ଭାରତକୁ ଏସିଆ କପ୍‌ କ୍ବାଲିଫାୟର୍ସ ରାଉଣ୍ଡ ୩ ଟିକେଟ୍‌

ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ: ଆଫ୍‌ଗାନିସ୍ତାନ ସହ ପଏଣ୍ଟ୍‌ ବାଣ୍ଟିଲା

ଦୋହା: ୨୦୨୨ ବିଶ୍ବକପ୍‌ ଯୋଗ୍ୟତାରୁ ବାଦ୍‌ ପଡ଼ିସାରିଥିବା ଭାରତ କିନ୍ତୁ ୨୦୨୩ ଏସିଆ କପ୍‌ କ୍ବାଲିଫାୟର୍ସ ରାଉଣ୍ଡ-୩ ଟିକେଟ୍‌ ନିଶ୍ଚିତ କରିଛି। ମଙ୍ଗଳବାର ‌ଦୋହାସ୍ଥିତ ଯଶିମ ବିନ୍‌ ହମାଦ ଷ୍ଟାଡିୟମରେ ଖେଳାଯାଇଥିବା ୨୦୨୨ ବିଶ୍ବକପ୍‌ ଏବଂ ୨୦୨୩ ଏସିଆ କପ୍‌ ‌ଯୋଗ୍ୟତା ପର୍ଯ୍ୟାୟର ଆଫ୍‌ଗାନିସ୍ତାନ ବିପକ୍ଷ ଶେଷ ମ୍ୟାଚ୍‌କୁ ସୁନିଲ ଛେତ୍ରୀଙ୍କ ଭାରତୀୟ ଦଳ ୧-୧ ଗୋଲ୍‌ରେ ଅମୀମାଂସିତ ରଖି ଏହି ସଫଳତା ହାତେଇଛି। ଫଳରେ ଭାରତ ୮ ମ୍ୟାଚ୍‌ରୁ ୧ ବିଜୟ, ୪ ଅମୀମାଂସିତ ଓ ୩ ପରାଜୟରୁ ମୋଟ ୭ ପଏଣ୍ଟ୍‌ ପାଇ ଗ୍ରୁପ୍‌-ଇ’ର ତୃତୀୟ ସ୍ଥାନରେ ରହି ‌ଏହି ଯୋଗ୍ୟତା ଅର୍ଜନ କରିଛି।

ମଙ୍ଗଳବାର ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟ ଭାବେ ‌ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଓଭାସ ଅଜିଜ (୭୫ ମିନିଟ୍‌)ଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ଭାରତ ୧-୦ରେ ଅଗ୍ରଣୀ ନେଇଥିଲା। ହେଲେ ଏହାର ୭ ମିନିଟ୍‌ ପରେ ହୁସେନ ଜମାନି (୮୨ ମିନିଟ୍‌)ଙ୍କ ଗୋଲ୍‌ରେ ଆଫ୍‌ଗାନିସ୍ତାନ ମ୍ୟାଚ୍‌କୁ ୧-୧ ସ୍ତରକୁ ଆଣିଥିଲା। ଏହା ପରେ ଉଭୟ ଦଳ ଗୋଲ୍‌ ଦେବାକୁ ସଂଘର୍ଷ କରିଥିଲା ମଧ୍ୟ କେହି କାହାରିକି ଗୋଲ୍‌ ଦେବାକୁ ସକ୍ଷମ ନହେବାରୁ ଉଭୟ ଦଳ ୧-୧ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଥିଲେ। ଆଫ୍‌ଗାନିସ୍ତାନ ସମାନ ସଂଖ୍ୟକ ମ୍ୟାଚ୍‌ରୁ ୬ ପଏଣ୍ଟ୍‌ ସହ ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ‌‌ତେବେ‌ ଏହି ମ୍ୟାଚ୍‌ରେ ଗୋଲ୍‌ ଦେଇ ସର୍ବକାଳୀନ ଶ୍ରେଷ୍ଠ ୧୦ ସ୍କୋରର୍‌ ତାଲିକାରେ ଯୋଡ଼ି ହେବାର ଅଶା ରଖିଥିବା ଭାରତୀୟ ଗୋଲ୍‌ ମେସିନ୍‌ ସୁନିଲ ଛେତ୍ରୀ ମଧ୍ୟ ସଫଳ ହୋଇନାହାନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ଗୋଟିଏ ଗୋଲ୍‌ ଦୂରରେ ଥିବା ସୁନିଲ ଗୋଲ୍‌ ଶୂନ୍ୟ ରହିଥିଲେ। ଫଳରେ ଏବେ ତାଙ୍କୁ ଆଉ ଏକ ମ୍ୟାଚ୍‌କୁ ଅପେକ୍ଷା କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର