ଏସିଆ କପ୍‌ ୟୁଏଇକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଟଣାଓଟରା ପରେ ଶେଷରେ ଚଳିତ ବର୍ଷର ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ୟୁଏଇ (ୟୁନାଇଟେଡ ଆରବ ଏମିରେଟ୍‌ସ)କୁ ସ୍ଥାନାନ୍ତର ହୋଇଛି। ଏହି ପ୍ରତିଯୋଗିତା ଭାରତରେ ଆୟୋଜିତ ହେବାର ସ୍ଥିର ହୋଇଥିଲା। ହେଲେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ କୁଟନୈତିକ ବିବାଦ ଏସିଆ କପ୍‌ ସ୍ଥାନାନ୍ତର ପାଇଁ ମୁଖ୍ୟ କାରଣ ହେଲା। ଭାରତରେ ଏହି ପ୍ରତିଯୋଗିତା ହେଲେ ପାକିସ୍ତାନ ଖେଳିବାକୁ ଆସିବ ନାହିଁ ବୋଲି ରୋକ୍‌ଠୋକ୍‌ ଏସିସି (ଏସୀୟ କ୍ରିକେଟ୍‌ ପରିଷଦ)କୁ ଜଣାଇ ଦେବା ସହିତ ସ୍ଥାନାନ୍ତର ପାଇଁ ପ୍ରସ୍ତାବ ବାଢ଼ିଥିଲା। ଏହାକୁ ସମ୍ମାନ ଜଣାଇ ଏସିସି ଆଗାମୀ ଏସିଆ କପ୍‌କୁ ୟୁଏଇକୁ ସ୍ଥାନାନ୍ତର କରିଛି ବୋଲି ଏସିସି ତଥା ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସଭାପତି ନଜମ ସେଠୀ କହିଛନ୍ତି। ଏସିଆ କପ୍‌ର ଆଗାମୀ ଚତୁର୍ଦଶ ସଂସ୍କରଣ ସମ୍ଭବତଃ ସେପ୍ଟେମ୍ବର ୧୩ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବ। ସେଥିରେ ଏସିସିର ପୂର୍ଣ୍ଣ ସଦସ୍ୟ ଭାବେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫ୍‌ଗାନିସ୍ତାନ ସିଧାସଳଖ ଭାଗ ନେଉଥିଲା ବେଳେ ଷଷ୍ଠ ଦଳ ଭାବେ ୟୁଏଇ, ହଂକଂ, ନେପାଳ, ସିଙ୍ଗାପୁର, ମାଲେସିଆ ଓ ଓମାନ୍‌ ମଧ୍ୟରୁ ଯେକେହି ଜଣେ ଯୋଗ୍ୟତା ହାସଲ କରିବ। ପ୍ରଥମ ୧୨ ସଂସ୍କରଣ ଦିନିକିଆ ପ୍ରତିଯୋଗିତା ଭାବେ ଖେଳାଯାଇଥିଲା ବେଳେ ଗତ ୨୦୧୬ରେ ପ୍ରଥମ ଥର ଲାଗି ଟେ୍ଵଣ୍ଟି-୨୦ରେ ବଦଳିଥିଲା। ଆଉ ଭାରତ ହିଁ ଏହି ପରିବର୍ତିତ ସଂସ୍କରଣର ବିଜେତା ହୋଇଥିଲା। ଭାରତ ୨୦୧୬ ଫାଇନାଲ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର