ଏସିଆ କପ ସୁପର-୪: ଆଫଗାନିସ୍ତାନକୁ ୧୦୧ରନ୍‌ରେ ପରାସ୍ତ କଲା ଭାରତ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ଆଫଗାନିସ୍ତାନକୁ ୧୦୧ରନ୍‌ରେ ପରାସ୍ତ କଲା ଭାରତ । ଭାରତ ଆଜି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଏକତରଫା ବିଜୟ ହାସଲ କରିଛି । ଦ୍ବିତୀୟ ପାଳିରେ ଆଫଗାନିସ୍ତାନ ୨୧୩ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୧୧ ରନ୍‌ କରି ପରାସ୍ତ ହୋଇଛି । ଇବ୍ରାହିମ୍ ୫୯ ବଲରେ ୬୪ ରନ୍‌ କରିଥିବା ବେଳେ ରସିଦ ଖାନ ୧୯ ବଲରେ ୧୫ ରନ୍‌ ଓ ମୁଜିବ ଉର ରହମାନ ୧୩ ବଲରେ ୧୮ ରନ୍‌ କରିଥିଲେ । ଅନ୍ୟପଟେ ଭାରତ ପକ୍ଷରୁ ଦମ୍‌ଦାର ବୋଲିଂ ଦେଖିବାକୁ ମିଳିଥିଲା । ଭୁବନେଶ୍ୱର କୁମାର ୫ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଦୀପକ ହୁଡା ୧-୧ ୱିକେଟ ନେଇଥିଲେ । ଫଳରେ ଭାରତ ଏହି ମ୍ୟାଚ୍‌କୁ ୧୦୧ ରନରେ ଜିତିବା ସହ ନିଜର ଏସିଆ କପ ଅଭିଯାନ ଶେଷ କରିଛି

ପୂର୍ବରୁ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରର ୨୧୨ ରନ କରିଥିଲା । ବିଗତ ଦୁଇଟି ମ୍ୟାଚରେ ନିରାଶ କରିଥିବା ଭାରତୀୟ ବ୍ୟାଟର ଆଜି ଲୟରେ ଥିବା ଦେଖାଯାଇଥିଲା । କେଏଲ ରାହୁଲ ୬୨ ରନ କରିଥିବାବେଳେ ଋଷଭ ପନ୍ତ ୨୦ ରନ କରିଥିଲେ । ଭାରତୀୟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ଶତକ । ସେ ମାତ୍ର ୬୦ ବଲରେ ୧୨୨ ରନ କରିଥିଲେ ।

ଆଜିର ମ୍ୟାଚ ଉଭୟ ଦଳ ପାଇଁ କୌଣସି ଗୁରୁତ୍ବ ବହନ କରୁନଥିବାବେଳେ ଉଭୟ ଦଳ ସମ୍ମାନ ପାଇଁ ଖେଳୁଥିଲେ । ଗତକାଲି ଆଫଗାନିସ୍ତାନ ଲଢୁଆ ଖେଳ ପ୍ରଦର୍ଶନ କରି ବି ପାକିସ୍ତାନଠାରୁ ହାରିଯାଇଥିଲା । ସେହିପରି ଭାରତ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ହାରି ଫାଇନାଲ ଦୌଡରୁ ବାଦ ପଡ଼ିଥିଲା ।

ସମ୍ବନ୍ଧିତ ଖବର