ଦୁବାଇ : ଅତୁଳନୀୟ ରୋମାଞ୍ଚର ସମ୍ଭାର ନେଇ ଆସିଥିବା ଏସିଆ କପ୍ ମୁକାବିଲାକୁ ୫ ୱିକେଟ୍ରେ ଜିତି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ କଡ଼ା ଗଣ୍ଡାରେ ପ୍ରତିଶୋଧ ନେଇଛି ଭାରତ। ଦୁଇ ଦଳ ମଧ୍ୟରେ ଦୀର୍ଘ ୧୦ ମାସର ବ୍ୟବଧାନ ପରେ ହୋଇଥିବା ଏହି ମହାଟକ୍କରରେ ହାର୍ଦିକ ପାଣ୍ଡ୍ୟା (୩୩* ରନ୍, ୧୭ ବଲ୍, ୩/୨୫) ଛକା ମାରି ରୋହିତ ସେନାକୁ ବିଜୟୀ କରିବା ଭାରତୀୟଙ୍କ ଆନନ୍ଦକୁ ଦ୍ବିଗୁଣିତ କରିଛି। ରବିବାର ଦିନର ଏହି ହାଇଭୋଲ୍ଟେଜ୍ ମହାମୁକାବିଲାରେ ପାକିସ୍ତାନ ୧୪୮ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଭାରତ ଏହାକୁ ୨ ବଲ୍ ପୂର୍ବରୁ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା। ହୃତ୍ସ୍ପନ୍ଦନ ବନ୍ଦ ହୋଇଗଲା ଭଳି ରୋମାଞ୍ଚକ ଶେଷ ଓଭରରେ ଭାରତକୁ ବିଜୟ ପାଇଁ କେବଳ ୭ ରନ୍ର ଦରକାର ଥିଲା। ହେଲେ ରବୀନ୍ଦ୍ର ଜାଦେଜା (୩୫ ରନ୍, ୨୯ ବଲ୍) ପ୍ରଥମ ବଲ୍ରେ ବୋଲ୍ଡ ହେବା ପରେ ସମସ୍ତଙ୍କ ମନରେ ଛନକା ପଶି ଯାଇଥିଲା। ଜାେଦଜାଙ୍କ ସହ ପଞ୍ଚମ ୱିକେଟ୍ରେ ୫୨ ରନ୍ର ଭାଗୀଦାରି କରି ଭାରତ ପାଇଁ ଆଶା ସୃଷ୍ଟି କରିଥିବା ପାଣ୍ଡ୍ୟା କିନ୍ତୁ ନିଜ ପରାକ୍ରମୀ ବ୍ୟାଟ୍ ଚାଳନାରେ ପାକିସ୍ତାନ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ତା’ ସହ ଭାରତକୁ ସ୍ମରଣୀୟ ବିଜୟ ଉପହାର ଦେଇଥିଲେ। ଭାରତ ମଧ୍ୟ ନିଜ ପ୍ରଥମ ମ୍ୟାଚ୍ ଜିତି ଆତ୍ମବିଶ୍ବାସର ସହ ଏସିଆ କପ୍ ଅଭିଯାନ ଆରମ୍ଭ କରିଥିଲା।
ଗତବର୍ଷ ଅକ୍ଟୋବରରେ ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତକୁ ହରାଇଥିଲା। ଭାରତ ଏବେ ପାକିସ୍ତାନକୁ ଏସିଆ କପ୍ରେ ହରାଇ ହିସାବ ବରାବର କରିଛି। ଏସିଆ କପ୍ରେ ବି ପାକିସ୍ତାନ ବିପକ୍ଷରେ ଦଶମ ମ୍ୟାଚ୍ ଖେଳି ଅଷ୍ଟମ ବିଜୟ ହାସଲ କଲା। ବିରାଟ କୋହଲି ଫର୍ମକୁ ଫେରିବା ମଧ୍ୟ ଭାରତ ପାଇଁ ଆଉ ଏକ ଭଲ ଖବର ଥିଲା। ସେପଟେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୩୬ତମ ମ୍ୟାଚ୍ରେ ନେତୃତ୍ବ ନେଇଥିବା ରୋହିତ ଶର୍ମା ୩୦ତମ ବିଜୟ ପାଇ କୋହଲିଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ। ବଡ଼ ମ୍ୟାଚ୍ର ଚାପରେ ଚାପି ନହୋଇ ବିଜୟର ମିଠାମିଠା ସ୍ବାଦ ଚାଖିବାର ବଳିଷ୍ଠ ନମୁନା ଭାରତ ପୁଣି ଥରେ ଦେଖାଇଥିଲା। ଜାତୀୟ କ୍ରୀଡ଼ା ଦିବସର ଅବ୍ୟବହିତ ପୂର୍ବରୁ ଟିମ୍ ଇଣ୍ଡିଆର ଏହି ବିଜୟ ପରେ ସମଗ୍ର ଭାରତ ବର୍ଷ ଉତ୍ସବ ମୁଖର ହୋଇଯାଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ପାଣ୍ଡ୍ୟା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
କୋହଲିଙ୍କ ‘୧୦୦-୧୦୦-୧୦୦’ କୀର୍ତ୍ତିମାନ ଦୁବାଇ ସ୍ପୋର୍ଟସ କ୍ଲବ୍ ଷ୍ଟାଡିୟମ୍ରେ ଉପସ୍ଥିତ ୩୦,୦୦୦ରୁ ଅଧିକ ଏବଂ ଟେଲିଭିଜନ୍ ପରଦାରେ ଏହି ମହାଲଢ଼େଇକୁ ଉପଭୋଗ କରୁଥିବା କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଓ ଉଲ୍ଲାସ ଭିତରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ଆଶାଜନକ ଭାବେ ରୋମାଞ୍ଚ ଓ ଉତ୍କଣ୍ଠାଭରା ଥିଲା।
/sambad/media/post_attachments/wp-content/uploads/2022/08/sports-fff-750x430.jpg)
ମନ୍ତ୍ରମୁଗ୍ଧ ମାହୋଲରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେଉଥିଲେ ମଧ୍ୟ ସମଗ୍ର କ୍ରିକେଟ୍ ଦୁନିଆ ହୋଇ ଉଠିଥିଲା ଚଳଚଞ୍ଚଳ। ତେବେ ଏହି ହାଇଭୋଲଟେଜ୍ ମହାମୁକାବିଲାରେ ଭାରତ ପଶ୍ଚାତଧାବନର ପ୍ରଥମ ଓଭର ଥିଲା ବେଶ୍ ଘଟଣା ବହୁଳ। ନସିମ ସାହଙ୍କ ଏହି ଓଭରର ଦ୍ବିତୀୟ ବଲ୍ରେ ଦୀର୍ଘ ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରି ପୁରୁଣା ଚମକ ଫେରି ପାଇବାକୁ ଯୁଝୁଥିବା କେଏଲ୍ ରାହୁଲ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ବଲ୍ ରାହୁଲଙ୍କ ବ୍ୟାଟ୍ ଧାରରେ ବାଜି ଷ୍ଟମ୍ପରେ ପଶିବା ପରେ ଭାରତ ମାତ୍ର ୧ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା। ତେବେ ସମସ୍ତଙ୍କ ନଜର ଥିଲା ବିରାଟ କୋହଲିଙ୍କ ଉପରେ। ଦୀର୍ଘ ଦେଢ଼ ମାସ ପରେ ଭାରତୀୟ ଦଳକୁ ଫେରି ତୃତୀୟ ସ୍ଥାନରେ ଆସିଥିବା କୋହଲି ପ୍ରଥମ ବଲ୍କୁ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ। ତେବେ ଅଫ୍ ଷ୍ଟମ୍ପ୍ ବାହାରେ ଥିବା ପରବର୍ତ୍ତୀ ବଲ୍କୁ ଅଭ୍ୟାସଗତ ଭାବେ କେଞ୍ଚାକେଞ୍ଚି କରି ତୃତୀୟ ସ୍ଲିପ୍କୁ କ୍ୟାଚ୍ ଦେଇଥିଲେ। ଫକର ଜମାନ ଦ୍ରୁତ ଗତିରେ ଯାଇଥିବା ଏହି କ୍ୟାଚ୍କୁ ହାତଛଡ଼ା କରିବା ପରେ ଗୋଟିଏ ବଲ୍ ବ୍ୟବଧାନରେ ଭାରତ ଆଉ ଏକ ମସ୍ତବଡ଼ ଝଟ୍କା ଖାଇବାରୁ ବର୍ତ୍ତି ଯାଇଥିଲା। ଅବଶ୍ୟ କୋହଲିଙ୍କ ବ୍ୟାଟ୍ରୁ ହିଁ ଭାରତର ପ୍ରଥମ ଚୌକା ଆସିଥିଲା। ଧେର୍ଯ୍ୟର ସହ ଖେଳି ନିଜ ଶତକୀୟ ମୁକାବିଲାକୁ ସ୍ମରଣୀୟ କରିବାକୁ ଚେଷ୍ଟା କରୁଥିବା କୋହଲି କିନ୍ତୁ ବ୍ୟକ୍ତିଗତ ୩୫ ରନ୍ରେ ମହମ୍ମଦ ନୱାଜଙ୍କ ହାତରେ ଧରାପଡ଼ିଯାଇଥିଲେ। ଅଷ୍ଟମ ଓଭରର ଶେଷ ବଲ୍ରେ ରୋହିତ ଶର୍ମାଙ୍କୁ ଶିକାର କରିଥିବା ପାକ୍ ସ୍ପିନର ମହମ୍ମଦ ନୱାଜ ନିଜ ପରବର୍ତ୍ତୀ ଓଭରର ପ୍ରଥମ ବଲ୍ରେ କୋହଲିଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ରେ ଥିଲେ ବି ସଫଳ ହୋଇନଥିଲେ। କୋହଲି କିନ୍ତୁ ଦିନିକିଆ, ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ରେ ୧୦୦ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ କରି ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୧୨ ରନ୍ କରିଥିଲେ।
/sambad/media/post_attachments/wp-content/uploads/2022/08/rrrr-3-651x430.jpg)
ଦ୍ରୁତ ବୋଲିଂରୁ ସମସ୍ତ ୧୦ ୱିକେଟ୍
୩୦୦ରୁ ଅଧିକ ଦିନରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଏହି କ୍ରିକେଟ୍ ମହାଯୁଦ୍ଧ ଆରମ୍ଭରୁ ଭାରତକୁ ଭାଗ୍ୟ ସହାୟ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ମହତ୍ବପୂର୍ଣ୍ଣ ଟସ୍ ଜିତିବା ସହ ପାକିସ୍ତାନକୁ ତୁରନ୍ତ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ବିଶ୍ବର ଏକନମ୍ବର ଟ୍ବେଣ୍ଟି-୨୦ ବ୍ୟାଟର୍ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ସଫଳ ଯୋଡ଼ି ପଡ଼ିଆ ଭିତରକୁ ଆସିବା ସହ ପାକିସ୍ତାନ ପ୍ରଶଂସକଙ୍କ ରଡ଼ିରେ ଦୁବାଇ ସ୍ପୋର୍ଟସ କ୍ଲବ୍ ପଡ଼ିଆ କମ୍ପି ଉଠିଥିଲା। ତେବେ ପାକ୍ ପ୍ରଶଂସକଙ୍କ ଏହି ଆନନ୍ଦ ଉଲ୍ଲାସ କ୍ଷଣସ୍ଥାୟୀ ଥିଲା। ଭୁବନେଶ୍ବର କୁମାରଙ୍କ ନେତୃତ୍ବରେ ଭାରତୀୟ ଦ୍ରୁତ ବୋଲର ଭୟଙ୍କର ବୋଲିଂ କରି ଜଣେ ପରେ ଜଣେ ପାକିସ୍ତାନୀ ବ୍ୟାଟର୍ଙ୍କୁ ପ୍ୟାଭିଲିୟନ ଫେରାଇ ପ୍ରତିପକ୍ଷ ଶିବିରରେ ଏକପ୍ରକାର ଝଡ଼ ସୃଷ୍ଟି କରିଥିଲେ। ଏପରିକି ଟ୍ବେଣ୍ଟି-୨୦ରେ ଭାରତ ପ୍ରଥମ ଥର ଲାଗି ଦ୍ରୁତ ବୋଲରଙ୍କ ବଳରେ ପ୍ରତିପକ୍ଷ ଦଳର ସମସ୍ତ ୧୦ ୱିକେଟ୍ କରାୟତ୍ତ କରିନେଇଥିଲା। ଏକଦା ହ୍ୟାଟ୍ରିକ୍ ନେବାର ଦ୍ବାର ଦେଶରେ ଥିବା ଭୁବି ଦୁଇଟି ସ୍ପେଲ୍ରେ ନିଜ ଯାଦୁ ଦେଖାଇଥିଲେ। ପ୍ରଥମ ସ୍ପେଲ୍ରେ ଗୋଟିଏ ୱିକେଟ୍ ନେବା ପରେ ସ୍ଲଗ୍ ଓଭରରେ ଫେରି ଆସିଫ ଅଲୀ, ସଦାବ ଖାନ୍ ଓ ନସିମ ସାହଙ୍କୁ ଆଉଟ୍ କରିଥିଲେ। ପାକିସ୍ତାନ ବିପକ୍ଷରେ କୌଣସି ଭାରତୀୟ ବୋଲରଙ୍କର ଏହା ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଚିତ୍ର ଥିଲା। ଭୁବି (୪/୨୬) ଏବଂ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା (୩/୨୫) ନିଜ ନିଜ ମଧ୍ୟରେ ୭ ୱିକେଟ୍ ବାଣ୍ଟି ନେଇ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଅନ୍ୟ ତିନିଟି ୱିକେଟ୍ ଅର୍ଶଦୀପ ସିଂହ (୨) ଏବଂ ଆୱେଶ ଖାନ୍ ଅକ୍ତିଆର କରି ନେଇଥିଲେ। ପାକିସ୍ତାନ ୧୩୦ ରନ୍ ତଳେ ଅଟକି ଯିବାର ଆଶଙ୍କା ଥିଲେ ମଧ୍ୟ ଏକାଦଶ ସ୍ଥାନ ବ୍ୟାଟର୍ ଶାହନୱାଜ ଦହାନୀଙ୍କ ଯୁଗଳ ଛକା ବଳରେ ୧୪୭ ରନ୍ରେ ପହଞ୍ଚି ଯାଇଥିଲା। ଠିକ୍ ଦୁଇ ଘଣ୍ଟା ଭିତରେ ହିଁ ପାକିସ୍ତାନ ପାଳି ଶେଷ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Untitled-1-3.jpg)