ଏସିଆ କପ୍‌ରେ ମହିଳାଙ୍କ ଚମକ

ପାକିସ୍ତାନକୁ ହରାଇ ସପ୍ତମ ଥର ଫାଇନାଲରେ ଭାରତ

କ୍ୱାଲାଲମ୍ପୁର: ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳର ବିଜୟ ଧାରା ଜାରି ରହିଛି। ଫାଇନାଲ୍‌ ଯିବା ଲାଗି କର ବା ମର ସ୍ଥିତିରେ ଥିବା ଭାରତ ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ଓ୍ଵିକେଟ୍‌ରେ ଧୂଳି ଚଟାଇ ଲଗାତାର ସପ୍ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଅଳ୍ପ ରନ୍‌ ବିଶିଷ୍ଟ ମ୍ୟାଚ୍‌ରେ ଭାରତୀୟ ବୋଲର ପାକିସ୍ତାନକୁ ଏମିତି ପାଣି ପିଆଇଥିଲେ ଯେ ଏହି ଦଳ ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ମାତ୍ର ୭୨ ରନ୍‌ କରି ପାରିଥିଲା। ପ୍ରାରମ୍ଭିକ ବ୍ୟାଟର ନିସିଦା ଖାନ୍‌ (୧୮) ଓ ସାନା ମିର (୨୦*)ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଭାରତ ପକ୍ଷରୁ ଏକତା ବିସ୍ତ ମାତ୍ର ୧୪ ରନ୍‌ରେ ୩ ଓ୍ଵିକେଟ୍‌ ନେଇ ପାକିସ୍ତାନର ବିପର୍ଯ୍ୟୟ ଘଟାଇଥିଲେ। ଅନ୍ୟମାନେ ମଧ୍ୟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଏହାର ଜବାବରେ ଭାରତ ଅଭିଜ୍ଞ ମିତାଲି ରାଜ (୦) ଓ ଦୀପ୍ତି ଶର୍ମା (୦)ଙ୍କୁ ସଅଳ ହରାଇଥିଲା। ତେବେ ଅଧିନାୟିକା ହରମନପ୍ରୀତ କୌର (୩୪*) ଓ ସ୍ମୃତି ମାନ୍ଧାନା (୩୮) ଦାୟିତ୍ୱବାନ ବ୍ୟାଟିଂ କରି ୩.୫ ଓଭର ପୂର୍ବରୁ ଭାରତକୁ ବିଜୟୀ କରାଇଥିଲେ। ହରମନପ୍ରୀତ ଚୌକା ମାରି ୬ ଥର ବିଜେତା ଭାରତକୁ ଫାଇନାଲରେ ପହଞ୍ଚାଇ ଦେଇଥିଲେ। ଏକତା ପାକିସ୍ତାନ ବିପକ୍ଷରେ ଲଗାତାର ତୃତୀୟ ଥର ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ପାକିସ୍ତାନ ହାରିବା ପରେ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହି ବାଂଲାଦେଶ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ଭାରତ-ବାଂଲାଦେଶ ଫାଇନାଲ୍‌ ରବିବାର ଖେଳାଯିବ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୨୦ ଓଭରରେ ୭୨/୭ (ସାନା ମିର ୨୦*, ନସିଦା ଖାନ୍‌ ୧୮, ଏକତା ବିସ୍ତ ୩/୧୪, ଶିଖା ପାଣ୍ଡେ ୧/୬, ପୁନମ ଯାଦବ ୧/୧୧) ଭାରତ ୧୬.୧ ଓଭରରେ ୭୫/୩ (ସ୍ମୃତି ମାନ୍ଧାନା ୩୮, ହରମନପ୍ରୀତ କୌର ୩୪, ଅନମ ଅମିନ ୨/୧୦, ନସ୍ରା ସାନ୍ଧୁ ୧/୧୫)।

ଇତିହାସ ରଚିଲା ଥାଇଲାଣ୍ଡ୍‌
ଚଳିତ ବର୍ଷର ଏସିଆ କପ୍‌ରେ ଏକାଧିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂର୍ବତନ ଭାରତୀୟ ଖେଳାଳି ଅଞ୍ଜୁ ଜୈନଙ୍କ ପ୍ରଶିକ୍ଷଣରେ ବାଂଲାଦେଶ ଶକ୍ତିଶାଳୀ ଭାରତକୁ ହରାଇ ଦେଇଥିଲା ବେଳେ ଶନିବାର ଅଭିଜ୍ଞ ଶ୍ରୀଲଙ୍କାକୁ ହରାଇ ଥାଇଲାଣ୍ଡ୍‌ ଇତିହାସ ରଚିଛି। ଥାଇଲାଣ୍ଡ ଆଜି ଶେଷ ବଲ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୪ ଓ୍ଵିକେଟ୍‌ର ବିଜୟ ହାସଲ କରିବା ସେହି ଦେଶର ମହିଳା କ୍ରିକେଟ୍‌କୁ ବି ନୂଆ ଜୀବନ ଦେଇଛି। କାରଣ ଆଇସିସିର କୌଣସି ପୂର୍ଣ୍ଣକାଳୀନ ସଦସ୍ୟ ଦେଶ ବିପକ୍ଷରେ ଥାଇଲାଣ୍ଡ ପ୍ରଥମ ଥର ପାଇଁ ବିଜୟ ହାସଲ କରିଥିଲା। ଶ୍ରୀଲଙ୍କା ୧୦୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଥାଇଲାଣ୍ଡ ଠିକ୍‌ ୨୦ ଓଭରରେ ୬ ଓ୍ଵିକେଟ୍‌ ବିନିୟମରେ ହାସଲ କରି ନେଇଥିଲା।

ସମ୍ବନ୍ଧିତ ଖବର