ଭୁବନେଶ୍ବର: ହଂକଂଠାରେ ଗତ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ଉପବିଜେତା ହୋଇଛି। ଚୀନ ୧୨ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୮ କାଂସ୍ୟ ପଦକ ପାଇ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଭାରତ ୮ ସ୍ବର୍ଣ୍ଣ ଏବଂ ୯ଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଜିତି ଦ୍ବିତୟ ସ୍ଥାନରେ ଅଭିଯାନ ଶେଷ କରିଛି। ଭାରତୀୟ ଦଳର ଏହି ସଫଳତାରେ ଓଡ଼ିଆ ଛାପ ରହିଛି। ଓଡ଼ିଶାର ପ୍ରତିଷ୍ଠିତ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ତାଙ୍କ ମାର୍ଗଦର୍ଶନରେ ହିଁ ଭାରତ ଉପବିଜେତା ହେବାର ଗୌରବ ଅର୍ଜନ କରିଛି। ସେହିଭଳି ହଂକଂ ଯିବା ପୂର୍ବରୁ ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ଭାରତୀୟ ଦଳର ପ୍ରସ୍ତୁତି ଶିବିରରେ ଓଡ଼ିଶାର ଯୁବ ବିଶେଷଜ୍ଞ ଶୋଭେନ କୁମାର ଫିଜିଓ ଦାୟିତ୍ବ ତୁଲାଇଥିଲେ। ପ୍ରଥମ ଥର ପାଇଁ ଭାରତୀୟ ଦଳ ସହ କାର୍ଯ୍ୟ କରିବାର ସୁଯୋଗ ପାଇଥିବା ଶୋଭେନ ଖେଳାଳିଙ୍କ ସୁସ୍ଥତା ଏବଂ ଆଘାତ ଜନିତ ସମସ୍ୟା ଦୂର କରିବା ଦାୟିତ୍ବ ବହନ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ୫୬ ଜଣିଆ ଭାରତୀୟ ଦଳ ଅଂଶ ଗ୍ରହଣ କରିଥିଲା। ସେଥିରେ ୩୧ ବାଳକ, ୧୬ ବାଳିକା ଏବଂ ୯ ଜଣ ଅଧିକାରୀ ଥିଲେ। ଚୀନ୍ ଓ ଭାରତ ପରେ ଜାପାନ (୬ ସ୍ବର୍ଣ୍ଣ, ୮ ରୌପ୍ୟ, ୬ କାଂସ୍ୟ), ଚାଇନିଜ୍ ତାଇପେ (୩ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ), କାଜାଖସ୍ତାନ ( ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୪ କାଂସ୍ୟ), ଇରାନ (୨ ସ୍ବର୍ଣ୍ଣ, ୧ ରୌପ୍ୟ, ୨ କାଂସ୍ୟ), ଦକ୍ଷିଣ କୋରିଆ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ), ହଂକଂ (୧ ସ୍ବର୍ଣ୍ଣ, ୨ ରୌପ୍ୟ), ସିଙ୍ଗାପୁର (୧ ସ୍ବର୍ଣ୍ଣ, ୧ ରୌପ୍ୟ) ଓ ସାଉଦି ଆରବ (୧ ସ୍ବର୍ଣ୍ଣ, ୧ କାଂସ୍ୟ) ପ୍ରଥମ ୧୦ ସ୍ଥାନରେ ରହିଥିଲେ। ଏହି ପ୍ରତିଯୋଗିତାରେ ୩୧ ଦେଶର ୪୨୬ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ଏସୀୟ ଯୁବ ଦୌଡ଼କୁଦରେ ଭାରତ ଉପବିଜେତା, ସଞ୍ଜୟ, ଶୋଭେନଙ୍କ ପାଇଁ ଓଡ଼ିଆ ଛାପ
/sambad/media/post_attachments/wp-content/uploads/2019/03/Untitled-7-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)