‘ଏସିଆଡ୍‌ ଦୁଃଖ ବିଶ୍ୱକପ୍‌ରେ ଦୂର କରିବୁ’

ଭୁବନେଶ୍ୱର: ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ କାଂସ୍ୟ ଜିତି ଶନିବାର ଓଡ଼ିଶା ଫେରିଛନ୍ତି ଘରୋଇ ହକି ତାରକା ବୀରେନ୍ଦ୍ର ଲାକ୍ରା। ୨୦୧୪ ଇଞ୍ଚିଅନ୍‌ ଏସିଆଡ୍‌ରେ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ଦଳରେ ଥିବା ବୀରେନ୍ଦ୍ର କିନ୍ତୁ ଏଥରର କାଂସ୍ୟ ସଫଳତା ନେଇ ସେତେଟା ଖୁସି ନାହାନ୍ତି। ଲାଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିବା ସୁଯୋଗ ହାତରୁ ଖସିଯିବା ବୀରୁଙ୍କୁ ବ୍ୟଥିତ କରିଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ତୃତୀୟ ସ୍ଥାନରେ ରହିବା ଅବଶ୍ୟ ତାଙ୍କ ଦୁଃଖକୁ କିଛିଟା ଦୂର କରିଛି। ତଥାପି ସେମିଫାଇନାଲରେ ମାଲେସିଆଠାରୁ ହାରିବା ସାରା ଜୀବନ ତାଙ୍କୁ ଆନ୍ଦୋଳିତ କରିବ ବୋଲି ବୀରେନ୍ଦ୍ର କହିଛନ୍ତି।
ସମ୍ବାଦ: ଭାରତ ଆରମ୍ଭରୁ ସ୍ୱର୍ଣ୍ଣ ଦାବିଦାର ଥିଲା, ହେଲେ କାଂସ୍ୟରେ ସନ୍ତୁଷ୍ଟ ରହିଲା। ଏମିତି କାହିଁକି ହେଲା?।
ବୀରେନ୍ଦ୍ର: ସମସ୍ତଙ୍କ ଆଶା ଥିଲା ଭାରତ ସ୍ୱର୍ଣ୍ଣ ଆଣିବ। ସେହି ଆଶା ପୂରଣ ହେଲାନି। ମୁଁ ଭାବୁଛି ଆମ ପାଇଁ ସେହି ଦିନଟି ଭଲ ନଥିଲା। ସେଥିପାଇଁ ଆମେ ସେମିଫାଇନାଲରେ ହାରି ଯାଇଥିଲୁ। ତଥାପି ପରବର୍ତୀ ମ୍ୟାଚ୍‌ରେ ଆମେ ସମସ୍ତେ ଏକଜୁଟ ହୋଇ ଖେଳିଥିଲୁ। ପାକିସ୍ତାନକୁ ହରାଇ କାଂସ୍ୟ ପଦକ ହାସଲ କରିଥିଲୁ।

ସମ୍ବାଦ: କେଉଁ ଦୁର୍ବଳତା ପାଇଁ ଏଭଳି ବିପର୍ଯ୍ୟୟ ହେଲା ବୋଲି ଆପଣ ଭାବୁଛନ୍ତି?
ବୀରେନ୍ଦ୍ର: ଶେଷ ୫ ମିନିଟ୍‌ ଖେଳ ବହୁତ କଷ୍ଟ ଥିଲା। ଅମ୍ପାୟାରଙ୍କ ନିଷ୍ପତ୍ତି ଆମ ବିରୋଧରେ ଯିବା ପରେ କମ୍‌ ଖେଳାଳିରେ ଖେଳିବା ସହଜ ନଥିଲା। ତଥାପି ଆମେ ଲଢ଼ିଥିଲୁ। ହେଲେ ସଡନଡେଥ୍‌ରେ ମାଲେସିଆ ବାଜି ମାରି ନେଇଥିଲା। ମୁଁ କହିବି ପୂର୍ବ ମ୍ୟାଚ୍‌ଗୁଡ଼ିକରେ ଆମେ ଯେମିତି ଖେଳିଥିଲୁ, ସେମିଫାଇନାଲରେ ସେମିତି ଖେଳି ପାରି ନଥିଲୁ।

ସମ୍ବାଦ: ଆପଣଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ନେଇ କ’ଣ କହିବେ ?
ବୀରେନ୍ଦ୍ର: ମୋ ପ୍ରଦର୍ଶନ ନେଇ ଖୁସି ଅଛି। ତଥାପି ଆହୁରି ଭଲ କରି ପାରିଥାଆନ୍ତି ବୋଲି ଭାବୁଛି। ଆଗାମୀ ସମୟରେ ବ୍ୟକ୍ତିଗତ ପ୍ରଦର୍ଶନ ସ୍ତରକୁ ଆହୁରି ବଢ଼ାଇବାକୁ ଚେଷ୍ଟା କରିବି।

ସମ୍ବାଦ: ସେମିଫାଇନାଲ ପରାଜୟ ଏବଂ ପାକିସ୍ତାନକୁ ହରାଇ କାଂସ୍ୟ ଜିତିବା, ଦୁଇଟି ଭିତରୁ କାହାର ପଲ୍ଲା ଭାରି ଥିଲା ବୋଲି ଭାବୁଛନ୍ତି?
ବୀରେନ୍ଦ୍ର: ସେମିଫାଇନାଲରେ ହାରିବା ନିଶ୍ଚିତ ଭାବେ ମୋ ପାଇଁ ବ୍ୟକ୍ତିଗତ ଭାବେ ବଡ଼ ଝଟ୍‌କା ଥିଲା। ଏହି ଦୁଖଃକୁ ମୁଁ କେବେବି ଭୁଲି ପାରିବି ନାହିଁ। ସ୍ୱର୍ଣ୍ଣ ଖସିଯିବା ପରେ କାଂସ୍ୟ ପଦକ ଜିତିବା ଆମ ପାଇଁ କେବଳ ଏକ ସାନ୍ତ୍ୱନା ଥିଲା ବୋଲି କହିପାରିବି।

ସମ୍ବାଦ: ବିଶ୍ୱକପ୍‌ ନେଇ କି ଯୋଜନା ରଖିଛନ୍ତି। ବ୍ୟକ୍ତିଗତ ଭାବେ ବୀରେନ୍ଦ୍ର ଏଥିଲାଗି କେମିତି ନିଜକୁ ପ୍ରସ୍ତୁତ କରୁଛନ୍ତି?
ବୀରେନ୍ଦ୍ର: ବିଶ୍ୱକପ୍‌ ପାଇଁ ଆମ ହାତରେ ଏବେ ଆଉ ଦୁଇ ମାସ ସମୟ ରହିଛି। ଘରୋଇ ପରିବେଶରେ ଭଲ ପ୍ରଦର୍ଶନ କରିବାକୁ ଆମେ ନିଶ୍ଚିତ ଭାବେ ଚାହିଁବୁ। ଏସିଆଡ଼୍‍ ଦୁଃଖ ବିଶ୍ୱକପ୍‌ରେ ଦୂର କରିବାକୁ ଆମେ ଆପ୍ରାଣ ଉଦ୍ୟମ କରିବୁ। ଘରୋଇ ପରିବେଶରେ ଖେଳିଥିବା ଗତ ତିନି ଚାରିଟି ପ୍ରତିଯୋଗିତାରେ ଆମେ ଭଲ କରିଛୁ। ଭୁବନେଶ୍ୱରରେ ସେହି ସଫଳତା ଦୋହରାଇବୁ ବୋଲି ଆଶା ରଖିଛୁ।

ସମ୍ବାଦ: ବିଶ୍ୱକପ୍‌ ପାଇଁ ଓଡ଼ିଶା ସରକାର ଆରମ୍ଭ କରିଥିବା ‘ମାଇଁ ହାର୍ଟ ବିଟ୍‌ ଫର୍‌ ହକି’ ଯୋଜନାକୁ ନେଇ ଆପଣଙ୍କ ମତ?
ବୀରେନ୍ଦ୍ର: ଏଇଟା ଓଡ଼ିଶା ପାଇଁ ଗର୍ବର ବିଷୟ। ଆଗରୁ ଭାରତ ଭିତରେ ଓଡ଼ିଶାକୁ କେହି ଭଲ ଭାବରେ ଜାଣୁ ନଥିଲେ। ବିଶ୍ୱ କଥା ଛାଡ଼ନ୍ତୁ! ଓଡ଼ିଶା ସରକାର ଜାତୀୟ ଦଳର ପ୍ରାୟୋଜକ ହେବା ପରେ ଚାରିଆଡ଼େ ଓଡ଼ିଶାକୁ ନେଇ ଚର୍ଚା ଚାଲିଛି। ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ମିଳିଛି। ଏହି ଅଭିଯାନ ଓଡ଼ିଶା ହକି ଓ ଓଡ଼ିଶାକୁ ଆହୁରି ଉପରକୁ ନେବ ବୋଲି ଭାବୁଛି।

ସମ୍ବାଦ: ୫୦ ଲକ୍ଷର ପୁରସ୍କାରକୁ କେମିତି ଖର୍ଚ କରିବେ?
ବୀରେନ୍ଦ୍ର: ଏଭଳି ସମର୍ଥନ ମିଳିବା ଜଣେ କ୍ରୀଡ଼ାବିତ୍‌ ପାଇଁ ଗର୍ବର ବିଷୟ। ଏହା ଦ୍ୱାରା ଅଧିକରୁ ଅଧିକ ଯୁବପିଢ଼ି କ୍ରୀଡ଼ା କ୍ଷେତ୍ରକୁ ଆସିବେ। ଲୋଭନୀୟ ପୁରସ୍କାର ଯୋଗୁଁ ଓଡ଼ିଶାରୁ ଭବିଷ୍ୟତରେ ଆହୁରି ଅନେକ ଖେଳାଳି ବାହାରି ପଦକ ଜିତିିବେ।

ସମ୍ବନ୍ଧିତ ଖବର