ନୂଆଦିଲ୍ଲୀ: ଏସିଆ କପ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣାର ଦିନକ ପରେ ମହିଳା ଦଳ ବି ଘୋଷଣା କରାଯାଇଛି। ବିଶ୍ବକପ୍‌ ଯୋଗ୍ୟତା ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା ଏହି ମହାଦେଶୀୟ ପ୍ରତିଯୋଗିତା ସେପ୍ଟେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଚୀନର ହଙ୍ଗ୍‌ଝୁରେ ଖେଳାଯିବ। ଆହତ କାରଣରୁ ଭେ‌ଟେରାନ୍ ଗୋଲକିପର୍‌ ସବିତା ପୁନିଆ ଏବଂ ଅଭିଜ୍ଞ ମିଡ୍‌ଫିଲ୍ଡର ସୁଶୀଳା ଚାନୁଙ୍କୁ ସୁଯୋଗ ମିଳିନାହିଁ। ଓଡ଼ିଶାରୁ କେବଳ ଜଣେ ମାତ୍ର ଝିଅ ମିଡ୍‌ଫିଲ୍ଡର ସୁନେଲିତା ଟୋପ୍ପୋ ଏହି ୨୦ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଅଭିଜ୍ଞ ସବିତା ପୁନିଆଙ୍କ ଅନୁପସ୍ଥିତି କାରଣରୁ ଅଧିନାୟିକା ସଲିମା ଟେଟେଙ୍କ ଉପରେ ଅତିରିକ୍ତ ଚାପ ରହିବ। ସେହିଭଳି ସବିତାଙ୍କ ଛାୟାରୁ ବାହାରିବା ପରେ ବିଚୁ ଦେବୀ ଖରିବାମଙ୍କୁ ଗୋଲକିପିଂରେ ବି ପ୍ରମାଣିତ କରିବାକୁ ପଡ଼ିବ। ବିବାହ ପରେ ଦଳକୁ ଫେରିଥିବା ଉଦିତା ମଧ୍ୟ ଦଳର ଡି‌ଫେନ୍ସକୁ୍ ସମ୍ଭାଳିବେ। ଭାରତୀୟ ମହିଳା ଦଳ ପାଇଁ ବିଶ୍ବକପ୍‌ ଯୋଗ୍ୟତା ମଧ୍ୟ କଠୋର ପଥର ଆହ୍ବାନ ରଖିଛି। ପ୍ୟାରିସ୍ ଅଲିମ୍ପିକ୍ସ ‌ରୌପ୍ୟ ପଦକ ବିଜେତା ତଥା ବିଶ୍ବର ୪ ନମ୍ବର ମାନ୍ୟତାପ୍ରାପ୍ତ ଚୀନ ଏବଂ ବିଶ୍ବର ୧୨ ନମ୍ବର ଦଳ ଜାପାନ ପ୍ରମୁଖ ପ୍ରତିବଂଧକ ସାଜିବା ଆଶଙ୍କା ରହିଛି। ପୁଲ୍‌ ‘ବି’ରେ ସ୍ଥାନ ରହିଥିବା ଭାରତ ସହିତ ଜାପାନ, ଥାଇଲାଣ୍ଡ୍‌ ଓ ସିଙ୍ଗାପୁର ଥିବାବେଳେ ପୁଲ୍‌ ‘ଏ’ରେ ଚୀନ, ମାଲେସିଆ, କୋରିଆ ଓ ଚାଇନିଜ୍ ତାଇପେ ରହିଛନ୍ତି। ନିଜ ଗ୍ରୁପ୍‌ରୁ ଫାଇନାଲ୍ ପହଞ୍ଚିବା ଭାରତ ପାଇଁ ବଡ଼ କଥା ‌ନ ହେଲେ ବି ବିଜେତା ନ ହେଲେ ସିଧାସଳଖ ବିଶ୍ବକପ୍‌ ଟିକେଟ୍ ପାଇବା କଷ୍ଟକର ହେବ। ‘ଖେଳାଳିମାନେ କଠିନ ପରିଶ୍ରମ କରିଛନ୍ତି, ଦଳ ଚୟନରେ ବି ଯୁବ ଓ ଅଭିଜ୍ଞଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇଛି। ଶୃଙ୍ଖଳିତ ଓ ଆକ୍ରମଣାତ୍ମକ ବ୍ରାଣ୍ଡ୍‌ର ହକି ଖେଳିବା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ।

Advertisment

ଭାରତୀୟ ଦଳ: ଗୋଲକିପର୍ସ-ବଂଶାରୀ ସୋଲାଙ୍କୀ, ବିଜୁ ଦେବୀ ଖରିବାମ୍‌। ଡିଫେଣ୍ଡର୍ସ-ମନୀଷା ଚୌହାନ, ଉଦିତା, ସୁମନ ଦେବୀ ଥୌଦମ, ନିକି ପ୍ରଧାନ, ଈଶିକା ଚୌଧୁରୀ। ମିଡ୍‌ଫିଲ୍ଡର୍ସ-ନେହା, ବୈଷ୍ଣବୀ ଭିତ୍ତଲ ଫଲ୍‌କେ, ସଲିମା‌ ଟେଟେ, ଶର୍ମିଳା ଦେବୀ, ଲାଲରେମସିଆମୀ, ସୁନେଲିତା ଟୋପ୍ପୋ, ଫରୱାର୍ଡସ-ନଭନୀତ କୌର୍, ରୁତୁଜା ପିସାଲ, ବିଉଟି ଡୁଙ୍ଗଡୁଙ୍ଗ୍‌, ମମତାଜ ଖାନ୍‌, ଦୀପିକା, ସଂଗୀତା କୁମାରୀ।

ଭୁବନେଶ୍ବର: ଜଳନ୍ଧରରେ ଚାଲିଥିବା ୧୫ତମ ହକି ଇଣ୍ଡିଆ ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶା ଫାଇନାଲ୍‌କୁ ଉନ୍ନୀତ ହୋଇଛି। ଗୁରୁବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ଓଡ଼ିଶା କଡ଼ା ସଂଘର୍ଷପୂର୍ଣ୍ଣ ଭାବେ ୩-୨ ଗୋଲ୍‌ରେ ହକି ପଞ୍ଜାବକୁ ପରାସ୍ତ କରିଛି। ଫାଇନାଲ୍‌ରେ ଶୁକ୍ରବାର ଅପରାହ୍ଣ ୩.୩୦ରେ ଓଡ଼ିଶା ଭେଟିବ ହରିୟାଣାକୁ। ଗୁରୁବାର ପ୍ରଥମ ସେମିଫାଇନାଲ୍‌ରେ ହରିୟାଣା ଏକତରଫା ଭାବେ ୩-୦ରେ ଉତ୍ତରପ୍ରଦେଶକୁ ପରାସ୍ତ କରିଥିଲା। ଫଳରେ ଶୁକ୍ରବାରର ଫାଇନାଲ୍‌ ପୂର୍ବରୁ କାଂସ୍ୟ ପଦକ ପାଇଁ ଉତ୍ତରପ୍ରଦେଶ ଓ ପଞ୍ଜାବ ମୁକାବିଲା କରିବେ।

ଅଲିମ୍ପିଆନ୍ ସୁରଜିତ୍ ହକି ଷ୍ଟାଡିୟମ୍‌ରେ ଗୁରୁବାର ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ପ୍ରତାପ ଟୋପ୍ପୋ ପ୍ରଥମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରରୁ‌ ଗୋଲ୍ ଦେଇ ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ। ଦ୍ବାଦଶ ମିନିଟରେ କିନ୍ତୁ ଗୁରୁସେବକ ସିଂହଙ୍କ ଫିଲ୍ଡ ଗୋଲ୍ ମ୍ୟାଚ୍‌କୁ ବରାବର ସ୍ତରକୁ ନେଇ ଆସିଥିଲା। ଏହାର ୩ ମିନିଟ୍ ପରେ ପ୍ରତାପ ଟୋପ୍ପୋଙ୍କ ଦ୍ବିତୀୟ ଗୋଲ୍ (ଫିଲ୍ଡ) ଓଡ଼ିଶାକୁ ପୁଣି ଆଗୁଆ କରିଥିଲା। ୪୪ତମ ମିନିଟ୍‌ରେ ମନମିତ୍ ସିଂହ ରାଏଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍‌ କାରଣରୁ ତୃତୀୟ କ୍ବାର୍ଟରସୁଦ୍ଧା ମ୍ୟାଚ୍‌ ୨-୨ ସ୍ଥିତିରେ ରହିଥିଲା। ମ୍ୟାଚ୍‌ର ୫୮ତମ ମିନିଟରେ କରଣ ଲାକ୍ରାଙ୍କ ନିର୍ଣ୍ଣାୟକ ଫିଲ୍ଡ ଗୋଲ୍‌ ଓଡ଼ିଶାକୁ ବିଜୟ ପ୍ରଦାନ କରିଥିଲା।