ଭୁବନେଶ୍ୱରରେ ଏସୀୟ ୧୮ ବର୍ଷରୁ କମ୍‌ ରଗ୍‌ବି

ଅକ୍ଟୋବର ୨୬ରୁ ଆରମ୍ଭ ଭାଗନେବେ ୧୬ ଦଳ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ୍‌। ଏହା ପୂର୍ବରୁ ସେହି କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବୃହତ୍‌ ତଥା ସମ୍ମାନଜନକ ପ୍ରତିଯୋଗିତା ରାଜ୍ୟ କ୍ରୀଡ଼ାପ୍ରେମୀ ଦେଖିବାର ସୁଯୋଗ ପାଇବେ। ଅକ୍ଟୋବରରେ କଳିଙ୍ଗ ଷ୍ଟାଡିୟମରେ ଏସୀୟ ୧୮ ବର୍ଷରୁ କମ୍‌ ବାଳିକା ରଗ୍‌ବି ସେଭେନ୍ସ ପ୍ରତିଯୋଗିତା ଆୟୋଜିତ ହେବ। ଅକ୍ଟୋବର ୨୬, ୨୭ ଏବଂ ୨୮ ତିନି ଦିନ ଧରି ଏହି ପ୍ରତିଯୋଗିତା ଖେଳାଯିବ। ଏଥିରେ ଏସିଆ ମହାଦେଶର ବଛା ବଛା ୧୬ଟି ଦଳ ଅଂଶ ଗ୍ରହଣ କରିବେ। ଭାରତରେ ଏହି ପ୍ରତିଯୋଗିତା ପ୍ରଥମ ଥର ପାଇଁ ଆୟୋଜିତ ହେବ। ସେପଟେ ଭୁବନେଶ୍ୱର ଏହାକୁ ଆୟୋଜନ କରିବାରେ ପ୍ରଥମ ଭାରତୀୟ ସହର ହେବ। ପ୍ରତିଯୋଗିତା ଭୁବନେଶ୍ୱରରେ ହେବ ବୋଲି ପୂର୍ବରୁ ଶୁଣା ଯାଉଥିଲେ ମଧ୍ୟ ରବିବାର ଜାତୀୟ ରଗବି ମହାସଂଘ ଏହି ସୂଚନା ଉପରେ ଆନୁଷ୍ଠାନିକ ମୋହର ମାରିଛି। ସୂଚନାଯୋଗ୍ୟ ଯେ ଏସୀୟ ୧୮ ବର୍ଷରୁ କମ୍‌ ବାଳିକା ରଗ୍‌ବି ପ୍ରତିଯୋଗିତା ଆୟୋଜନ ନେଇ କଳିଙ୍ଗ ଷ୍ଟାଡିୟମରେ ଥିବା ଭିତ୍ତିଭୂମିକୁ ଅନୁଧ୍ୟାନ କରିବା ଲାଗି ବିଶ୍ୱ , ଏସୀୟ ଏବଂ ଜାତୀୟ ରଗବି ସଂଘର ଅଧିକାରୀମାନେ ଏକାଧିକ ବାର ଏଠାକୁ ଆସିସାରିଛନ୍ତି। ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଏଥିନେଇ ଆଲୋଚନା କରିଥିଲେ। ସେମାନେ କଳିଙ୍ଗ ଷ୍ଟାଡିୟମରେ ଥିବା ଭିତ୍ତିିଭୂମି ନେଇ ସନ୍ତୋଷ ଜାହିର କରିବା ପରେ ଭୁବନେଶ୍ୱର ଏହି ପ୍ରତିଯୋଗିତାର ଆୟୋଜନ ଅଧିକାର ପାଇଛି। ବଡ଼ କଥା ହେଲା ରଗ୍‌ବି ସେଭେନ୍ସରେ ଓଡ଼ିଶା ଖେଳାଳି କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଏଣୁ ଘରୋଇ ପରିବେଶରେ ସେମାନେ ଆହୁରି ଭଲ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର