ଏସିଆଡ୍‌ ସ୍ୱର୍ଣ୍ଣ ଅଲିମ୍ପିକ୍ସ ପାଇଁ ନୂଆ ଉତ୍ସାହ ଭରିଛି: ଅର୍ପିନ୍ଦର

ଭୁବନେଶ୍ୱର,: ୫୮ତମ ଜାତୀୟ ଓପନ ଆଥଲେଟିକ୍ସ ବା ଜାତୀୟ ଓପନ୍‌ ଦୌଡ଼କୁଦ ପ୍ରତିଯୋଗିତା ମଙ୍ଗଳବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ୨୮ ତାରିଖରେ ଶେଷ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୬ ଜଣ ପ୍ରତିଯୋଗୀଙ୍କ ସହ ୨୯ ଦଳର ମୋଟ ୭୯୦ ଧାବକ ଧାବିକାଙ୍କୁ ଦେଖିବାକୁ ମିଳିବ। ପ୍ରତିଯୋଗିତାରେ ବୃତ୍ତିଗତ ସଂସ୍ଥା ରେଳବାଇର ସର୍ବାଧିକ ୧୧୬ ଏବଂ ପୁଦୁଚେରିର ସର୍ବନିମ୍ନ ୩ ଜଣ ଖେଳାଳି ଅଂଶ ଗ୍ରହଣ କରିବେ। ଇଣ୍ଡୋନେସିଆରେ ଆୟୋଜିତ ହୋଇଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା କେତେକ ଖେଳାଳି ଏଥିରେ ଅଂଶ ଗ୍ରହଣ କରିବା ଲାଗି ସଂପ୍ରତି ଭୁବନେଶ୍ୱରରେ ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ସେଥିପାଇଁ ତାରକାଙ୍କ ମେଳା ଲାଗିଛି।
ପ୍ରତିଯୋଗିତା ସକାଳ ଏବଂ ସଂଧ୍ୟା ଦୁଇଟି ଅଧିବେଶନରେ ଖେଳାଯିବ। ସକାଳେ ମୁଖତଃ ଯୋଗ୍ୟତା ପର୍ଯ୍ୟାୟ ଆୟୋଜିତ ହେବ। ସଂଧ୍ୟାରେ ଫାଇନାଲ୍‌ ଖେଳାଯିବ।

ସକାଳ ଅଧିବେଶନ ୭ଟାରୁ ୧୦ ଏବଂ ସଂଧ୍ୟା ଅଧିବେଶନ ୫ଟା ୩୦ରୁ ୯ଟା ପର୍ଯ୍ୟନ୍ତ ଖେଳାଯିବ। ଆସନ୍ତାକାଲି ଉଦଘାଟନୀ ଦିବସର ସକାଳ ଅଧିବେଶନରେ ୧୫୦୦, ୧୦୦, ୪୦୦ ମିଟର, ଲମ୍ବଡିଆଁ, ସଟପୁଟ ଆଦିର ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହେବ। ସଂଧ୍ୟାରେ ଡିସକସ୍‌ ଥ୍ରୋ, ସଟପୁଟ୍‌, ବାଧାଦୌଡ଼ ଭଳି କେତେକ ଖେଳର ଯୋଗ୍ୟତା ପର୍ଯ୍ୟାୟ ସହ ଜାଭେଲିନ ଥ୍ରୋ, ଟ୍ରିପଲ ଜମ୍ପ, ପୋଲଭଲ୍ଟ, ୧୦,୦୦୦ ମିଟରର ଫାଇନାଲ୍‌ ସହ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର