ଢାକା,: ବୁଧବାରଠାରୁ ଆରମ୍ଭ ହେବ ଏସିଆ କପ୍ ହକି। ବର୍ଷଶେଷର ବଡ଼ ପ୍ରତିଯୋଗିତା ଭାବେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏଫ୍ଆଇଏଚ୍ ହକି ବିଶ୍ୱ ଲିଗ୍ ଫାଇନାଲ୍ ପର୍ଯ୍ୟାୟ ପୂର୍ବରୁ ଏସିଆ କପ୍ ହିଁ ଏକମାତ୍ର ଆନ୍ତର୍ଜାତିକ ପ୍ରତିଯୋଗିତା। ରୋଏଲାଣ୍ଟ୍ ଓଲ୍ଟମାନ୍ସ ବହିଷ୍କୃତ ହେବା ପରେ ଜୋଡ୍ ମାରିନ୍ ନୂଆ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବାର ଏହି ପ୍ରତିଯୋଗିତା ଭାରତୀୟ ହକି ପାଇଁ ନୂଆ ପର୍ଯ୍ୟାୟର ଆରମ୍ଭ ହେବ। ମାରିନ୍ଙ୍କ ପାଇଁ ଏହି ପ୍ରତିଯୋଗିତା ପ୍ରଥମ ପରୀକ୍ଷା ମଧ୍ୟ ହେବ। ଓଲ୍ଟମାନ୍ସ ତାଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତକୁ ବିଶ୍ୱ ମାନ୍ୟତାରେ ଦ୍ୱାଦଶ ସ୍ଥାନରୁ ଉଠାଇ ଷଷ୍ଠରେ ପହଞ୍ଚାଇଥିଲେ। ଏହା ହିଁ ୪୩ ବର୍ଷ ବୟସ୍କ ମାରିନ୍ଙ୍କ ପାଇଁ ଆହ୍ଵାନ ରଖିବ।
ଭାରତ ଏଥର ପ୍ରଥମ ମ୍ୟାଚ୍ ଜାପାନ ସହ ଖେଳି ତା’ର ଏସିଆ କପ୍ ଅଭିଯାନ ଆରମ୍ଭ କରିବ। ପୁଲ୍-ଏରେ ସାମିଲ ହୋଇଥିବା ଭାରତ ଏହାପରେ ୧୩ ତାରିଖରେ ଆୟୋଜକ ବାଂଲାଦେଶ ଓ ୧୫ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ହେଲେ ମନ୍ପ୍ରିତ୍ ସିଂହଙ୍କ ନେତୃତ୍ୱାଧୀନ ଭାରତ ଏସୀୟ ଶକ୍ତି ଭାବେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିବା ଲକ୍ଷ୍ୟ ରଖିଛି। ଗତବର୍ଷର ଉପବିଜେତା ଭାରତ ଏଥର ମଧ୍ୟ ସବୁଠୁ ଅଧିକ ପସନ୍ଦର ଦଳ ରହିଛି। କୌଣସି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ ପ୍ରତ୍ୟେକ ଦଳ ପାଇଁ ଗୁରୁତ୍ୱ ବହନ କରିଥାଏ।
ସେହି ଦୃଷ୍ଟିରୁ ଭାରତ ମଧ୍ୟ ସକାରାତ୍ମକ ଢଙ୍ଗରେ ଅଭିଯାନ ଆରମ୍ଭ କରିବା ଆଶା ରଖିଛି ବୋଲି କହିଛନ୍ତିି ଅଧିନାୟକ ମନ୍ପ୍ରିତ୍। ଆମେ ଏହି ପ୍ରତିଯୋଗିତାକୁ ସର୍ବୋଚ୍ଚ ମାନ୍ୟତା ଦଳ ଭାବେ ଆସିଛୁ। ଆଉ ଏହି ମାନ୍ୟତାକୁ ବଜାୟ ରଖିବାକୁ ପ୍ରୟାସ କରିବୁ ବୋଲି ସେ କହିଛନ୍ତି। ଭାରତ ଶେଷ ଥର ପାଇଁ ଚଳିତ ବର୍ଷ ସୁଲ୍ତାନ ଆଜ୍ଲାନ ଶାହା କପ୍ରେ ଜାପାନକୁ ଭେଟିଥିଲା। ସେହି ମୁକାବିଲରେ ମଧ୍ୟ ଭାରତ ୪-୩ ଗୋଲ୍ରେ ଜାପାନକୁ ପରାସ୍ତ କରିଥିଲା। ହେଲେ ଜାପାନକୁ କୌଣସିମତେ ହାଲ୍କା ଭାବେ ନେବୁନି ବୋଲି ମନ୍ପ୍ରିତ୍ କହିଛନ୍ତି।
ପୁଣି ଜାପାନ ଯେ ଏକ ଅକଳନୀୟ ଦଳ ତାହା ସେ ଆଜ୍ଲାନ୍ ଶାହା କପ୍ରେ ପ୍ରମାଣିତ କରିସାରିଛି। ସେହି ପ୍ରତିଯୋଗିତାରେ ଜାପାନ ମଧ୍ୟ ୩-୨ ଗୋଲ୍ରେ ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ପରାସ୍ତ କରିଦେଇଥିଲା। ଜାପାନ କେମିତି ଖେଳେ ଆମେ ଦେଖିଛୁ। ଜାପାନ ଏସିଆରେ ଅନ୍ୟତମ ବିକଶଶୀଳ ଦ୍ରୁତତମ ଦଳ ଭାବେ ପରିଗଣିତ ହେଲାଣି। ଆମେ ସେହି ଦଳକୁ ହେୟ ମଣିବୁନି ବୋଲି ମନ୍ପ୍ରିତ୍ ସ୍ପଷ୍ଟ କରିଛନ୍ତି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ୍ ସନ୍ତୁଳିତ ବୋଲି ନୂଆ ପ୍ରଶିକ୍ଷକ କହିଛନ୍ତି।
ଗୋଲ୍ରକ୍ଷକ ଆକାଶ ଚିକ୍ଟେ ଓ ସୁରଜ କାର୍କେରା ସେମାନଙ୍କ ସ୍ଥାନ ବଜାୟ ରଖିଥିଲା ବେଳେ ୟୁରୋପ ଗସ୍ତରୁ ବିଶ୍ରାମ ପାଇଥିବା ହର୍ମନ୍ପ୍ରିତ୍ ସିଂହ ଓ ସୁରେନ୍ଦ୍ର କୁମାର ପ୍ରତ୍ୟାବର୍ତନ କରିଛନ୍ତି। ସେହିପରି ଏସିଆ କପ୍ ମଧ୍ୟ ପୂର୍ବତନ ଅଧିନାୟକ ସର୍ଦାର ସିଂହ, ଆକାଶଦୀପ୍ ସିଂହ, ସତ୍ବୀର ସିଂହ ଓ ଏସ୍ଭି ସୁନିଲଙ୍କୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଛି। ସୁନିଲ ମଧ୍ୟ ଦଳର ଉପଅଧିନାୟକ ଦାୟିତ୍ୱ ପାଇଛନ୍ତି। ପ୍ରଥମ ଦିବସରେ ଭାରତ-ଜାପାନ ମୁକାବିଲା ସାଙ୍ଗକୁ ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟ ମୁହାଁମୁହିଁ ହେବେ। ଚଳିତ ଏସିଆ କପ୍ର ପୁଲ୍-ବିରେ ଗତଥରର ବିଜେତା କୋରିଆ ସାଙ୍ଗକୁ ମାଲେସିଆ, ଚୀନ୍ ଓ ଓମାନ୍ ସାମିଲ ହୋଇଛନ୍ତି।