ଦୁବାଇ: ସୁପର-୪ରେ ଆଉ ଏକ ଜବରଦସ୍ତ ପ୍ରଦର୍ଶନ ସହ ବାଂଲାଦେଶକୁ ୪୧ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରି ଚଳିତ ଏସିଆ କପ୍ର ଫାଇନାଲ୍ରେ ସ୍ଥାନ ପକ୍କା କରିନେଇଛି ଭାରତ। ତା’ ସହିତ ନବମ ଥର ବିଜେତା ହେବା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛି। ବୁଧବାରର ଏହି ମ୍ୟାଚ୍ରେ ୧୬୯ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୨୭ ରନ୍ରେ ଅଟକି ଯାଇଥିଲା। ସୈଫ ହାସେନ ୬୯ ଏବଂ ପର୍ଭେଜ ହୁସେନ ଏମନ ୨୧ ରନ୍ଙ୍କ ଛଡ଼ା ଅନ୍ୟ କୌଣସି ବାଂଲାଦେଶୀ ବ୍ୟାଟର୍ ଦୁଇଅଙ୍କ ଛୁଇଁ ପାରି ନଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ୩ ଏବଂ ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ଏହା ପୂର୍ବରୁ ଅଭିଷେକ ଶର୍ମାଙ୍କ ଧମାକାଦାର ୭୫ ରନ୍ ବଳରେ ଭାରତ ୬ ୱିକେଟ୍ ବିନିମୟରେ ୧୬୮ ରନ୍ କରିଥିଲା। ଅଭିଷେକ ଶର୍ମା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଭାରତର ବୃହତ୍ ବିଜୟ ପରେ ଗୁରୁବାରର ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ କିନ୍ତୁ ସେମିଫାଇନାଲ୍ ସଦୃଶ ହୋଇଛି। ଏହି ମ୍ୟାଚ୍କୁ ଯିଏ ଜିତିବ, ସିଏ ୨୮ ତାରିଖ (ରବିବାର) ଫାଇନାଲ୍ରେ ଅପରାଜେୟ ଭାରତର ମୁକାବିଲା କରିବ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଗୋଟିଏ ଲେଖାଏଁ ବିଜୟ, ପରାଜୟ ପାଇଛନ୍ତି। ଏଣୁ ଏବେ କର ବା ମର ସ୍ଥିତିରେ ରହିଛନ୍ତି। ଅନ୍ୟପକ୍ଷରେ ଗତଥରର ବିଜେତା ଶ୍ରୀଲଙ୍କାର ଗୋଟିଏ ମ୍ୟାଚ୍ ବାକି ଥିଲେ ମଧ୍ୟ ଏହି ଦଳ ରନ୍ ରେଟ୍ରେ ବହୁ ପଛରେ ଥିବାରୁ ସୁପର-୪ରୁ ବିଦାୟ ନେଇଛି। ଏହା ପୂର୍ବରୁ ନିଜ ପ୍ରଥମ ମ୍ୟାଚ୍ରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇଥିବା ଭାରତ ଶେଷ ମ୍ୟାଚ୍ରେ ଶ୍ରୀଲଙ୍କାକୁ ଶୁକ୍ରବାର ଭେଟିବ। ତେବେ ଏହାର କୌଣସି ପ୍ରଭାବ ଟିମ୍ ଇଣ୍ଡିଆର ଫାଇନାଲ୍ ପ୍ରବେଶ ଉପରେ ପଡ଼ିବନି।