ଏସୀୟ ରଗ୍‌ବି ସେଭେନ୍ସ, ଭାରତୀୟ ମହିଳାଙ୍କୁ ରୌପ୍ୟ

ଭୁବନେଶ୍ବର: ଇଣ୍ଡୋନେସିଆର ଜାକର୍ତାଠାରେ ଆୟୋଜିତ ଏସୀୟ ରଗ୍‌ବି ସେଭେନ୍ସ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ଜିତିଥିଲା ବେଳେ ପୁରୁଷ ଦଳ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଛି। ଗ୍ରୁପ୍‌ ପର୍ଯ୍ୟ‌ାୟରେ ମହିଳା ଦଳ ଚାଇନିଜ୍‌ ତାଇପେକୁ ୩୪-୦ ଏବଂ ଗୁଆମ୍‌କୁ ୨୯-୧୪ରେ ହରାଇ ଗ୍ରୁପ୍‌ ବିଜେତା ହୋଇ ଫାଇନାଲ୍‌ ପର୍ଯ୍ୟ‌ାୟରେ ପହଞ୍ଚିଥିଲା। ଏହି ପର୍ଯ୍ୟାୟରେ ଇଣ୍ଡୋନେସିଆକୁ ୨୧-୧୭ରେ ହରାଇଥିଲା ବେଳେ ଫିଲିପାଇନ୍ସଠୁ ୧୨-୧୯ରେ ହାରି ଟେବୁଲ୍‌ର ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲା। ଫିଲିପାଇନ୍ସ ୨ରୁ ୨ ବିଜୟ ସହ ସ୍ବର୍ଣ୍ଣ ଏବଂ ଇଣ୍ଡୋନେସିଆ କାଂସ୍ୟ ପଦକ ପାଇଥିଲା। ଗ୍ରୁପ୍‌ ସି’ରେ ସ୍ଥାନ ପାଇଥିବା ପୁରୁଷ ସିଙ୍ଗାପୁରଠୁ ୧୨-୨୭ରେ ପରାଜିତ ହୋଇଥିଲା ବେଳେ ବ୍ରୁନେଇକୁ ୩୩-୭ରେ ପରାସ୍ତ କରି ଟେବୁଲର ଦ୍ବିତୀୟ ସ୍ଥାନରେ‌ ରହି ସେମିଫାଇନାଲ୍‌ରୁ ବଞ୍ଚିତ ହୋଇ ପ୍ଲେଟ୍‌ ଗ୍ରୁପ୍‌କୁ ଖସିଥିଲା। ଏଥିରେ ଆଫ୍‌ଗାନିସ୍ତାନକୁ ୧୭-୧୨ ଏବଂ ଇଣ୍ଡୋନେସିଆକୁ ୨୪-୧୪ରେ ପରାସ୍ତ କରି ପ୍ଲେଟ୍‌ ବିଜେତା ତଥା ମୋଟ ଉପରେ ପଞ୍ଚମ ସ୍ଥାନରେ ରହିଥିଲା।
ସୂଚନାଯୋଗ୍ୟ ଯେ ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ୪ ‌ଖେଳାଳି ହୁପି ମାଝୀ, ଶୁଭଲକ୍ଷ୍ମୀ ବାରିକ, ମିନାରାଣୀ ହେମ୍ବ୍ରମ୍ ଓ ସୁମିତ୍ରା ନାୟକ ସ୍ଥାନ ପାଇଥିଲା ବେଳେ ପୁରୁଷ ଦଳରେ କୌଣସି ଓଡ଼ିଆ ଖେଳାଳିଙ୍କୁ ସୁଯୋଗ ମିଳିନଥିଲା। ତେବେ ମାନସ ଜେନା ଓ ଧିରେନ୍ କୁମାର ରାଉତ ଉଭୟ ଦଳର ପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର