ଏସିଆ ରଗ୍‌ବି ସେଭେନ୍ସ ଲୋଗୋ ଉନ୍ମୋଚିତ 

କଳିଙ୍ଗ ଷ୍ଟାଡିୟମରେ ୨୬ରୁ ୩ ଦିନିଆ ପ୍ରତିଯୋଗିତା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚଳିତ ମାସ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଏସିଆ ରଗ୍‌ବି ସେଭେନ୍ସ ୧୮ ବର୍ଷରୁ କମ୍ ବାଳିକା ପ୍ରତିଯୋଗିତା ଆୟୋଜିତ ହେବ। ଭାରତରେ କୌଣସି ବୟସ ବର୍ଗର ବାଳିକା ଅନ୍ତର୍ଜାତୀୟ ରଗ୍‌ବି ପ୍ରତିଯୋଗିତାର ଏହା ପ୍ରଥମ ଘଟଣା ହେବ। ମଙ୍ଗଳବାର ଏହି ମହାଦେଶୀୟ ପ୍ରତିଯୋଗିତାର ଲୋଗୋକୁ ପୂବର୍ତନ ଭାରତୀୟ ରଗ୍‌ବି ଖେଳାଳି, ବଲିଉଡ୍ ଅଭିନେତା ତଥା ନିର୍ଦେଶକ ରାହୁଲ ବୋଷ ଉନ୍ମୋଚନ କରିଛନ୍ତି। ଏହି ବିଷୟରେ ଟ୍ବିଟ୍ କରି ରାହୁଲ କହିଛନ୍ତି, ଭାରତର ପ୍ରଥମ ବୟସ ବର୍ଗ ପ୍ରତିଯୋଗିତାର ଲୋ‌େଗା ଉନ୍ମୋଚନ କରି ମୁଁ ଗର୍ବିତ। ଏଥିଲାଗି ଓଡ଼ିଶା କ୍ରୀଡ଼ା‌ ବିଭାଗ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମସ୍ତ ପ୍ରାୟୋଜକଙ୍କୁ ଧନ୍ୟବାଦ ଦେଉଛି। ସୂଚନା ଯୋଗ୍ୟ ଯେ ଏସିଆ ରଗ୍‌ବି ସେଭେନ୍ସ ୧୮ ବର୍ଷରୁ କମ୍ ବାଳିକା ପ୍ରତିଯୋଗିତାର ପୂର୍ବ ଦୁଇ ସଂସ୍କରଣ ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥର ଏହି ୩ ଦିନିଆ ପ୍ରତିଯୋଗିତାରେ ଏସିଆ ମହାଦେଶର ୧୨ ଦଳ ଅଂଶ ଗ୍ରହଣ କରିବେ। ସେମାନେ ହେଲେ ହଂକଂ, ଚୀନ, ୟୁଏଇ, ଫିଲିପାଇନ୍ସ, ଲାଓସ୍, କାତାର, ନେପାଳ, ଚାଇନିଜ୍ ତାଇପେ, ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ ଓ ଭାରତ। ରଗ୍‌ବି ଇଣ୍ଡିଆର ମହାସଚିବ ମହେଶ ମଥାଇ ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ କରୁଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ରଗବି ଏସିଆ ସଭାପତି ଆଗା ହୁସେନ ମଧ୍ୟ ରଗ୍‌ବି ବିକାଶ ପାଇଁ ଓଡ଼ିଶା ସରକାର ନେଉଥିବା ପଦକ୍ଷେପ ଅନ୍ୟ ଦେଶ ଓ ରାଜ୍ୟଗୁଡ଼ିକୁ ଅନୁପ୍ରେରିତ କରିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର