ଦୁବାଇ: ନବମ ଥର ପାଇଁ ଏସିଆ କପ୍ ବିଜୟ ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ପାଇଁ ଆଉ ଏକ ସ୍ମରଣୀୟ ମୁହୂର୍ତ ଆଣି ଦେଇଛି। ଭାରତ ଏଥି ସହିତ ଶେଷ ୫ଟି ସଂସ୍କରଣରୁ ଚତୁର୍ଥ ଥର ବିଜେତା ହୋଇ ଏସିଆ ମହାଦେଶର ଅପ୍ରତିଦ୍ବନ୍ଦ୍ବୀ କ୍ରିକେଟ୍ ଦେଶ ହୋଇଛି। ଦ୍ବିତୀୟ ସର୍ବାଧିକ ୬ ଥର ଜିତିଛି ଶ୍ରୀଲଙ୍କା। ରବିବାର ରାତିରେ ପାକିସ୍ତାନର ତୃତୀୟ ଟ୍ରଫି ସ୍ବପ୍ନକୁ ଭାରତୀୟ ଦଳ ଚୁରମାର୍ କରି ଏହି ସଫଳତା ଆଣିଛି। ଭାରତୀୟ ଦଳ ମଧ୍ୟ ୨୦୨୩ ପରଠାରୁ ଖେଳିଥିବା ସମସ୍ତ ବହୁରାଷ୍ଟ୍ରୀୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୧୭ରୁ ୧୭ ଜିତିଯାଇଛି। ଏହା ମଧ୍ୟରେ ଏସୀୟ କ୍ରୀଡ଼ାରେ ୨, ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୪ରେ ୮ ଏବଂ ଚଳିତ ଏସିଆ କପ୍ରେ ୭ ବିଜୟ ପାଇଛି। ଏସବୁ ଭିତରୁ ଭାରତ ୪ ଥର ଅପରାଜିତ ରହି ବିଜେତା ହୋଇଛି। ଏସିଆ କପ୍ (୨୦୧୬), ଏସୀୟ କ୍ରୀଡ଼ା (୨୦୨୩), ଟ୍ବେଣ୍ଟି-୨୦ ବିଶ୍ବକପ୍ (୨୦୨୪) ଏବଂ ଏସିଆ କପ୍ (୨୦୨୫)ରେ ଭାରତ ଏହି ସଫଳତା ପାଇଛି।
ମୋଦୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ୍ ଫାଇନାଲରେ ପାକିସ୍ତାନ ବିରୋଧରେ ଭାରତର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଖେଳ ପଡ଼ିଆରେ ଅପରେସନ୍ ସିନ୍ଦୂର। ଫଳ ସମାନ-ଭାରତର ବିଜୟ! ଭାରତୀୟ ଦଳକୁ ଅଭିନନ୍ଦନ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହା ଖୁବ୍ ଭାଇରାଲ୍ ହୋଇଯାଇଛି।
ଟସ୍ରୁ ନାଟକ ଆରମ୍ଭ
ଦୁବାଇ: ଭାରତ-ପାକିସ୍ତାନ ଏସିଆ କପ୍ର ଫାଇନାଲ୍ ଲଢ଼େଇ ଟସ୍ ବେଳର ନାଟକରୁ ଆରମ୍ଭ ହୋଇଥିଲ। ପୂର୍ବ ଦୁଇ ମୁକାବିଲା ଭଳି ପାକିସ୍ତାନୀ ପ୍ରତିପକ୍ଷଙ୍କ ସହ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ହାତ ମିଳାଇନଥିଲେ। କିନ୍ତୁ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ରେ ଟସ୍ ବେଳେ ଦୁଇ ଅଧିନାୟକଙ୍କ ପାଇଁ ଅଲଗା ଅଲଗା ଭାଷ୍ୟକାର ରହିବା ଦେଖିବାକୁ ମିଳିଥିଲା। ଭାରତୀୟ ଭାଷ୍ୟକାର ରବି ଶାସ୍ତ୍ରୀଙ୍କ ସହ କଥା ହେବାକୁ ପାକିସ୍ତାନ ଅଧିନାୟକ ପୂର୍ବରୁ ମନା କରିଦେଇଥିବାରୁ ଏଭଳି ବ୍ୟବସ୍ଥା କରାଯାଇଥିଲା। ଶାସ୍ତ୍ରୀଙ୍କୁ ହଟାଇ ଜଣେ ନିରପେକ୍ଷ ଭାଷ୍ୟକାର ଦେବାକୁ ପିସିବି ଦେଇଥିବା ପ୍ରସ୍ତାବକୁ ଏସିସି ମନାକରି ଦେଇଥିଲା। ଫଳରେ ଟସ୍ ପରେ ସୂର୍ଯ୍ୟକୁମାରଙ୍କ ସହ ଶାସ୍ତ୍ରୀ ଏବଂ ସଲମାନଙ୍କ ସହ ୱାକର୍ ୟୁନିସ୍ ସାକ୍ଷାତ୍କାର ନେଇଥିଲେ। ଟ୍ରଫି ସହ ସଲମାନ ମଧ୍ୟ ଏକାକୀ ଫଟୋ ସୁଟ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/29/sfsfsfxc-2025-09-29-03-33-31.jpg)