ଏସିଆ କପ୍‌ ଭେନ୍ୟୁ ନିଷ୍ପତ୍ତି ମାର୍ଚ୍ଚକୁ ସ୍ଥଗିତ

ନୂଆଦିଲ୍ଲୀ: ଚଳିତ ବର୍ଷର ଏସିଆ କପ୍‌ କ୍ରିକେଟ୍‌ ଆୟୋଜକ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଏହି ପ୍ରତିଯୋଗିତାକୁ ସେପ୍ଟେମ୍ବରରେ ଆୟୋଜନ କରିବା ପାଇଁ ପାକିସ୍ତାନକୁ ଅଧିକାର ମିଳିଛି। ହେଲେ ଏସିଆ କପ୍‌ ପାକିସ୍ତାନରେ ହେଲେ ଭାରତ ଅଂଶଗ୍ରହଣ କରିବ ନାହିଁ ବୋଲି ବିସିସିଆଇ ବାରମ୍ବାର କହିଆସୁଛି। ଅନ୍ୟପକ୍ଷରେ ଏସିଆ କପ୍‌ ଖେଳିବାକୁ ଭାରତ ଯଦି ପାକିସ୍ତାନ ନଯାଏ ତାହେଲେ ଭାରତ ଆୟୋଜନ କରିବାକୁ ଥିବା ଦିନିକିଆ ବିଶ୍ବକପ୍‌ ଖେଳିବାକୁ ପାକିସ୍ତାନ ମଧ୍ୟ ଯିବନି ବୋଲି ପିସିବି ଧମକ ଦେଉଛି। ଏପରିସ୍ଥଳେ ଶନିବାର ବାହାରିନ୍‌ରେ ଉଭୟ ବିସିସିଆଇ ସଂପାଦକ ଜୟ ଶାହା ଏବଂ ପିସିବି ଅଧ୍ୟକ୍ଷ ନଜମ ସେଠୀଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବେ ଆଲୋଚନା ହୋଇଥିଲା। ‌ତେବେ ଏହି ଆଲୋଚନାରୁ ସେଭଳି କିଛି ସକାରାତ୍ମକ ନିର୍ଯ୍ୟାସ ମିଳିନାହିଁ। ବିସିସିଆଇ ସଂପାଦକ ଶାହା ଏସୀୟ କ୍ରିକେଟ୍‌ ପରିଷଦ (ଏସିସି)ର ଅଧ୍ୟକ୍ଷ ଥିବାରୁ ସେ ମଧ୍ୟ ପାକିସ୍ତାନରେ ଏସିଆ କପ୍‌ ଆୟୋଜନକୁ ବିରୋଧ କରୁଛନ୍ତି। ତାଙ୍କ କହିବା ଅନୁଯାୟୀ ପାକିସ୍ତାନ ଆୟୋଜନ ଅଧିକାର ରଖୁ, କିନ୍ତୁ ପ୍ରତିଯୋଗିତା ନିରପେକ୍ଷ ସ୍ଥାନରେ କରାଯାଉ। ନହେଲେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ। ଏପରିସ୍ଥଳେ ଶନିବାର ଶାହା ଓ ସେଠୀଙ୍କ ଆଲୋଚନା ପରେ ପାକିସ୍ତାନରୁ ଏସିଆ କପ୍‌ ସ୍ଥାନାନ୍ତର ହେବା ସମ୍ଭାବନା ରହିଥିବା କହିଛି ଏସିସି। ତେବେ ଭେନ୍ୟୁ ନେଇ ନିଷ୍ପତ୍ତିକୁ ମା‌ର୍ଚ୍ଚ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଆଉ ଗୋଟିଏ ମାସ ପରେ ଉଭୟ ଶାହା ଏବଂ ସେଠୀ ପୁନର୍ବାର ବୈଠକରେ ଯୋଗଦେବେ। ସେହି ବୈଠକରେ ଏସିଆ କପ୍‌ ଭେନ୍ୟୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ସମସ୍ତ ଏସିସି ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଗସ୍ତ କରିବେ ନା ନାହିଁ ସେମାନଙ୍କ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଜଣାଇବେ। ଏସିଆ କପ୍‌ ୟୁଏଇରେ ହେଲେ ସମସ୍ତ ରାଷ୍ଟ୍ର ସବୁ ଦୃଷ୍ଟିରୁ ସୁରକ୍ଷିତ ରହିବେ ବୋଲି କହିଛନ୍ତି। କିନ୍ତୁ ପାକିସ୍ତାନ ଏସିଆ କପ୍‌କୁ ନିଜ ଦେଶ ବ୍ୟତୀତ ଅନ୍ୟତ୍ର କରିବାକୁ ରାଜି ନୁହେଁ। ଦେଶରୁ ପ୍ରତିଯୋଗିତା ସ୍ଥାନାନ୍ତର କରିବା ପାକିସ୍ତାନ ପ୍ରତି ଖରାପ ଧାରଣା ସୃଷ୍ଟି କରିବ ବୋଲି ଜନମ ସେଠୀ କହୁଛନ୍ତି। କିନ୍ତୁ ଭାରତର ବିନା ଅଂଶଗ୍ରହଣରେ ଏସିଆ କପ୍‌ ଆୟୋଜନ ସମ୍ଭବ ନୁହେଁ ବୋଲି ଏସିସି ରୋକ୍‌ଠୋକ୍‌ ଜଣାଇଦେବାରୁ ପାକିସ୍ତାନରୁ ସ୍ଥାନାନ୍ତର ହେବାର ଆଶା ବଢ଼ିଛି।

ସମ୍ବନ୍ଧିତ ଖବର