ଏସୀୟ ଶକ୍ତିଉତ୍ତୋଳନରେ ଅନୁପମାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ଭାରତୀୟ ଶକ୍ତିଉତ୍ତୋଳନ ସଂଘ ଆନୁକୂଲ୍ୟରେ କେରଳର ଆଲେପିଠାରେ ଚାଲିଥିବା ଏସୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଆ ତାରକା ଅନୁପମା ସ୍ୱାଇଁ ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି। ୫୨ କେଜି ମହିଳା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କେନ୍ଦୁଝର ଝିଅ ଅନୁପମା ବୁଧବାର ମୋଟ ୩୨୫ କେଜି ଉତ୍ତୋଳନ କରି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ମୋଟଉପରେ ସ୍ୱର୍ଣ୍ଣ ଜିତିଥିବା ଅନୁପମା ବ୍ୟକ୍ତିଗତ ସ୍କ୍ଵାଟ୍‌ରେ ସ୍ୱର୍ଣ୍ଣ ଓ ବେଞ୍ଚ୍‌ପ୍ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ଅନୁପମା ସ୍କ୍ଵାଟ୍‌ରେ ୧୩୨.୫, ବେଞ୍ଚପ୍ରେସ୍‌ରେ ୬୫ ଓ ଡେଡ୍‌ ଲିପ୍ଟରେ ୧୨୭.୫) କେଜି ଉତ୍ତୋଳନ କରିଥିଲେ। ତାଙ୍କ ପଛକୁ ସିଙ୍ଗାପୁରର ଲି ଏଲ୍‌ (୩୧୭.୫ କେଜି) ଏବଂ ଫିଲିପାଇନ୍‌ସର କୋୟାକା ଏ (୩୧୭.୫ କେଜି) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ସହ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ତେବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଓଡ଼ିଆ ତାରକା ପ୍ରଦୀପ ପାତ୍ର ଅସୁସ୍ଥତା ଯୋଗୁଁ ପଦକରୁ ବଞ୍ଚିତ ହୋଇଥିଲେ। ୬୬ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରଦୀପ ମୋଟ ୫୨୭.୫ କେଜି (ସ୍କ୍ଵାଟ୍‌ରେ ୨୦୦, ବେଞ୍ଚ୍‌ପ୍ରେସ୍‌ରେ ୧୧୭.୫, ଡେଡ୍‌ଲିପ୍ଟରେ ୨୧୦) କେଜି ଉତ୍ତୋଳନ କରି ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଅନୁପମାଙ୍କ ସ୍ୱର୍ଣିମ ସଫଳତା ପାଇଁ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘର ସଭାପତି କଲିକେଶ ନାରାୟଣ ସିଂଦେଓ, ଉପସଭାପତି ତଥା ପ୍ରଶିକ୍ଷକ ହରିପ୍ରସାଦ ପଟ୍ଟନାୟକ, ସଂପାଦକ ଇଂ ଚିତ୍ତରଞ୍ଜନ ସ୍ୱାଇଁ ଏବଂ ଉତ୍କଳ କରାଟେ ସ୍କୁଲ୍‌ର ସଂପାଦକ ହରିପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର