ଦୁବାଇ: ଏସିଆ କପ୍ ଟ୍ରଫି ହସ୍ତାନ୍ତର ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ବିସିସିଆଇ ସହ ଶ୍ରୀଲଙ୍କା ଓ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ପ୍ରଚଳିତ ନିୟମ ମୁତାବକ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ତୁରନ୍ତ ଟ୍ରଫି ପ୍ରଦାନ କରିବାକୁ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ମୁଖ୍ୟ ମୋହସିନ ନକ୍ଭିଙ୍କୁ କହିଥିଲେ ମଧ୍ୟ ସେ ନିଜ ଜିଦ୍ରେ ଅଟଳ ରହିଛନ୍ତି। ବିସିସିଆଇର ଜଣେ ପ୍ରତିନିଧି ଦୁବାଇସ୍ଥିତ ଏସିସି କାର୍ଯ୍ୟାଳୟକୁ ଆସି ସେଠାରେ ତାଙ୍କ ହାତରୁ ଟ୍ରଫି ଗ୍ରହଣ କରିବାକୁ ପାଲଟା ପ୍ରସ୍ତାବ ରଖିଛନ୍ତି ସେ। ବିସିସିଆଇ କିନ୍ତୁ ତାଙ୍କର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି ଏବଂ ଏହି ମାମଲାରେ ଆଇସିସିର ହସ୍ତକ୍ଷେପ ଲୋଡ଼ିଥିବା ଜଣାପଡ଼ିଛି। ଆସନ୍ତା ମାସରେ ହେବାକୁ ଥିବା ଆଇସିସି ବୈଠକରେ ଏହି ମାମଲାକୁ ଜୋରଦାର୍ ଢଙ୍ଗରେ ଉପସ୍ଥାପନ କରିବାକୁ ସଙ୍କେତ ଦେଇଛି ବିସିସିଆଇ।
ସୂଚନା ଅନୁସାରେ ବିସିସିଆଇ ସଂପାଦକ ଦେବଜିତ ସାଇକିଆ, ଏସିସିରେ ବିସିସିଆଇର ପ୍ରତିନିଧି ରାଜୀବ ଶୁକ୍ଳା ଏବଂ ଶ୍ରୀଲଙ୍କା ଓ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ପ୍ରତିନିଧି ଭାରତକୁ ତୁରନ୍ତ ଟ୍ରଫି ହସ୍ତାନ୍ତର କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ସହ ସେଠାକାର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ନକ୍ଭିଙ୍କୁ ଇମେଲ୍ କରିଥିଲେ। ବିସିସିଆଇର କେହିଜଣେ ପ୍ରତିନିଧି ଦୁବାଇ ଆସି ତାଙ୍କଠାରୁ ଟ୍ରଫି ନେଇଯିବାକୁ ନକ୍ଭି ଉତ୍ତର ରଖିଥିଲେ। ଏଣୁ ଏହି ମାମଲା ଏବେ ଯଥା ପୂର୍ବଂ ତଥା ପରଂ ଭଳି ସ୍ଥିତିରେ ରହିଛି। ବିସିସିଆଇ କିନ୍ତୁ ସ୍ପଷ୍ଟ କରି ଦେଇଛି ଯେ କୌଣସି ବି ପରିସ୍ଥିତିରେ ନକ୍ଭିଙ୍କ ହାତରୁ ଭାରତ ଟ୍ରଫି ଗ୍ରହଣ କରିବ ନାହିଁ। ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ନକ୍ଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରି ଦେଇଥିଲା। ସେହିଭଳି ଭାରତୀୟ ଦଳ ମଧ୍ୟ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନଥିଲା।