ହାଙ୍ଗ୍‌ଝୁ: ଏସିଆ‌ କପ୍ ମହିଳା ହକିରେ ଭାରତର ବିଜେତା ହେବା ସ୍ବପ୍ନ ଭାଙ୍ଗି ଚୂରମାର୍ ହୋଇଯାଇଛି। ରବିବାର ଫାଇନାଲ୍‌ରେ ଘରୋଇ ଚୀନ ୪-୧ ଗୋଲ୍‌ରେ ଭାରତକୁ ହରାଇ ବିଜେତା ହେବା ସହ ଆସନ୍ତାବର୍ଷର ବିଶ୍ବକପ୍ ଲାଗି ଯୋଗ୍ୟତା ଅର୍ଜନ କରିଛି। ଅନ୍ୟପକ୍ଷରେ ଭାରତ ଉପବିଜେତା ହୋଇଥିଲେ ମଧ୍ୟ ବିଶ୍ବକପ୍‌କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ହାତଛଡ଼ା କରିଛି। ସେହିଭଳି ତୃତୀୟ ଥର ବିଜେତା ହେବାରେ ବିଫଳ ହୋଇଛି। ପୂରା ପ୍ରତିଯୋଗିତାରେ ଭାରତ ଦୁଇଟି ମ୍ୟାଚ୍ ହାରିଥିଲା। ଦୁଇଟି ଯାକରେ ଚୀନଠାରୁ ପରାଜିତ ହେବା ମଧ୍ୟ ଭାରତ ପାଇଁ ଆଉଏକ ଝଟ୍‌କା ହୋଇଛି।

Advertisment

ଭାରତୀୟ ଖେଳାଳିମାନେ ଆଜି ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରି ପ୍ରଥମରୁ ଆକ୍ରମଣ କରିଥିଲେ। ପ୍ରଥମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣର ମଧ୍ୟ ଅର୍ଜନ କରି ନେଇଥିଲେ। ନଭନୀତ ଏହାକୁ ଗୋଲ୍‌ରେ ରୂପାନ୍ତର କରିବା ଭାରତୀୟ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲା। ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଭାରତ ୧-୦ର ଅଗ୍ରଣୀକୁ ବଜାୟ ରଖିଥିଲା। ଦ୍ବିତୀୟ କ୍ବାର୍ଟରରେ ଚୀନ ପ୍ରତିଆକ୍ରମଣ କରି ମାତ୍ର ୬ ମିନିଟ୍‌ ଭିତରେ ଗୋଲ୍‌ଟିକୁ ଶୁଝି ଦେଇଥିଲା। ଏହି ଗୋଲ୍‌ (୨୧ ମିନିଟ୍)ଟିକୁ ଜିଜିଆ ପେନାଲ୍ଟି କର୍ଣ୍ଣରରୁ ହାସଲ କରିଥିଲେ। ତଥାପି ପ୍ରଥମାର୍ଦ୍ଧ ସୁଦ୍ଧା ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେ ରହିଥିଲେ। ମଧ୍ୟାନ୍ତର ପରେ କିନ୍ତୁ ଚୀନ ଆକ୍ରମଣର ମାତ୍ରା ବଢ଼ାଇ ଭାରତୀୟ ଗୋଲ୍‌ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲା। ଭାରତୀୟ ରକ୍ଷଣଭାଗକୁ ବାରମ୍ବାର ଭେଦ କରି ୪୧, ୫୧ ଓ ୫୩ ମିନିଟ୍‌ରେ ତିନିଟି ଗୋଲ୍ ଦେଇ ମ୍ୟାଚ୍ ସହ ଟ୍ରଫି ଜିତି ନେଇଥିଲା। ଏହି ତିନିଟି  ଗୋଲ୍ ଲି’ ହଙ୍ଗ, ଜୁ ମେଇରଙ୍ଗ ଓ ଝୋଙ୍ଗ ଜିଆକି ଦେଇଥିଲେ। ଚୀନର ଏହା ତୃତୀୟ ଏସିଆ କପ୍ ଟ୍ରଫି ଥିଲା।