ଏସିଆରେ ପ୍ରଥମ ଥର ଗ୍ରାଣ୍ଡ୍‌ ଚେସ୍‌ ଟୁର୍‌, କୋଲ୍‌କାତାରେ ଟାଟା ଷ୍ଟିଲ୍‌ ଚେସ୍‌ ଆରମ୍ଭ

ଭୁବନେଶ୍ବର: ଏସିଆ ମହାଦେଶରେ ପ୍ରଥମ ଥର ଲାଗି ମର୍ଯ୍ୟାଦାଜନକ ଗ୍ରାଣ୍ଡ୍‌ ଚେସ୍‌ ଟୁର୍‌ (ଜିସିଟି) ଆୟୋଜନ ହୋଇଛି। ଜିସିଟି ଟୁର୍‌ର ଅଂଶବିଶେଷ ଟାଟା ଷ୍ଟିଲ୍‌ ଚେସ୍‌ ଇଣ୍ଡିଆ ପ୍ରତିଯୋଗିତା କୋଲ୍‌କାତାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଉଭୟ ରାପିଡ୍‌ ଓ ବ୍ଲିଜ୍‌କୁ ନେଇ ଆୟୋଜିତ ଏହି ୪ ଦିନିଆ ପ୍ରତିଯୋଗିତାରେ ବିଶ୍ବର ପ୍ରମୁଖ ୧୦ ଜଣ ଗ୍ରାଣ୍ଡମାଷ୍ଟର ମୁହାଁମୁହିଁ ହେଉଛନ୍ତି। ସେମାନଙ୍କ ମଧ୍ୟରେ ମାଗ୍‌ନସ୍‌ କାର୍ଲସେନ୍‌, ବିଶ୍ବନାଥନ୍‌ ଆନନ୍ଦ, ଡିଙ୍ଗ୍‌ ଲିରେନ୍‌, ଇଆନ୍‌ ନେପୋମିଆଚି, ଲେଭନ୍‌ ଆରୋନିଆନ୍‌, ଅନିଶ ଗିରି, ୱେସ୍‌ଲି ସୋ, ହିକାରୁ ନାକାମୁରା, ପି ହରିକୃଷ୍ଣା ଓ ବିଦିତ ଗୁଜରାଟୀ ସାମିଲ ଅଛନ୍ତି। ସେଣ୍ଟ୍‌ ଲୁଇସ୍‌ ଚେସ୍‌ କ୍ଲବ୍ ଓ ଚେସ୍‌ ପ୍ରମୋସନ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲ୍‌ ଚେସ୍‌ ଇଣ୍ଡିଆର ଏହି ଦ୍ବିତୀୟ ସଂସ୍କରଣକୁ ଶୁକ୍ରବାର ଚାଣକ୍ୟ ଚୌଧୁରୀ (ଉପସଭାପତି, ଟାଟା ଷ୍ଟିଲ୍‌ କର୍ପୋରେଟ୍‌ ସେବା), ଭରତ ସିଂହ ଚୌହାନ୍‌ (ଏଆଇସିଏଫ୍‌ ସଚିବ) ଏବଂ ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଉଦ୍‌ଘାଟନ କରିଥିଲେ। ଚଳିତ ମାସ ପ୍ରାରମ୍ଭରେ ଉନ୍ମୋଚିତ ହୋଇଥିବା ଟ୍ରଫିକୁ ରାପିଡ୍‌ ଓ ବ୍ଲିଜ୍‌ ବିଜେତାଙ୍କୁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର