିସି ଗ୍ରହଣ କରି‌ନିଏ ତେବେ ପାକିସ୍ତାନ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ଖେଳିବାକୁ ଆସିବ। ଅହମଦାବାଦରେ ଖେଳିବାକୁ ପାକିସ୍ତାନର କୌଣସି ଅସୁବିଧା ନାହିଁ ବୋଲି ପିସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।