ୟୁଏଇରେ ହେବ ଏସିଆ କପ୍ କ୍ରିକେଟ୍, ଘୋଷଣା କଲେ ଗାଙ୍ଗୁଲି

ମୁମ୍ବାଇ : ଶ୍ରୀଲଙ୍କାରେ ଚାଲିଥିବା ରାଜନୈତିକ ଅସ୍ଥିରତା ଯୋଗୁଁ ସେଠାରେ ହେବାକୁ ଥିବା ଏସିଆ କପ କ୍ରିକେଟକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏସିଆ କପ ପାଇଁ ବାଂଲାଦେଶକୁ ଏକ ବିକଳ୍ପ ସ୍ଥାନ ଭାବେ ଚିନ୍ତା କରାଯାଉଥିଲା, କିନ୍ତୁ ସେଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟୁଏଇକୁ ହିଁ ବଛାଯାଇଥିଲା । କାରଣ ୟୁଏଇରେ ବର୍ଷା ହେବାର ଆଶଙ୍କା ନାହିଁ ।

ଆସନ୍ତା ଅଗଷ୍ଟ ୨୭ରୁ ଏସିଆ କପ୍ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟ୍ ଟି-୨୦ ଫର୍ମାଟରେ ଖେଳାଯିବ ଓ ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଭାଗ ନେବେ । ଏହା ପୂର୍ବରୁ ଶ୍ରୀଲଙ୍କାରେ କରାଯିବାକୁ ଧାର୍ଯ୍ୟ ହୋଇଥିଲେ ବି ଏଠାରେ ଚାଲିଥିବା ଅସ୍ଥିରତାକୁ ନେଇ ଏସୀୟ କ୍ରିକେଟ୍ ପରିଷଦ ଚିନ୍ତାରେ ପଡ଼ିଯାଇଥିଲା । ଗତ ବୁଧବାରଦିନ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲା । ଏହାପରେ ଏକ ବିକଳ୍ପ ସ୍ଥାନ ଖୋଜାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁଁ ଏହି ଦେଶର ଶାସନ ବ୍ୟବସ୍ଥା ଭୁସୁଡ଼ି ପଡ଼ିଛି । ଏହି ଦେଶ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଏହାଫଳରେ ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରୁଛନ୍ତି । ଲୋକଙ୍କ ଆନ୍ଦୋଳନ ପରେ ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦ ଛାଡ଼ିବା ପରେ ରାନିଲ ବିକ୍ରମ ସିଂହେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର