ଭୁବନେଶ୍ୱର: ୧୯୯୦ ମସିହାର ଏକାଦଶ ସଂସ୍କରଣ ଏସୀୟ କ୍ରୀଡ଼ା ବେଜିଂରେ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୭ ତାରିଖ ମଧ୍ୟରେ ଖେଳାଯାଇଥିଲା। ଏଥି ସହିତ ଚୀନ ପଦାର୍ପଣ କରିଥିଲା ଏସିଆଡ୍। ଅଂଶଗ୍ରହଣକାରୀ ଦେଶ ସଂଖ୍ୟା ଆହୁରି ବଢ଼ି ପହଞ୍ଚିଥିଲା ୩୬ରେ। ସର୍ବାଧିକ ୨୭ ଖେଳ ଓ ୩୦୮ ଇଭେଣ୍ଟ୍ ସହିତ ଏହା ସର୍ବବୃହତ ମାନ୍ୟତା ପାଇଥିଲା। ୬୧୨୨ ଖେଳାଳି ଭାଗନେବା ମଧ୍ୟ ସର୍ବାଧିକ ଥିଲା। ଚୀନର କ୍ରୀଡ଼ା ବିକାଶରେ ଏହା ବଡ଼ ଯୋଗଦାନ ରଖିଥିଲା। ଏଥି ସହିତ ୨୦୦୦ ମସିହା ଅଲିମ୍ପିକ୍ସ ପାଇଁ ମଧ୍ୟ ଚୀନ ଦାବି ଉପସ୍ଥାପନ କରିଥିଲା। ଅବଶ୍ୟ ଏହାର ଆୟୋଜନ ଅଧିକାର ସିଡ୍ନି ହାତେଇ ନେଇଥିଲା। କିନ୍ତୁ ୨୦୦୧ ମସିହାରେ ବେଜିଂକୁ ୨୦୦୮ ଅଲିମ୍ପିକ୍ସ ଆୟୋଜନ ଅଧିକାର ମିଳିଥିଲା। ଏକାଦଶ ସଂସ୍କରଣ ଏସିଆଡ୍ ଆରମ୍ଭ ପୂର୍ବରୁ ୩ଟି ପର୍ଯ୍ୟାୟରେ ୧୯୮୮, ୧୯୮୯ ଏବଂ ୧୯୯୦ ମସିହାରେ ସ୍ମାରକୀ ଷ୍ଟାମ୍ପ୍ ପ୍ରଚଳିତ ହୋଇଥିଲା। ସେହିଭଳି ପନ୍ପନ୍ ନାମକ ପାଣ୍ଡାକୁ ମାସ୍କଟ୍ କରାଯାଇଥିଲା।
ଖେଳ ପଡ଼ିଆରେ ଚୀନର ଆଧିପତ୍ୟ ଜାହିର ହୋଇଥିଲା ଲଗାତାର ତୃତୀୟ ଥର। କେହି ବି ଚୀନକୁ ଟକ୍କର ଦେବା ସ୍ଥିତିରେ ପହଞ୍ଚି ପାରିନଥିଲେ। ସ୍ୱର୍ଣ୍ଣ ପଦକର ୬୦ ପ୍ରତିଶତ (୧୮୩) ଏବଂ ମୋଟ ପଦକର ୩୪ ପ୍ରତିଶତ (୩୪୧) ଜିତିଥିଲା ଆୟୋଜକ ଦେଶ। ଘରୋଇ ଦଳ ଖାତାରେ ପଡ଼ିଥିଲା ୧୦୭ ରୌପ୍ୟ ଏବଂ ୫୧ କାଂସ୍ୟ। ଯାହାକି ଅଦ୍ଭୂତପୂର୍ବ ରହିଛି। ଦକ୍ଷିଣ କୋରିଆ (୫୪, ୫୪, ୭୩) ମୋଟ ୧୮୧ ପଦକ ଜିତି ଦ୍ୱିତୀୟରେ ରହିଥିଲା। ୮ ଥର ଦଳଗତ ବିଜେତା ଜାପାନ (୩୮+୬୦+୭୬) ପୁଣି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା। ଉତ୍ତର କୋରିଆ, ଇରାନ୍, ପାକିସ୍ତାନ, ଇଣ୍ଡୋନେସିଆ, କାତାର, ଥାଇଲାଣ୍ଡ୍, ମାଲେସିଆ ଚତୁର୍ଥରୁ ଦଶମ ସ୍ଥାନରେ ରହିଥିଲେ। ପ୍ରଥମ ଥର ପାଇଁ ଭାରତ ଶୀର୍ଷ ୧୦ ବାହାରେ ରହିଥିଲା। ଗୋଟିଏ ମାତ୍ର ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୧୪ କାଂସ୍ୟ ସହିତ ମୋଟ ୨୩ ପଦକ ଜିତି ଏକାଦଶ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା ଏକାଦଶ ସ୍ଥାନରେ ରହିବା ଭାରତ ପାଇଁ ପ୍ରଥମ ଓ ଶେଷ ଥର ପାଇଁ ସବୁଠୁ ଖରାପ ପ୍ରଦର୍ଶନ ଥିଲା।
ଏସିଆଡ୍ର ଚୀନ ପଦାର୍ପଣ
/sambad/media/post_attachments/wp-content/uploads/2018/07/175px-2018_Asian_Games_logo_svg-1.png)