ସିଲି ପଏଣ୍ଟ୍‌: ବିମାନ ବନ୍ଦରରେ ଏସିଆଡ୍‌ ସ୍ୱର୍ଣ୍ଣ ବିଜୟିନୀ :ବିନେଶଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ: ଚଳିତ ଏସୀୟ କ୍ରୀଡ଼ାରେ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ବିନେଶ ଫୋଗଟ୍‌ଙ୍କ ପାଇଁ ଜନ୍ମଦିନର ଉପହାର ମିଳିଛି। ଗତ ଶନିବାର ନିଜ ଜନ୍ମ ଦିନରେ ବିନେଶ ଜାକର୍ତାରୁ ସ୍ୱର୍ଣ୍ଣ ଧରି ସ୍ୱଦେଶ ଫେରିଥିଲେ। ଆଉ ତାଙ୍କ ଫେରନ୍ତା ବାଟକୁ ହିଁ ବଡ଼ ଉପହାର ଅପେକ୍ଷା କରିଥିଲା। ଏହି ଦିନ ତାଙ୍କ ପାଇଁ ସ୍ୱତନ୍ତ୍ର ରହିଥିଲା। ସେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କ ବହୁ ଦିନର ପ୍ରେମିକ ତଥା ପୂର୍ବତନ ଜାତୀୟସ୍ତରର କୁସ୍ତି ଯୋଦ୍ଧା ସୋମବୀର ରାଠୀ ବିନେଶଙ୍କ ହାତରେ ନିର୍ବନ୍ଧ ମୁଦି ପିନ୍ଧାଇ ଦେଇଥିଲେ। ଉଭୟେ ମଧ୍ୟ ବିମାନ ବନ୍ଦରରେ ପରସ୍ପରକୁ ନିର୍ବନ୍ଧ ମୁଦି ଅଦଳବଦଳ କରି ସଂପର୍କକୁ ଆଗକୁ ବଢ଼ାଇଥିଲେ।

ଏହି ମୁଦି ପିନ୍ଧା ବେଳେ ବିନେଶଙ୍କ ଦାଦା ମହାବୀର ଫୋଗଟ୍‌ ଏବଂ ସୋମବୀରଙ୍କ ମା ଉପସ୍ଥିତ ଥିଲେ। ଶନିବାର ବିନେଶଙ୍କ ୨୪ତମ ଜନ୍ମଦିନ ଥିବାରୁ ସେହିଦିନ ହିଁ ନିର୍ବନ୍ଧ ପାଇଁ ସୋମବୀର ଚାହିଁଥିଲେ। ହେଲେ ବିନେଶଙ୍କ ଫେରିବା ସମୟ ବିଳମ୍ବିତ ରାତି ହୋଇଯିବାରୁ ସୋମବୀର ଘରେ ଅପେକ୍ଷା ନକରି ସିଧାସଳଖ ବିମାନ ବନ୍ଦର ପଳାଇ ସେଠାରେ ମୁଦି ପିନ୍ଧା କାର୍ଯ୍ୟ ସଂପନ୍ନ କରିଥିଲେ। ବିନେଶ ଓ ସୋମବୀର ପରସ୍ପରକୁ ଗତ ୭ ବର୍ଷ ଧରି ଜାଣିଥିଲେ। ଦୁହେଁ ମଧ୍ୟ ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଇସାରିଥିଲେ। ଏନେଇ ବିନେଶ ମଧ୍ୟ ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ଫଟୋ ଛାଡ଼ିଥିଲେ। ଶେଷରେ ଶନିବାର ରାତିରେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା। ବିନେଶ ଜାକର୍ତାରେ ୫୦ କେଜି ଫ୍ରିଷ୍ଟାଇଲ୍‌ କୁସ୍ତିରେ ସ୍ୱର୍ଣ୍ଣ ଜିତିଥିଲେ। ଯାହାକି ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ବହନ କରିଥିଲେ।

ସମ୍ବନ୍ଧିତ ଖବର