ଏସିଆ କପ୍‌: ହାଇଭୋଲଟେଜ୍‌ ମୁକାବିଲାରେ ପାକିସ୍ତାନକୁ ୮ ଓ୍ଵିକେଟ୍‌ରେ ହରାଇଲା ଭାରତ

ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ

ଦୁବାଇ: ଚଳିତ ଏସିଆ କପ୍‌ର ହାଇଭୋଲଟେଜ୍‌ ମୁକାବିଲାରେ ଭାରତ ୮ ଓ୍ଵିକେଟ୍‌ରେ ବୁଧବାର ପାକିସ୍ତାନକୁ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଭାରତ ୨୯ ଓଭରରେ ୨ ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ ସଂଗ୍ରହ କରିଛି। ଅମ୍ବାତି ରାୟଡୁ ଅପରାଜିତ ୩୧ ରନ ଯୋଡ଼ିଥିବା ବେଳେ ଦିନେଶ କାର୍ତ୍ତିକ ଅପରାଜିତ ୩୧ ରନ ସଂଗ୍ରହ କରିଛନ୍ତି।

ଭାରତ ୧୬୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଓପନ୍‌ର ଯୋଡ଼ି ଅଧିନାୟକ ରୋହିତ ଶର୍ମା(୫୨) ଓ ଶିଖର ଧାଓ୍ଵନ(୪୬) ପ୍ରଥମ ଓ୍ଵିକେଟ୍‌ ପାଇଁ ୮୬ ରନ୍‌ ଯୋଡ଼ିଥିଲେ। ରୋହିତ ୩୯ଟି ବଲ ଖେଳି ୬ଟି ଚୌକା ଓ ୩ ଛକା ମାରିବା ପରେ ସାଧବ ଖାନ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ପାକିସ୍ତାନର ୨ୟ ଶିକାର ହୋଇଥିଲେ ଶିଖର ଧାଓ୍ଵନ। ଭାରତର ସ୍କୋର ୧୦୪ ରନ୍‌ ଥିବା ବେଳେ ଧାଓ୍ଵନ ୫୪ଟି ବଲ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ପ୍ରଭାବଶାଳୀ ବୋଲିଂରେ ପାକିସ୍ତାନୀ ବ୍ୟାଟସ୍‌ମ୍ୟାନମାନେ ଲକ୍ଷ୍ୟ ଭ୍ରଷ୍ଟ ହୋଇଥିଲେ। ଏସିଆ କପ୍‌ର ଗ୍ରୁପ୍‌-ଏ ମ୍ୟାଚରେ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନ ୪୩.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୬୨ ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତକୁ ୧୬୩ ରନ୍‌ ଟାର୍ଗେଟ ମିଳିଥିଲା। ଭାରତୀୟ ବୋଲର ଭୁବନେଶ୍ୱର କୁମାର ଓ କେଦାର ଯାଧବଙ୍କୁ ୩ଟି ଲେଖାଏଁ ଓ୍ଵିକେଟ୍‌ ମିଳିଥିବା ବେଳେ ଯସପ୍ରୀତ ବୁମାରଙ୍କୁ ୨ଟି କୁଲଦୀପ ଯାଦବଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ଏସିଆ କପ୍‌ର ହାଇଭୋଲଟେଜ ମୁକାବିଲାରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ସୋଏବ ମଲ୍ଲିକ(୪୩) ରନ୍‌ ଆଉଟ୍‌ ହେବା ପରେ ଆସିଫ ଅଲି(୬) କେଦାର ଯାଧବଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ। ଦୁବାଇରେ ଚାଲିଥିବା ଏସିଆ କପ୍‌ର ଗ୍ରୁପ-ଏ ମ୍ୟାଚରେ ଭାରତର ୪ର୍ଥ ଶିକାର ହୋଇଛନ୍ତି ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମଦ(୬)। ସେ କେଦାର ଯାଦବଙ୍କ ବଲ ମନୀଷ ପାଣ୍ଡେଙ୍କୁ କ୍ୟାଚ ଦେଇଥିଲେ।

ପାକିସ୍ତାନର ସ୍କୋର ୨ ରନ୍‌ରେ ଇମାମ୍‌ ଉଲ୍‌-ହକ୍‌, ୩ ରନ୍‌ରେ ଫାକର ଆଜମ, ୮୫ ରନ୍‌ରେ ବାବର ଆଜମ, ୯୬ ରନ୍‌ରେ ସର୍ଫରାଜ ଅହମଦ, ୧୦୦ ରନ୍‌ରେ ସୋଏବ ମଲ୍ଲିକ, ୧୧୦ ରନ୍‌ରେ ଆସିଫ ଅଲି, ୧୨୧ ରନ୍‌ରେ ସାଧବ ଖାନ୍‌, ୧୫୮ ରନ୍‌ରେ ଫହୀମ ଆସରଫ ଓ ୧୬୦ ରନ୍‌ରେ ହାସନ ଅଲି ଆଉଟ ହୋଇଥିଲେ।

ପୂର୍ବରୁ ବାବର ଆଜମ ୬୨ଟି ବଲ ଖେଳି ୪୭ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା। ଏକଦା ପାକିସ୍ତାନ ୨୫ଟି ବଲରେ ୩ ରନରେ ୨ଟି ଓ୍ଵିକେଟ ହରାଇଥିଲା। ଓପନର ଇମାମ-ଉଲ-ହକ୍‌ ୭ଟି ବଲ ସମ୍ମୁଖୀନ ହୋଇ ୨ ରନ୍‌ ଯୋଡ଼ିବା ପରେ ଭୁବନେଶ୍ୱର କୁମାରଙ୍କ ବଲ ଓ୍ଵିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ଭୁବନେଶ୍ୱର କୁମାରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ଫାକର ଆଜମ(୦)।

ସମ୍ବନ୍ଧିତ ଖବର