ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ ସୁପର-୪ ମ୍ୟାଚରେ ମଙ୍ଗଳବାର ଭାରତକୁ ୬ ୱିକେଟରେ ପରାସ୍ତ କରିଛି ଶ୍ରୀଲଙ୍କା । ଦ୍ବିତୀୟ ପାଳିରେ ଶ୍ରୀଲଙ୍କା ୧୭୪ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯.୫ ଓଭରରେ ୪ ୱିକେଟ ହରାଇ ୧୭୪ ରନ୍‌ କରି ବିଜୟ ହୋଇଛି । ଶ୍ରୀଲଙ୍କା ପକ୍ଷରୁ ନିସଙ୍କା ୩୭ ବଲରେ ୫୨ ରନ୍‌ କରିଥିବା ବେଳେ କୁସାଲ ମେଣ୍ଡିସ୍ ୩୭ ବଲ୍‌ରେ ୫୭ ରନ୍‌ ଓ ଦାସୁନ୍ ଶାନାକା ୧୮ ବଲରେ ୩୩ ରନ୍‌ କରି ଶ୍ରୀଲଙ୍କାକୁ ବିଜୟ ଦେଇଥିଲେ । ଅନ୍ୟପଟେ ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୩ଟି ୱିକେଟ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ୱିକେଟ ନେଇଥିଲେ । ଭାରତ ନିଜର ପ୍ରଥମ ସୁପର-୪ ମ୍ୟାଚରେ ପାକିସ୍ତାନଠାରୁ ହାରିଯାଇଥିବା ବେଳେ ଆଜିର ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି । ଅନ୍ୟପଟେ ଶ୍ରୀଲଙ୍କା ଏହି ମ୍ୟାଚରେ ବିଜୟ ସହ ଫାଇନାଲରେ ନିଜ ସ୍ଥାନ  ପକ୍କା କରିଛି ।

Advertisment

ପୂର୍ବରୁ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।  ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୩ ରନ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ମାତ୍ର ୪୧ ବଲରେ ୭୨ ରନ କରି ଦଳକୁ ଏଲ ଭଲ ଆରମ୍ଭ ଦେଇଥିଲେ ବି ଅନ୍ୟ ବ୍ୟାଟ୍ସମ୍ୟାନମାନେ ପୁଣି ନିରାଶ କରିଥିଲେ । ଧୀରେ ଧୀରେ ଫର୍ମକୁ ଫେରୁଥିବାର ସଂକେତ ଦେଇଥିବା ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ଏହା ଦଳ ପାଇଁ ଏକ ଶକ୍ତ ଧକ୍କା ସଦୃଶ ଥିଲା । ତେବେ ସୂର୍ଯ୍ୟକୁମାର ଯାଦବ ୩୪ ରନ କରିଥିବାବେଳେ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ ଲେଖାଏଁ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶଙ୍କା ୩ଟି ଓ୍ବିକେଟ ନେଇଥିବାବେଳେ ଚାମିକା କରୁଣାରତ୍ନେ ଓ ଦାସୁନ୍ ଶାନାକା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।