ଦୁବାଇ: ଆଉ ଏକ ରବିବାର, ଆଉ ଏକ ଭାରତ-ପାକିସ୍ତାନ ମୁକାବିଲା। ଏସିଆ କପ୍ ଫାଇନାଲ୍ରେ ଟ୍ରଫି ପାଇଁ ଟକ୍କର କରିବେ ଦୁଇ ପଡ଼ୋଶୀ ଶତ୍ରୁରାଷ୍ଟ୍ର। ଗୁରୁବାରର ସେମିଫାଇନାଲ୍ ସଦୃଶ ମୁକାବିଲାରେ ବାଂଲାଦେଶକୁ ୧୧ ରନ୍ରେ ହରାଇ ପାକିସ୍ତାନ ଫାଇନାଲ୍ରେ ପ୍ରବେଶ କରିବା ପରେ ଏଭଳି ସୁଯୋଗ ସୃଷ୍ଟି ହୋଇଛି। ଏଥି ସହିତ ଶୁକ୍ରବାରର ଭାରତ-ଶ୍ରୀଲଙ୍କା ଶେଷ ସୁପର୍-୪ ମୁକାବିଲା ଗୁରୁତ୍ବ ହରାଇଛି।
ଗୁରୁବାର ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବା ବାଂଲାଦେଶ, ପାୱାର ପ୍ଲେ ଭିତରେ ପାକିସ୍ତାନକୁ ୨୭/୨ରେ ସଂଘର୍ଷ କରିବାକୁ ବାଧ୍ୟ କରିଥିଲା। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଚତୁର୍ଥ ଥର ପାଇଁ ସୈମ ଆୟୁବ ଶୂନରେ ଆଉଟ୍ ହୋଇ ଏକ ଅଲୋଡ଼ା ରେକର୍ଡ କରିଥିଲେ। ଏହି ୪ଟି ଶୂନରୁ ଚଳିତ ସଂସ୍କରଣର ଏସିଆ କପ୍ରେ ସେ ତିନିଥର ଖାତା ଖୋଲି ପାରିନାହାନ୍ତି। ଗୁରୁବାର ସାହିବଜାଦା ଫରହାନ୍, ଫଖର ଜମାନ, ହୁସେନ୍ ତଲତ୍ ପ୍ରମୁଖ ବି ସଂଘର୍ଷ କରିବାରୁ ପାକିସ୍ତାନ ପ୍ରତିଟି ରନ୍ ପାଇଁ ଯୁଝିଥିଲା। ଅଧିନାୟକ ସଲମାନ ଆଗା (୨୩ ବଲ୍ରୁ ୧୯ ରନ୍) ବି ପ୍ରଭାବ ଛାଡ଼ିପାରି ନଥିଲେ। ଶେଷ ଭାଗରେ ମହମ୍ମଦ ହାରିସ୍ (୩୧), ମହମ୍ମଦ ନୱାଜ (୨୫), ସାହିନ୍ ଶାହ ଆଫ୍ରିଦି (୧୯)ଙ୍କ ଛୋଟ ଛୋଟ ପାଳି କାରଣରୁ ପାକିସ୍ତାନ ୧୩୫ ରନ୍ର ସ୍କୋର୍ କରିଥିଲା। ବାଂଲାଦେଶ ପକ୍ଷରୁ ତସ୍କିନ୍ ଅହମ୍ମଦ (୩/୨୮), ରିସଦ୍ ହୋସେନ୍ (୨/୧୮), ମେହେଦି ହାସନ୍ (୨/୨୮) ଓ ମୁସ୍ତାଫିଜୁର ରହମାନ (୧/୩୩) ୱିକେଟ୍ ବାଣ୍ଟି ନେଇଥିଲେ।
ଜବାବରେ ବାଂଲାଦେଶ ବି ସଂଘର୍ଷ କରିଥିଲା। ପାୱାର ପ୍ଲେ ୬ ଓଭରରେ ୩୬/୩ରେ ପହଞ୍ଚି ଭଲ ଆରମ୍ଭ କରିପାରି ନଥିଲା। ସାହିନ୍ ଶାହ ଆଫ୍ରିଦି (୪-୦-୧୭-୩) ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ମଧ୍ୟଭାଗରେ ଦୁଇ ସ୍ପିନର୍ ମହମ୍ମଦ ନୱାଜ (୩-୦-୧୪-୧) ଓ ସୈମ ଆୟୁବ (୪-୦-୧୬-୨) ନିୟନ୍ତ୍ରିତ ବୋଲିଂ କରି ବାଂଲାଦେଶକୁ ବାନ୍ଧି ରଖିଥିଲେ। ହାରିସ୍ ରୌଫ (୪-୦-୩୩-୩) ମଧ୍ୟ ଶେଷକୁ ଗୋଟିଏ ଓଭରରେ ଡବଲ୍ ଝଟକା ସହ ବାଂଲାଦେଶକୁ ବୁଡ଼ାଇ ଦେଇଥିଲେ। ବାଂଲାଦେଶ ପକ୍ଷରୁ ସମିବ୍ ହୋସେନ୍ ସର୍ବାଧିକ ୩୦ ରନ୍ କରି ପାରିଥିଲେ। ବାଂଲାଦେଶ ୧୨୪/୯ରେ ସୀମିତ ରହିଯାଇଥିଲା।