ଆଜିଠାରୁ ମହାଦେଶୀୟ ଲଢ଼େଇ: ସଚିନ୍‌ଙ୍କୁ ଟପିବା‌ରେ ରୋହିତଙ୍କ ପାଇଁ ସୁଯୋଗ

ଦୁବାଇ: ଏସିଆର ମହାଦେଶୀୟ କ୍ରିକେଟ୍ ଲଢ଼େଇ ଶନିବାରଠାରୁ ଆରମ୍ଭ ହୋଇଯିବ। ଟ୍ବେଣ୍ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଏଥର କଡ଼ା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ ବୋଲି ବହୁ କ୍ରିକେଟ୍‌ ପଣ୍ଡିତ ଆକଳନ କରି ସାରିଛନ୍ତି। ପାକିସ୍ତାନୀ କିଂବଦନ୍ତି ୱାସିମ୍ ଆକ୍ରମ କହିଛନ୍ତି, ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ହଂକଂକୁ ଛାଡ଼ିଦେଲେ ଅନ୍ୟ ୫ ଦଳ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚ୍‌ ଦିନ କେହି କାହାକୁ ପରାସ୍ତ କରିବାର ଦକ୍ଷତା ରଖିଛନ୍ତି। ୬ ବର୍ଷ ପରେ ଏହି ଫର୍ମାଟର ଏସିଆ କପ୍‌ ଖେଳାଯିବାକୁ ଥିବାରୁ ସବୁ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି। ୭ ଥର ବିଜେତା ଭାରତ ନିଶ୍ଚିତ ଭାବେ ଚଳିତ ବର୍ଷର ବିଶ୍ବକପ୍‌ ପୂର୍ବରୁ ଏହାକୁ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଭାବେ ବିବେଚନା କରିଛି। ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳାଯିବାକୁ ଥିଲେ ମଧ୍ୟ ସେଠାକାର ପାଣିପାଗ ୟୁଏଇ ଠାରୁ ଭିନ୍ନ ରହିବ। ଭାରତୀୟ ଦଳ କିନ୍ତୁ ଏହାର ୩ ତାରକା ବ୍ୟାଟର୍‌ ବିରାଟ କୋହଲି, ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଫର୍ମକୁ ନେଇ ଚିନ୍ତିତ ରହିଛି। ଏମାନେ ଏସିଆ କପ୍‌ ଅବସରରେ ଫର୍ମକୁ ଫେରନ୍ତୁ ବୋଲି ମଧ୍ୟ ଭାରତୀୟ ପ୍ରଶଂସକମାନେ ଆଶା କରିଛନ୍ତି। ରବିବାର ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ମଧ୍ୟ ପ୍ରଶଂସକମାନେ ଅଧିକ ଉତ୍କଣ୍ଠାରେ ରହିଛନ୍ତି। ଶନିବାର କିନ୍ତୁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍‌ଘାଟନୀ ମୁକାବିଲାରୁ ପ୍ରତିଯୋଗିତା ଆରମ୍ଭ ହେବ। ପ୍ରତି ମ୍ୟାଚ୍‌ ସଂଧ୍ୟା ୭.୩୦ରେ ଆରମ୍ଭ ହେବାକୁ ଥିବାବେଳେ ଷ୍ଟାର୍ ସ୍ପୋର୍ଟସ ପ୍ରସାରଣ ଦାୟିତ୍ବରେ ରହିଛି।

ସଚିନ୍‌ଙ୍କୁ ଟପିବା‌ରେ ରୋହିତଙ୍କ ପାଇଁ ସୁଯୋଗ

ଦୁବାଇ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଏସିଆ କପ୍‌ ଅବସରରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ସଚିନ୍‌ ତେନ୍ଦୁଲକରଙ୍କ କୀର୍ତ୍ତିମାନକୁ ଟପିବାର ସୁଯୋଗ ରହିବ। ଗ୍ରୁପ୍‌ ପର୍ଯ୍ୟାୟରେ ପାକିସ୍ତାନ ଓ ହଂକଂକୁ ଭେଟିବ ଭାରତ। ଏହାପରେ ସୁପର-୪ ଏବଂ ଫାଇନାଲ୍‌ ମଧ୍ୟ ଖେଳିବାର ଆଶା ରଖିଛି ଭାରତୀୟ ଦଳ। ଗ୍ରୁପ୍‌ ପର୍ଯ୍ୟାୟରେ ଶ୍ରେଷ୍ଠ ଦୁଇ ଦଳ ଭାବେ ଉଭା ହୋଇପାରିଲେ ଫାଇନାଲ୍‌ ପୂର୍ବରୁ ଭାରତ ଅତିକମ୍‌ରେ ୫ ମ୍ୟାଚ୍‌ ଖେଳିବା ପ୍ରାୟତଃ ନିଶ୍ଚିତ। ଏହି ୫ ମ୍ୟାଚ୍‌ ଖେଳିଲେ ରୋହିତ ଶର୍ମାଙ୍କ ପାଇଁ ଏସିଆ କପ୍‌ରେ ଭାରତୀୟ ଭାବେ ସର୍ବାଧିକ ରନ୍‌ ସ୍କୋରର୍‌ ହେବାର ସୁଯୋଗ ରହିବ। ଏକ୍ଷେତ୍ରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ଅତିକ୍ରମ କରିପାରିବେ। ଏସିଆ କପ୍‌ରେ ଭାରତୀୟ ଭାବେ ସର୍ବାଧିକ ୯୭୧ ରନ୍‌ ସ୍କୋର୍‌ କରିବାର କୀର୍ତ୍ତିମାନ ସଚିନ୍‌ଙ୍କ ନାମରେ ରହିଛି। ମୋଟ ୨୧ ପାଳିରୁ ୫୧.୫୦ ହାରରେ ସଚିନ୍‌ ଏହି ରନ୍‌ ସଂଗ୍ରହ କରିଥିଲା ବେଳେ ସେଥିରେ ୨ ଶତକ ଏବଂ ୭ ଅର୍ଦ୍ଧଶତକ ସାମିଲ ରହିଛି। ତାଙ୍କ ପଛକୁ ୮୮୩ ରନ୍‌ (୨୬ ପାଳି)ରେ ରୋହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତେଣୁ ଏଥର ଏସିଆ କପ୍‌ରେ ଆଉ ୮୯ ରନ୍‌ କରିପାରିଲେ ସଚିନ୍‌ଙ୍କୁ ପଛକୁ ଠେଲିଦେଇପାରିବେ ରୋହିତ। ରୋହିତଙ୍କ ପଛକୁ ପୂର୍ବତନ ଅଧିନାୟକ ବିରାଟ କୋହଲି ୧୪ ପାଳି ଖେଳି ୭୬୬ ରନ୍‌ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତିନିଜଣଙ୍କ ପଛକୁ ମହେନ୍ଦ୍ର ସିଂହ ଧୋନି (୬୯୦) ଏବଂ ଶିଖର ଧାୱନ୍‌ (୬୧୩) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମରେ ରହିଛନ୍ତି।

ସମ୍ବନ୍ଧିତ ଖବର