ହାଙ୍ଗ୍ଝୁ: ଏସିଆ କପ୍ ମହିଳା ହକି ପ୍ରତିଯୋଗିତାରେ ଆୟୋଜକ ଭାରତ ପଡ଼ୋଶୀ ଚୀନକୁ ଭେଟିବ। ଚୀନ ତା’ର ତିନିଟି ଯାକ ସୁପର-୪ ମ୍ୟାଚ୍ ଜିତି ଫାଇନାଲ୍କୁ ଯାଇଥିଲା ବେଳେ ଭାରତ ଗୋଟିଏ ଲେଖାଏଁ ଜୟ, ପରାଜୟ ଓ ଡ୍ର’ ପାଇ ଏହି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରି ନେଇଛି। ଭାରତ ୪ ପଏଣ୍ଟ୍ ପାଇ ଚିନ୍ତାରେ ଥିଲା। ହେଲେ ଶେଷ ସୁପର-୪ ମ୍ୟାଚ୍ରେ ଚୀନ ଦକ୍ଷିଣ କୋରିଆକୁ ହରାଇବା ପରେ ଫାଇନାଲ୍ ଟିକେଟ ହାସଲ କରି ନେଇଥିଲା। ଜାପାନ ୨ ଏବଂ ଦକ୍ଷିଣ କୋରିଆ ମାତ୍ର ଗୋଟିଏ ପଏଣ୍ଟ୍ ପାଇ ସୁପର-୪ରୁ ବିଦାୟ ନେଇଥିଲେ। ଏବେ ଏହି ଦୁଇ ଦଳ ତୃତୀୟ ଓ ଚତୁର୍ଥ ସ୍ଥାନ ମ୍ୟାଚ୍ ଖେଳିବେ। ଫାଇନାଲ୍ ରବିବାର ଖେଳାଯିବ।
ପୂର୍ବରୁ ଜାପାନ ବିପକ୍ଷ ତୃତୀୟ ତଥା ଶେଷ ସୁପର-୪ ମ୍ୟାଚ୍କୁ ଭାରତ ୧-୧ ଗୋଲ୍ରେ ଅମୀମାଂସିତ ରଖିଥିଲା। ଶନିବାରର ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତୀୟ ଦଳ ସପ୍ତମ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିଲା। ଏହି ଗୋଲ୍ଟିକୁ ବିୟୁଟି ଡୁଙ୍ଗଡୁଙ୍ଗ୍ ଦେଇଥିଲେ। ଏହା ପରେ ଉଭୟ ଦଳ ୫୨ ମିନିଟ୍ କାଳ ପରସ୍ପର ଉପରେ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ମଧ୍ୟ ଗୋଲ୍ ଦେବାକୁ ସକ୍ଷମ ହୋଇ ନଥିଲେ। ଶେଷରେ ୫୮ ମିନିଟ୍ରେ ଜାପାନର ଶିବୋ କାବାୟାକାୱା ଏହି ଗତିରୋଧ ଦୂର କରି ସ୍ଥିତି ୧-୧ କରି ନେଇଥିଲେ। ଶେଷ ଦୁଇ ମିନିଟ୍ରେ ଭାରତ ଆଉ ଗୋଲ୍ ଦେଇ ନପାରିବାରୁ ଜାପାନ ସହ ପଏଣ୍ଟ୍ ବାଣ୍ଟିବାକୁ ବାଧ୍ୟ ହୋଇଥିଲା।
ନଭନୀତଙ୍କ ଦ୍ବିଶତକ
ଜାପାନ ବିପକ୍ଷ ମ୍ୟାଚ୍ ଖେଳି ଭାରତୀୟ ଅଗ୍ରଭାଗ ଖେଳାଳି ନଭନୀତ କୌର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ମାଇଲ୍ଖୁଣ୍ଟ ଛୁଇଁଥିଲେ। ୨୯ବର୍ଷୀୟ ନଭନୀତ ଚଳିତ ଏସିଆ କପ୍ରେ ଭାରତ ପକ୍ଷରୁ ଦ୍ବିତୀୟ ସର୍ବାଧିକ ଗୋଲ୍ ଦେଇଥିଲା ବେଳେ ୨୦୧୪ ମସିହାରେ ବରିଷ୍ଠସ୍ତରୀୟ ଅନ୍ତର୍ଜାତୀୟ ହକିରେ ପଦାର୍ପଣ କରିଥିଲେ। ଗତ ୧୧ବର୍ଷ ହେବ ସେ ଭାରତୀୟ ହକି ଦଳର ଅନ୍ୟତମ ପ୍ରମୁଖ ଖେଳାଳି ଦାୟିତ୍ବ ସଫଳତାର ସହ ତୁଲାଇ ଆସୁଛନ୍ତି। ଏସୀୟ କ୍ରୀଡ଼ା, ଏସିଆନ୍ ଚାମ୍ପିଅନ୍ସିପ୍, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ନେସନ୍ସ କପ୍ ଭଳି ସମ୍ମାନଜନକ ପ୍ରତିଯୋଗିତାରେ ପଦକ ଜିତିବାର ଅଭିଜ୍ଞତା ରହିଛି। ଏହି ନିଆରା କ୍ଲବ୍ରେ ସାମିଲ ହେବା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ନଭନୀତ କହିଛନ୍ତି।