ଆଜିଠୁ ଏସିଆ କପ୍‌: ଉଦ୍‌ଘାଟନୀ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ ଶ୍ରୀଲଙ୍କା

ନୂଆଦିଲ୍ଲୀ: ଶନିବାରଠୁ ଏସିଆ ମହାଦେଶର ଶ୍ରେଷ୍ଠ କ୍ରିକେଟ୍‌ ଦଳ କିଏ ହେବ ତାହା ଜାହିର କରିବା ପାଇଁ ୬ ଦଳକୁ ନେଇ ଆରମ୍ଭ ହେବ ଏସିଆ କପ୍‌ ମହାସମର। ୟୁଏଇରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫ୍‌ଗାନିସ୍ତାନ, ବାଂଲାଦେଶ ଭଳି ଆଇସିସି ମାନ୍ୟତା ଦଳ ସହ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ହଂକଂ ରହିଛି। ଭାରତ, ପାକିସ୍ତାନ ଓ ହଂକଂ ଗ୍ରୁପ ‘ଏ’ରେ ରହିଥିଲା ବେଳେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫ୍‌ଗାନିସ୍ତାନ ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଛନ୍ତି। ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍‌ରେ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। ପ୍ରତ୍ୟେକ ଗ୍ରୁପ୍‌ର ୨ ଶ୍ରେଷ୍ଠ ଦଳ ସୁପର ୪ରେ ପହଞ୍ଚିବେ। ସୁପର ୪ରେ ୪ ଦଳ ନିଜ ନିଜ ମଧ୍ୟରେ ମୁକାବିଲା କରିବେ। ଏଥିରୁ ଶ୍ରେଷ୍ଠ ଦୁଇ ଦଳ ୨୮ ତାରିଖ ଫାଇନାଲ୍‌ରେ ମୁହାଁମୁହିଁ ହେବେ।

ଶନିବାରର ଉଦ୍‌ଘାଟନୀ ମୁକାବିଲାରେ ଗ୍ରୁପ୍‌ ‘ବି’ର ଦୁଇ ଦଳ ବାଂଲାଦେଶ ଏବଂ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଶ୍ରୀଲଙ୍କା ୫ ଥର ଏସିଆ କପ୍‌ ବିଜେତା ହୋଇଥିଲା ବେଳେ ବାଂଲାଦେଶ ଟ୍ରଫି ଜିତିବାର ସୌଭାଗ୍ୟ ପାଇନି। କିନ୍ତୁ ବାଂଲାଦେଶ ୨ ଥର (୨୦୧୨, ୨୦୧୬) ଉପବିଜେତା ହୋଇସାରିଛି। ବାଂଲାଦେଶ ବିପକ୍ଷରେ ମଧ୍ୟ ଦିନିକିଆରେ ଶ୍ରୀଲଙ୍କାର ପ୍ରଦର୍ଶନ ଭଲ ରହିଛି। ଉଭୟ ୪୪ ଥର ଭେଟାଭେଟି ହୋଇଥିଲା ବେଳେ ଶ୍ରୀଲଙ୍କା ୩୬ ଏବଂ ବାଂଲାଦେଶ ୬ ବିଜୟ ପାଇଛନ୍ତି। ଅବଶିଷ୍ଟ ୨ ମ୍ୟାଚ୍‌ ବାତିଲ ହୋଇଛି। ଚଳିତ ବର୍ଷ ମଧ୍ୟ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ଭଲ ପ୍ରଦର୍ଶନ କରିଛି। ଗତ ଜାନୁଆରିରେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଫାଇନାଲ୍‌ରେ ବାଂଲାଦେଶକୁ ହରାଇ ଟ୍ରଫି ହାତେଇଥିଲା ଶ୍ରୀଲଙ୍କା। ଏଥିସହ ଫେବ୍ରୁଆରିରେ ଟେଷ୍ଟ୍‍ ଏବଂ ଟେ୍ଵଣ୍ଟି-୨୦ ଶୃଙ୍ଖଳା ମଧ୍ୟ ଜିତିଥିଲା। ଏହି ସବୁକୁ ଦେଖିଲେ ଉଦ୍‌ଘାଟନୀ ମୁକାବିଲାରେ ଶ୍ରୀଲଙ୍କାର ପଲ୍ଲା ଭାରି ରହିବ। କିନ୍ତୁ ନିଦାହାସ ଟ୍ରଫି ପରାଜୟ ଶ୍ରୀଲଙ୍କା ଭୁଲି ନଥିବ। ଏହି ଦଳକୁ ଦୁଇଥର ହରାଇ ବାଂଲାଦେଶ ଫାଇନାଲ୍‌ରେ ପହଞ୍ଚିଥିଲା। ତେଣୁ ଆସନ୍ତାକାଲିର ଏସିଆ କପ୍‌ ଉଦ୍‌ଘାଟନୀ ମ୍ୟାଚ୍‌ ରୋମାଞ୍ଚକ ହେବାର ସମ୍ଭାବନା ରଖିଛି।

ପାକିସ୍ତାନ ଦାବିଦାର
ସୁନୀଲ ଗାଭାସ୍କର
ମହାଦେଶର କ୍ରିକେଟ୍‌ପ୍ରେମୀଙ୍କ ନଜରରେ ଏସିଆ କପ୍‌ର ଚମକ କିଛି ମାତ୍ରାରେ କ୍ଷୁଣ୍ଣ ହୋଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଟେ୍ଵଣ୍ଟି-୨୦ ଲିଗ୍‌ର ପ୍ରସାର କାରଣରୁ ଏଭଳି ହୋଇଛି। ତଥାପି ଏସିଆ କପ୍‌ର ଗୌରବ ପାଇଁ ଅଂଶଗ୍ରହଣକାରୀ ଦେଶ ଓ ଖେଳାଳିମାନେ ବ୍ୟଗ୍ର ଅଛନ୍ତି। ୧୯୮୪ ମସିହାରେ ଏକ ଯୁବ ଭାରତୀୟ ଦଳର ନେତୃତ୍ୱ ନେଇ ସାରଜାରେ ପ୍ରଥମ ସଂସ୍କରଣର ବିଜେତା ହୋଇଥିବାରୁ ମୁଁ ବଡ଼ ଭାଗ୍ୟବାନ। ଏସିଆ କପ୍‌ ୟୁଏଇ ଫେରିଥିଲେ ମଧ୍ୟ ଆଶ୍ଚର୍ଯ୍ୟର ବିଷୟ ସାରଜାରେ କୌଣସି ମ୍ୟାଚ୍‌ ନାହିଁ। ସେଠାରେ ଗୋଟିଏ ବି ମ୍ୟାଚ୍‌ ଖେଳା ନଯିବା ବୁଝି ହେଉନାହିଁ।
ପ୍ରତିଯୋଗିତାର ମହତ୍ୱ ଯାହା ରହୁ ପଛେ, ଆସନ୍ତା ବର୍ଷର ଆଇସିସି ବିଶ୍ୱକପ୍‌ ପୂର୍ବରୁ ଏହା ପ୍ରତି ଅଂଶଗ୍ରହଣକାରୀ ଦେଶକୁ ଓ୍ଵାର୍ମ ଅପ୍‌ ସୁଯୋଗ ଦେବ। ଦଳଗୁଡ଼ିକ ଯେତେ ଅଧିକ ମ୍ୟାଚ୍‌ ଖେଳିବେ ବିଶ୍ୱକପ୍‌ ପ୍ରସ୍ତୁତି ସେତେ ଭଲ ହେବ। ନିଜ ନିଜ ଦଳର ଦୁର୍ବଳତାକୁ ଚିହ୍ନଟ କରିବା ପରେ ସେସବୁକୁ ଦୂର କରିବାକୁ ସମୟ ପାଇବେ। ଇଂଲଣ୍ଡ ପରିବେଶ ତୁଳନାରେ ୟୁଏଇ ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ଥିଲେ ମଧ୍ୟ ଦଳ ମଧ୍ୟରେ ସମନ୍ଵୟ ଆଣିବାରେ ନିଶ୍ଚିତ ଏହା ସହାୟକ ହେବ। ଦଳକୁ ଆଗକୁ ନେବାକୁ ହେଲେ କେଉଁମାନେ ଚାପ ନେଇପାରିବେ ଏବଂ କେଉଁମାନେ ନେଇପାରିବେ ନାହିଁ ସମସ୍ତଙ୍କୁ ଜଣା।

ଆଇସିସି ଚାମ୍ପିଅନ୍‌ସ ଟ୍ରଫି ବିଜେତା ଭାବେ ପାକିସ୍ତାନ ଏଥର ଏସିଆ କପ୍‌ର ଦାବିଦାର ଦଳ ରହିବ। କେବଳ ସନ୍ତୁଳିତ ଦଳ ଦୃଷ୍ଟିରୁ ନୁହେଁ ନୂଆ ‘ଘରୋଇ’ ପଡ଼ିଆରେ ଖେଳିବାର ଫାଇଦା ମଧ୍ୟ ପାକିସ୍ତାନ ପାଖରେ ରହିବ। ପିଚ୍‌ ଓ ପାଗ ସହିତ ପାକିସ୍ତାନ ଅଧିକ ଅଭ୍ୟସ୍ତ ତଥା ପରିଚିତ ଥିବାରୁ ଏସିଆ କପ୍‌କୁ ତୃତୀୟ ଥର ଜିତିବାର ସମ୍ଭାବନା ରହିଛି। ଦେଶରେ ବିଶ୍ୱକପ୍‌ ବିଜେତା ଅଧିନାୟକ ଇମ୍ରାନ୍‌ ଖାନ୍‌ ଏବେ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଜାତୀୟ ଦଳ ନିଶ୍ଚିତ ତାଙ୍କୁ ଏସିଆ କପ୍‌ ଭେଟି ଦେଇ ସ୍ୱାଗତ କରିବାକୁ ଚାହିଁବ।

ଅଧିନାୟକ ଦୀନେଶ ଚାନ୍ଦିମାଳଙ୍କ ଅନୁପସ୍ଥିତି ଏବଂ ସକିବ୍‌ ଅଲ୍‌ ହାସନ୍‌ଙ୍କ ଅନିଶ୍ଚିତତା ଯଥାକ୍ରମେ ଶ୍ରୀଲଙ୍କା ଓ ବାଂଲାଦେଶ ପାଇଁ ଅଡୁଆ ପରିସ୍ଥିତି ଆଣିବ। ତଥାପି ଉଭୟ ଦଳରେ ପ୍ରତିଭାବାନ ଯୁବ ଖେଳାଳି ଓ ଅଭିଜ୍ଞଙ୍କ ମିଶ୍ରଣ ଥିବାରୁ ସେମାନେ ଫରକ ପକାଇବା ସମ୍ଭାବନା ରହିଛି। ୟୁଏଇର ପିଚ୍‌ ଶୁଷ୍କ ରହୁଥିବାରୁ ସେମାନଙ୍କ ବୋଲିଂ ଦୁର୍ବଳତା ମଧ୍ୟ ରହିବ। ତେବେ ବୋଲରଙ୍କ ଦୁର୍ବଳତାକୁ ସେମାନେ ଦଳରେ ଥିବା ଏକାଧିକ ବିସ୍ଫୋରକ ବ୍ୟାଟସମ୍ୟାନ୍‌ଙ୍କ ଜରିଆରେ ଭରଣା କରିଦେବାର କ୍ଷମତା ରଖିଛନ୍ତି। ସେହିଭଳି ଯୋଗ୍ୟତା ପର୍ଯ୍ୟାୟରୁ ଆସିଥିବା ହଂକଂ ଏବେ ଏଲିଟ୍‌ ଗ୍ରୁପ୍‌ରେ ସାମିଲ ହୋଇଛି। ସେମାନେ ଯଦି ପ୍ରତିପକ୍ଷଙ୍କୁ ନ ଦେଖି ନିର୍ଭୟରେ ଖେଳିବେ ତେବେ ଗୋଟିଏ ଦୁଇଟି ବିପର୍ଯ୍ୟୟ ସୃଷ୍ଟି କରିପାରନ୍ତି।

ଭାରତ ସମ୍ପର୍କରେ କହିଲେ ଏତିକି ଉଲ୍ଲେଖ କରିହେବ ଯେ ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ପ୍ରଶଂସକଙ୍କୁ ଏସିଆ କପ୍‌ ବିଜୟ ସହ ସେମାନେ ପଟି ବନ୍ଦ କରିପାରିବେ। ତଥାପି ଏହା ଏତେ ସହଜ ହେବନାହିଁ। କାରଣ ଅନ୍ୟ ଦଳଗୁଡ଼ିକ ସେମାନଙ୍କ ସାମର୍ଥ୍ୟ ଓ ଅନିଶ୍ଚିତତାକୁ ନଜରରେ ରଖି ଆକ୍ରମଣ କରିବେ। ଭାରତକୁ ନିଶ୍ଚିତ ସଫଳତମ ସୀମିତ ଓଭର ଖେଳାଳି ରୋହିତ ଶର୍ମାଙ୍କ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ। ଅଧିନାୟକ ଉଦାହରଣ ସହ ଦଳର ନେତୃତ୍ୱ ନିଅନ୍ତୁ ବୋଲି ଦଳ ଚାହିଁବ। ତାଙ୍କୁ କେବଳ ମହେନ୍ଦ୍ର ସିଂହ ଧୋନି ହିଁ ପରାମର୍ଶ ଦେଇପାରିବେ। ୟୁଏଇର ଉଷ୍ମ ପରିବେଶରେ ଧୋନି ହିଁ ତାଙ୍କୁ ଶାନ୍ତ କରିପାରିବେ। ଦଳ ଖରାପ ସ୍ଥିତିରେ ଥିଲେ ଧୋନିଙ୍କ ଉପସ୍ଥିତି ହିଁ ମୋଡ଼ ଆଣିପାରିବ। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର