ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳା ଖେଳିବାକୁ ଇଂଲଣ୍ଡ ଗସ୍ତ ପୂର୍ବରୁ ଶୁବମନ ଗିଲ୍ଙ୍କୁ ନେଇ ଅନେକ ଦ୍ବନ୍ଦ୍ବ ଉପୁଜିଥିଲା। ଇଂଲିସ୍ ପରିବେଶରେ ବ୍ୟାଟିଂରେ ଛାପ ଛାଡ଼ିବା ନେଇ ସନ୍ଦେହ ଥିଲା, ପ୍ରଥମ ଥର ନେତୃତ୍ବ ନେଉଥିବାରୁ ଆଶଙ୍କା ବି ଥିଲା। ସବୁ ସନ୍ଦେହକୁ ଦୂର କରିବା ସହ ସେ ଅନେକ ପ୍ରଶ୍ନର ଉତ୍ତର ବି ଦେଇ ସାରିଛନ୍ତି। ୫ ମ୍ୟାଚ୍ ଶୃଙ୍ଖଳାରୁ ୭୫୪ ରନ୍ ସଂଗ୍ରହ କରିବା ସହ ଅଧିନାୟକ ଭାବେ ପ୍ରଥମ ଶୃଙ୍ଖଳାରେ ୪ ଶତକ (ଗୋଟିଏ ଦ୍ବିଶତକ) ବି ହାସଲ କରିଥିଲେ। ସର୍ବୋଚ୍ଚ ବ୍ୟକ୍ତିଗତ ପାଳି ୨୬୯ ରନ୍ ବି ସଂଗ୍ରହ କରିଥିଲେ। ଏବେ ଏସିଆ କପ୍ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରବର୍ତ୍ତୀ ବଡ଼ ଇଭେଣ୍ଟ୍ ହୋଇଥିବାରୁ ଗିଲ୍ଙ୍କୁ ଏହି ଛୋଟ ଫର୍ମାଟକୁ ଆଣିବା ଚର୍ଚ୍ଚା ବି ବଢ଼ିଛି। କେବଳ ତାଙ୍କୁ ଟ୍ବେଣ୍ଟି-୨୦ ଦଳକୁ ଆଣିବା ନୁହେଁ ସୂର୍ଯ୍ୟକୁମାର ୟାଦବଙ୍କ ଡେପୁଟି (ଉପଅଧିନାୟକ) କରିବାକୁ ବି ସ୍ବର ଉଠିଛି। ବର୍ତ୍ତମାନର ସ୍ଥିତି ଭିନ୍ନ ରହିଥିଲେ ବି ବିସିସିଆଇ ସବୁବେଳେ ଜଣଙ୍କୁ ଅଲ୍ ଫର୍ମାଟ ଅଧିନାୟକ କରିବା ସପକ୍ଷରେ ରହି ଆସିଥିଲା। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପରେ ଗିଲ୍ ଭାରତର ପରବର୍ତ୍ତୀ ବ୍ରାଣ୍ଡ୍ କ୍ରିକେଟର୍ ହେବାର ଦାବିଦାର ରହିଥିବାରୁ ସେ ତୁରନ୍ତ ବି ସମସ୍ତ ଫର୍ମାଟରେ ନେତୃତ୍ବ ନେବା ଯୁକ୍ତି ଅସଂଗତ ଲାଗୁନାହିଁ। କିନ୍ତୁ ଦିନିକିଆ ପୂର୍ବରୁ ଗିଲ୍ଙ୍କୁ ପ୍ରଥମେ ଟ୍ବେଣ୍ଟି-୨୦ରେ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ପଡ଼ିପାରେ। ଟ୍ବେଣ୍ଟି-୨୦ ଖେଳାଳି ଭାବେ ଗିଲ୍ ୨୧ ଅନ୍ତର୍ଜାତୀୟ ମ୍ୟାଚ୍ରୁ ୩୦.୪୨ ହାରରେ ୫୭୮ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୧୩୯.୨୭। ଗିଲ୍ଙ୍କୁ ଜଣେ ଭଲ ବ୍ୟାଟର୍ କୁହାଗଲେ ବି ସେ ବଡ଼ ହିଟର୍ ନୁହନ୍ତି। ହାଇ ରିକ୍ସ ସଟ୍ ଖେଳିବା ଖେଳାଳି ନୁହଁନ୍ତି।
ଟ୍ବେଣ୍ଟି-୨୦ କ୍ରିକେଟ୍ରେ ୱିକେଟ୍ ବଞ୍ଚାଇବା ଅପେକ୍ଷା ଦ୍ରୁତ ରନ୍ ସଂଗ୍ରହ କରିବାର ମୂଲ୍ୟ ଅଧିକ। ୨୦୨୧ରେ ଭାରତୀୟ ବ୍ୟାଟର୍ଙ୍କ ପାଳି ପିଛା ବଲ୍କୁ ଆଟାକ୍ କରିବାର ପ୍ରତିଶତ ୨୮.୮୨ ଥିବାବେଳେ ୨୦୨୪ରେ ଏହା ପ୍ରାୟ ଦୁଇଗୁଣା (୪୩.୮୪)ରେ ପହଞ୍ଚିଯାଇଥିଲା। ଗିଲ୍ଙ୍କ ବ୍ୟକ୍ତଗତ ଷ୍ଟ୍ରାଇକ୍ ରେଟ୍ ୧୩୯.୨୭ କିଛି ମନ୍ଦ ନୁହେଁ। କିନ୍ତୁ ଅନ୍ୟ ଶୀର୍ଷକ୍ରମ ଭାରତୀୟଙ୍କ ଷ୍ଟ୍ରାଇକ୍ ରେଟ୍ ତାଙ୍କଠାରୁ ଢେର୍ ଆଗରେ ରହିଛି। ଅଭିଷେକ ଶର୍ମା ୧୯୩.୮୪, ସଂଜୁ ସାମସନ୍ ୧୫୨.୩୮, ତିଳକ ବର୍ମା ୧୫୫.୦୭ ଏବଂ ସୂର୍ଯ୍ୟକୁମାର ୟାଦବ ୧୬୭.୦୭ରେ ଖେଳୁଛନ୍ତି। ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରେ ଭାରତର ଶୀର୍ଷ ୩ ବ୍ୟାଟର୍ଙ୍କ ମିଳିତ ଷ୍ଟ୍ରାଇକ୍ରେଟ୍ ବି ୧୭୩.୧ ରହିଛି। ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରଠାରୁ ବର୍ତ୍ତମାନର ଭାରତୀୟ ଦଳ ୧୭ରୁ ୧୪ ଜିତିଥିବାରୁ ଗିଲ୍ଙ୍କ ଷ୍ଟାଇଲ୍ ବ୍ୟାଟିଂ ପଛରେ ପଡ଼ିଯାଉଛି। ଦଳୀୟ ପରିଚାଳନ ଯଦି ଅଭିଷେକ ଶର୍ମା ଓ ସଂଜୁ ସାମ୍ସନ୍ଙ୍କ ବ୍ୟାକ୍ଅପ୍ ଓପନର୍ ଖୋଜୁଥିବେ ତେବେ ଯଶସ୍ବୀ ଜୟସ୍ବାଲଙ୍କ ନାମ ବି ଚାଲି ଆସୁଛି। ସେହି ଦୃଷ୍ଟିରୁ ଗିଲ୍ଙ୍କ ଟ୍ବେଣ୍ଟି-୨୦ରେ ସାମିଲ କରିବା ନିଶ୍ଚିତ ଚୟନକର୍ତ୍ତାଙ୍କ ପାଇଁ ଚ୍ୟାଲେଞ୍ଜ ହେଉଛି। ମଙ୍ଗଳବାର ଏସିଆ କପ୍ ପାଇଁ ଭାରତୀୟ ଟ୍ବେଣ୍ଟି-୨୦ ଦଳ ଚୟନ ହେବା ପୂର୍ବରୁ ଏଭଳି ଆହ୍ବାନ ଆସିଛି। କେବଳ ଅଭିଷେକ ଶର୍ମା ଓ ସଂଜୁ ସାମ୍ସନ୍ଙ୍କ ପରେ ତୃତୀୟ ଓପନର୍ କଥା ଉଠିଲେ ଗିଲ୍ଙ୍କ ନାମ ନିଶ୍ଚିତ ଆଗକୁ ଆସିପାରିବ।
ଶୁବମନ ଗିଲ୍ଙ୍କ ସହ ମହମ୍ମଦ ସିରାଜ ବି ଦଳରେ ସ୍ଥାନ ନପାଇବା ଆଶଙ୍କା ରହିଛି। ଯଶପ୍ରୀତ୍ ବୁମ୍ରା ଦଳର ବୋଲିଂ ନେତୃତ୍ବ ନେବା ପ୍ରାୟ ନିଶ୍ଚିତ ରହିଛି। ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣା, ହର୍ଷିତ ରାଣାଙ୍କ ସହ ଅଲ୍ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟାଙ୍କ ନାମ ଆଗରେ ରହିଛି। ଜିତେଶ ଶର୍ମା ଦ୍ବିତୀୟ ୱିକେଟ୍ରକ୍ଷକ ଭାବେ ଚୟନ ହେବା ସମ୍ଭାବନା ରହିଛି। ତିଳକ ବର୍ମା, ସୂର୍ଯ୍ୟକୁମାର ୟାଦବ, ରିଙ୍କୁ ସିଂହ ନିଶ୍ଚିତ ଅଛନ୍ତି। ଆଉ ଗୋଟିଏ ବ୍ୟାଟିଂ ସ୍ଲଟ୍ ଫାଙ୍କା ଥିବାରୁ ଏହି ଦୌଡ଼ରେ ଶିବମ ଦୁବେ, ୱାସିଂଟନ୍ ସୁନ୍ଦର ଓ ଶ୍ରେୟସ ଆୟରଙ୍କ ନାମ ଦୌଡ଼ରେ ରହିଛି। ସ୍ପିନ୍ ବିଭାଗ ଉପଅଧିନାୟକ ଅକ୍ଷର ପଟେଲଙ୍କ ସହ କୁଲଦୀପ ୟାଦବ, ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇ ସମ୍ଭାଳିବେ ବୋଲି ବିଶ୍ବାସ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/19/subhman-gill-2025-08-19-03-15-28.jpg)