କରାଚି: ଏସିଆ କପ୍‌ ପାକିସ୍ତାନରେ ଆୟୋଜିତ ହେଲେ ଭାରତ ଅଂଶଗ୍ରହଣ କରିବନି ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସିଧାସଳଖ ମନା କରିଦେଇଥିଲା। ଏସିସି ବୈଠକରେ ମଧ୍ୟ ବିସିସିଆଇ ସଂପାଦକ ଜୟ ଶାହା ଏନେଇ ଭାରତର ଆଭିମୁଖ୍ୟ ରଖିଥିଲେ। ଉଭୟ ଦେଶ ମଧ୍ୟରେ ରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ଏସିଆ କପ୍‌କୁ ଯେକୌଣସି ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରାଯାଉ ବୋଲି ବିସିସିଆଇ ପ୍ରସ୍ତାବ ରଖିଥିଲା। ଏହାର ପାଲଟି ଜବାବ ଦେଇ ପାକିସ୍ତାନ ମଧ୍ୟ ଭାରତରେ ଆୟୋଜିତ ଦିନିକିଆ ବିଶ୍ବକପ୍‌ରୁ ଓହରିଯିବାର ଧମକ ଦେଇଥିଲା। ଏଭଳି ସ୍ଥିତିରେ ଏସିଆ କପ୍‌ ଆୟୋଜନ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ତେବେ ଏସିଆ କପ୍‌ ଆୟୋଜନ ଅଧିକାର ହରାଇବାକୁ ଚାହୁନଥିବା ପାକିସ୍ତାନ ଏବେ ନରମ ଆଭିମୁଖ୍ୟ ଦେଖାଇଛି। ଆମେ ଏସିଆ କପ୍‌ ଆୟୋଜନ କରିବୁ। ମାତ୍ର ଭାରତ ଯେକୌଣସି ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍‌ ଖେଳିପାରିବ ବୋଲି ଶୁକ୍ରବାର ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପ୍ରସ୍ତାବ ବାଢ଼ିଛି। ପିସିବିର କହିବା କଥା ହେଲା, ଭାରତ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍‌ ଖେଳିପାରିବ ଏବଂ ପାକିସ୍ତାନ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ଦଳ ଆୟୋଜକ ଦେଶରେ ହିଁ ମ୍ୟାଚ୍‌ ଖେଳିବେ ବୋଲି ରମିଜ ରାଜାଙ୍କ ପରେ ପିସିବିର ଆ ଅଧ୍ୟକ୍ଷ ଦାୟିତ୍ବ ନେଇଥିବା ନଜମ ସେଠୀ ପ୍ରସ୍ତାବ ଦେଇଛନ୍ତି। ଏଭଳି ପ୍ରସ୍ତାବକୁ ପିସିବି ମଧ୍ୟ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି)କୁ ପଠାଇଦେଇଛି ବୋଲି ନଜମ ସେଠୀ କହିଛନ୍ତି।

Advertisment

ପୁଣି ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦାରି ଆସନ୍ତା ମାସରେ ଭାରତ ଗସ୍ତରେ ଯିବାକୁ ଥିବାରୁ ଉଭୟ ଦେଶ ମଧ୍ୟରେ ସଂପର୍କରେ ସୁଧାର ଆସିପାରିବ ବୋଲି ପିସିବି ଆଶା ବାନ୍ଧିଛି। ସେହିପରି ଏସିଆ କପ୍‌ରେ ପାକିସ୍ତାନ ଯଦି ଭାରତର ସମସ୍ତ ମ୍ୟାଚ୍‌ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରିବ ତାହାଲେ ଦିନିକିଆ ବିଶ୍ବକପ୍‌ ବେଳେ ଭାରତ ମଧ୍ୟ ଅନୁରୂପ ଭାବେ ପାକିସ୍ତାନର ସମସ୍ତ ମ୍ୟାଚ୍‌ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରିବା ଉଚିତ ବୋଲି ନଜମ ସେଟ୍ଟୀ ସୂଚାଇ ଦେଇଛନ୍ତି। ତେବେ ପିସିବିର ଦୈତ ପ୍ରସ୍ତାବ ଉପରେ ଏସିସି କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। କାରଣ ବ୍ୟୟ ଭାର ହ୍ରାସ କରିବାକୁ ପୂରା ଏସିଆ କପ୍‌ ପାକିସ୍ତାନ ପରିବର୍ତେ ଯେକୌଣସି ନିରପେକ୍ଷ ଭେନ୍ୟୁରେ ଆୟୋଜିତ ହେଉ ବୋଲି ଏସିସି ସଦସ୍ୟମାନେ ମଧ୍ୟ ଚାହୁଁଥିବାରୁ ପିସିବିର ପ୍ରସ୍ତାବ କେତେଦୂର ଗ୍ରହଣୀୟ ହେବ ତାହା ସମୟ କହିବ।

ସୂଚନାଯୋଗ୍ୟ, ୬ ଦଳୀୟ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ବ୍ୟତୀତ ଶ୍ରୀଲଙ୍କା, ଆଫ୍‌ଗାନିସ୍ତାନ, ବାଂଲାଦେଶ ଏବଂ ଏସିସି କ୍ବାଲିଫାୟରର ଗୋଟିଏ ଦଳ ଏଥିରେ ସାମିଲ ରହିବେ। ଏହି ପ୍ରତିଯୋଗିତା ଚଳିତ ବର୍ଷ ସେପ୍ଟେମ୍ବର ୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ତଥାପି ଭେନ୍ୟୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ମ୍ୟାଚ୍‌ ସୂଚୀ ଘୋଷଣା ହୋଇପାରିନାହିଁ।