ଶ୍ରୀଲଙ୍କାରେ ଏସିଆ କପ୍‌ ଆୟୋଜନକୁ ଭାରତର ବିରୋଧ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଶ୍ରୀଲଙ୍କାରେ ଏସିଆ କପ୍‌ ଆୟୋଜନକୁ ଜୋରଦାର ବିରୋଧ କରିଛି। ଏସିଆ କପ୍‌ ଆୟୋଜନ ନେଇ ଗତ ସପ୍ତାହରେ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ଏହାର ସମସ୍ତ ସଦସ୍ୟଙ୍କୁ ନେଇ ଟେଲିକନ୍‌ଫରେନସିଂ ମାଧ୍ୟମରେ ବୈଠକ କରିଥିଲା। ଏଥିରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଶ୍ରୀଲଙ୍କାରେ ଏସିଆ କପ୍‌ ଆୟୋଜନ ନେଇ ରାଜି ହୋଇଥିଲା। ଆୟୋଜକ ଦେଶ ଶ୍ରୀଲଙ୍କା ମଧ୍ୟ ପ୍ରସ୍ତୁତ ଥିବା କହିଥିଲା। ହେଲେ ଭାରତର ବିରୋଧ ପରେ ଏସିଆ କପ୍‌ର ଭବିଷ୍ୟତ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନଥିଲା।

ଏସିସି ବୈଠକ ପରେ ଶ୍ରୀଲଙ୍କା କ୍ରିକେଟ୍‌ ମୁଖ୍ୟ ଶାମି ସିଲ୍‌ଭା ଗଣମାଧ୍ୟମକୁ କହିଥିଲେ ଯେ ଚଳିତ ବର୍ଷ ଏସିଆ କପ୍‌ ଶ୍ରୀଲଙ୍କା ଆୟୋଜନ କରୁ ବୋଲି ଏସିସି ରାଜି ହୋଇଥିଲା। ସଂପ୍ରତି କରୋନା ଯୋଗୁଁ ବିଶ୍ବର ପରିସ୍ଥିତି ଯାହା ରହିଛି ତାହକୁ ନେଇ ପିସିବି ମଧ୍ୟ ଆମ ପ୍ରସ୍ତାବରେ ରାଜି ହୋଇଥିଲା। ଅନ୍‌ଲାଇନ୍‌ରେ ଚାଲିଥିବା ବୈଠକରେ ଆମକୁ ଆୟୋଜନ କରିବା ଲାଗି ଏସିସି ସଙ୍କେତ ଦେଇଥିଲା ବୋଲି ସିଲ୍‌ଭା କହିଥିଲେ। ଆମର ଜୋରଦାର ବିରୋଧ ପରେ ପ୍ରତିଯୋଗିତା ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ହୋଇନି। ଶ୍ରୀଲଙ୍କାରେ ଏହି ପ୍ରତିଯୋଗିତା ଆୟୋଜନ ହେବ ବୋଲି ଯେଉଁ ସୂଚନା ଆସୁଛି ତାହାକୁ ନେଇ ଆମେ ବିସ୍ମିତ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଏହା ହେଉଛି ଏକ ଅଭ୍ୟାସ ପ୍ରତିଯୋଗିତା ଭଳି। ହେଲେ ବିଶ୍ବକପ୍‌ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କରୋନା ସ୍ଥିତିକୁ ନଜରରେ ରଖି ବିସିସିଆଇ ମଧ୍ୟ ଶ୍ରୀଲଙ୍କା ଓ ଜିମ୍ବାୱେ ଗସ୍ତକୁ ବାତିଲ କରିଦେଇଛି। ଏସବୁ ସତ୍ତ୍ବେ ଏହା କିପରି ଆୟୋଜନ ହେବ ବୋଲି ବିସିସିଆଇର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର